କରୋନା ଯୋଗୁଁ ରାଜ୍ୟରେ ପାଠପଢ଼ା ଛାଡ଼ିଲେଣି ଲକ୍ଷେ ଛାତ୍ରଛାତ୍ରୀ, ଭୁବନେଶ୍ବରରେ ୫୦୪

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀ ପ୍ରବେଶ କରିବା ପର ଠାରୁ ଶିକ୍ଷା ବ୍ୟବସ୍ଥା ଆହୁରି ଦୁର୍ବଳ ହୋଇ ଯାଇଛି। ଦୀର୍ଘ ୧୮ ମାସ ହେଲା ପ୍ରାଥମିକ ଛାତ୍ରଛାତ୍ରୀଙ୍କ ସ୍କୁଲ ବନ୍ଦ ପଡିଛି । ଏପଟେ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଶିଶୁଙ୍କ ସଂକ୍ରମଣ ଏଵେ ଶହେ ପାଖାପାଖି ରହୁଛି। ଏପଟେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ମଧ୍ୟ ଚିନ୍ତା ବଢ଼ିବାରେ ଲାଗିଛି। ତୃତୀୟ ଲହ‌ରରେ ଶିଶୁ ଅଧିକ ଆକ୍ରାନ୍ତ ହେବା ନେଇ ବିଶେଷଜ୍ଞମାନେ ମତ ରଖିଛନ୍ତି। ମିଳିଥିବା ସୂଚନା ମୁତାବକ ଅକ୍ଟୋବର ମାସ ପର୍ଯ୍ୟନ୍ତ ସ୍କୁଲ ନ ଖୋଲିବାକୁ ରାଜ୍ୟ ସରକାର ଆପାତତଃ ନିଷ୍ପତ୍ତି ନେଇଛନ୍ତି। ଏଭଳି ସମୟରେ ଅଧାରୁ ପାଠପଢ଼ା ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଚିନ୍ତାର କାରଣ ପାଲଟିଛି । ପାଖାପାଖି ଏକ ଲକ୍ଷ ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ିଥିବା ଜଣାପଡିଛି। ତେବେ ସବୁଠାରୁ ଚିନ୍ତାଜନକ ହେଉଛି ଉପାନ୍ତ ତଥା ଆଦିବାସୀ ଅଧୁଷିତ ଅଞ୍ଚଳରେ ଡ୍ରପ୍ ଆଉଟ୍‌ ରେଟ୍‌ ବୃଦ୍ଧି। ଏବେ ସୁଦ୍ଧା ପାଖାପଖି ୯୭ ହଜାର ପିଲା ପାଠ ଛାଡିଥିବା ବେଳେ ସେଥିମଧ୍ୟରୁ ୬୦% କେବଳ ଉପାନ୍ତ ଅଞ୍ଚଳର ବୋଲି ଜଣାପଡ଼ିଛି।

ଅନ୍‌ଲାଇନ୍‌ ଶିକ୍ଷା ଏହି ଅଞ୍ଚଳର ପିଲାଙ୍କ ପାଇଁ ଏବେ ସ୍ବପ୍ନ ପାଲଟିଛି। ଗଣଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫୪ ହଜାର ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଲକ୍ଷ ପିଲାଙ୍କ ନିକଟରେ ଅନ୍‌ଲାଇନ୍‌ ରେ ପାଠପଢୁଛନ୍ତି। କିଛି ଜିଲ୍ଲାସ୍ତରରେ ଶିକ୍ଷକ ଶିକ୍ଷୟିତ୍ରୀ ଗାଁକୁ ଗାଁ ବୁଲି ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଉପାନ୍ତ ଓ ଦୂରଦୂରାନ୍ତ ଶିକ୍ଷା ବ୍ୟବସ୍ଥା ପହଞ୍ଚି ପାରୁନାହିଁ । ଯେଉଁଥିପାଇଁ ପାଖାପାଖି ୬୦% ପିଲା ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। କରୋନା କାଳରେ ପରିବାରର ମୁଖ୍ୟ ରୋଜଗାର ହରାଇଥିବାରୁ ପିଲାମାନେ ଆଗକୁ ପଢ଼ି ନ ପାରିବା ଆଉ ଏକ କାରଣ ପାଲଟିଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କରୋନା କାଳରେ ଖୋଦ୍ ରାଜଧାନୀ ଭୁବନେଶ୍ବରରେ ୫୦୪ ଜଣ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ଭୁବନେଶ୍ବର ବ୍ଲକ ଅଞ୍ଚଳରୁ ୨୬୨ ଜଣ ଓ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରୁ ୨୪୨ ଜଣ ପିଲା ଡ୍ରପ୍ ଆଉଟ୍ କରିଥିବାର ସୂଚନା ମିଳିଛି। ବସ୍ତି ଅଞ୍ଚଳର ବହୁ ପିଲା ଅଧାରୁ ପାଠପଢ଼ା ଛାଡ଼ିଥିବା ନଜରକୁ ଆସିଛି। ମୋଟ ଡ୍ରପଆଉଟ୍‌ ମଧ୍ୟରୁ ୪୦% ହେଉଛନ୍ତି ପ୍ରବାସୀ ଅଭିଭାବକ। ଯେଉଁମାନେ କରୋନା କାଳରେ ଭୁବନେଶ୍ବର ଛାଡ଼ି ଚାଲି ଯାଇଛନ୍ତି। ତେବେ ୬ଷ୍ଠରୁ ଦଶମ ଶ୍ରେଣୀ ମଧ୍ୟରେ ସର୍ବାଧିକ ପିଲା ପାଠପଢ଼ା ଛାଡ଼ିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ ଅଧାରୁ ପାଠପଢ଼ା ଛାଡ଼ିଥିବା କିମ୍ବା ଆଦୌ ସ୍କୁଲ ମାଡ଼ି ନ ଥିବା ପିଲାଙ୍କ ଡାଟାବେସ୍‌ ପ୍ରସ୍ତୁତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କୁ ଗତ ମେ’ ମାସରେ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଓସେପାରେ ଦାଖଲ ହୋଇଥିବା ଏହି ତଥ୍ୟ ମୁତାବକ ୬ରୁ ୧୮ ବର୍ଷ ବୟସର ପିଲା ଚିହ୍ନଟ ହୋଇଛନ୍ତି ,ଯେଉଁମାନେ କୌଣସି ବିଦ୍ୟାଳୟ/କଲେଜ/ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ନାହାନ୍ତି କିମ୍ବା ଅଧାରୁ ଛାଡ଼ିଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ପାଇଁ ଏହି ସର୍ଭେ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ମିଳିଥିବା ତଥ୍ୟ ଅନୁଯାୟୀ ଏବେ ସୁଦ୍ଧା ୯୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠପଢ଼ା ଛାଡ଼ିଛନ୍ତି।

ଏପଟେ ମନ୍ତ୍ରୀ କହିଛନ୍ତି ଯେ ଡ୍ରପ୍‌ଆଉଟ୍‌ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। କେଉଁ ଜିଲ୍ଲାରୁ କେତେ ପିଲା ଅଧାରୁ ପାଠ ଛାଡ଼ିଛନ୍ତି ତାହାର ରିପୋର୍ଟ ପହଞ୍ଚିବା ପରେ ସମୀକ୍ଷା କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୯-୨୦ ଶିକ୍ଷାବର୍ଷ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ହାଇସ୍କୁଲ ଶିକ୍ଷା ପରେ ୨୪ ପ୍ରତିଶତ , ଉଚ୍ଚ ପ୍ରାଥମିକ ସ୍ତରରେ ୪.୩ ପ୍ରତିଶତ , ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ୦.୯ ପ୍ରତିଶତ ଛାତ୍ରଛାତ୍ରୀ ପାଠ ଛାଡ଼ିଛନ୍ତି । ସୂଚନା ମୁତାବକ ଜାତୀୟ ସ୍ତରରେ ପ୍ରାଥମିକ ଶିକ୍ଷାପରେ ୧.୫%, ଉଚ୍ଚ ପ୍ରାଥମିକ ୧.୮% ଓ ହାଇସ୍କୁଲରେ ୧୭.୩% ପିଲା ଅଧାରୁ ପାଠ ଛାଡ଼ୁଛନ୍ତି।

Related Posts