ଟପ୍ପର ହେବେ ଶିକ୍ଷା ମନ୍ତ୍ରୀ!

ସତ୍ୟପାଠ ବ୍ୟୁରୋ : ନବୀନ ବାବୁଙ୍କ ଶିକ୍ଷାନୁଷ୍ଠାନରେ ମୋଟ୍ ସିଟ୍ ହେଉଛି ୨୨ । କିନ୍ତୁ ଆବେଦନକାରୀ ୧୧୦ । ତେଣୁୁ ଯିଏ ଭଲ ମାର୍କ ନ ରଖିଲା ତାକୁ କାଢ଼ି ନୁଆ ପିଲାଙ୍କୁ ଆଡମିଶନ ମିଳିବ । ସୁପ୍ରିମୋଙ୍କ ଠାରୁ ଏମିତି କଡା କଥା ଶୁଣି ସମସ୍ତେ କଡା ମେହନତ କରୁଛନ୍ତି । ନହେଲେ ଚାହୁଁ ଚାହୁଁ ସିଟ୍ ଟା ହାତରୁ ଚାଲିଯିବ ।

ତେବେ ସବୁ ମନ୍ତ୍ରୀଙ୍କ ଠୁ ଆଗରେ ରହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ । ବହୁତ କଷ୍ଟରେ ମନ୍ତ୍ରୀପଦ ମିଳିଛି, ତେଣୁ ହାତଛଡା କରିବାକୁ ବିଲକୁଲ ଚାହୁଁ ନାହାଁନ୍ତି । ଲାଗୁଛି ସମୀର ପୁରା ଜୋସରେ ଅଛନ୍ତି । ପଦ ମିଳୁ ମିଳୁ ପୁରା ଆକ୍ସନ ମୋଡକୁ ଆସିଛନ୍ତି । ଖାଲି ସମୀକ୍ଷାରେ ସିମୀତ ନରହି କାର୍ଯ୍ୟରେ କରି ଦେଖାଇବାକୁ ରାତିଦିନ ଏକ କରୁଛନ୍ତି ।

ମନ୍ତ୍ରୀପଦ ପାଇବା ପରେ ସମୀରଙ୍କ ପାଇଁ ବେଶୀ ଚାଲେଂଜ ସ୍କୁଲ ଶିକ୍ଷା ବ୍ୟବସ୍ଥା ବା ଢ଼ାଂଚାରେ ପରିବର୍ତ୍ତନ ଆଣିବା । ଗୋଟିଏ ପଟେ ଶିକ୍ଷକ ସମସ୍ୟା ଆଉ ଗୋଟିଏ ପଟେ ପିଲାଙ୍କ ରେଜଲ୍ଟ । ନୂଆମନ୍ତ୍ରୀ ପଦ ପାଇବା ପରେ ଏହି ସମସ୍ୟାର ସମାଧାନ ପାଇଁ ସମୀର ଆରମ୍ଭ କରିଛନ୍ତି ଆକ୍ସନ । ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ୮୨ ସ୍କୁଲକୁ ନୋଟିସ ଦେଇଛନ୍ତି । କହିଛନ୍ତି ସଂପୃକ୍ତ ସ୍କୁଲକୁ ସେ ନିଜେ ଗସ୍ତ କରିବେ । କଣ ପାଇଁ ସେଠାରେ ଏମିତି ପରିସ୍ଥିତି ହେଲା ତାହାର ଜବାବ ମାଗିବେ ।

ଖାଲି ସେତିକି ନୁହେଁ । ମନ୍ତ୍ରୀଙ୍କ ସ୍ପୋକନ ଇଂଲିଶ ପଦକ୍ଷେପକୁ ନେଇ ବି ସୋସିଆଲ ମିଡିଆରେ ବେଶ ପ୍ରଶଂସା । ଇଂରାଜୀ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ କହିଛନ୍ତି ସରକାରୀ ସ୍କୁଲରେ ସ୍ପୋକନ ଇଂଲିଶ ପଢ଼ାଇବାକୁ ପ୍ରସ୍ତାବ ଦିଆଯାଇଛି । ସରକାରୀ ଶିକ୍ଷା ବ୍ୟବସ୍ଥାରେ ଏକ ବିରାଟ ପରିବର୍ତ୍ତନ ପାଇଁ ସେ ବ୍ଲୁପ୍ରିଂଟ ପ୍ରସ୍ତୁତ କରୁଛନ୍ତି । କାହିଁକି ସରକାରୀ ସ୍କୁଲରେ ଉପସ୍ଥାନ କମୁଛି, କାହିଁକି ଫଳାଫଳ ସନ୍ତୋଷଜନକ ହେଉନାହିଁ ତାହାର ସମୀକ୍ଷା କରି ପଦକ୍ଷେପ ନେବେ ମନ୍ତ୍ରୀ ।

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ପୁରୁଷ କର୍ମଚାରୀ ହଟାଇବା ଭଳି ବଡ ନିଷ୍ପତି ବି ନେଇଛନ୍ତି ନୂଆମନ୍ତ୍ରୀ । ଫନୀ ପ୍ରପିଡିତ ଇଲାକାରେ ପାଠପଢ଼ା ଆରମ୍ଭ ବେଳକୁ ସ୍କୁଲର ଭିତ୍ତିଭୂମି ସଜାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ୩୦ଟି ଆଦର୍ଶ ବିଦ୍ୟାଳୟକୁ ଯୁକ୍ତ ଦୁଇ କଲେଜକୁ ଉନ୍ନୀତ କରାଯିବା ଓ ୨୪ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବା ନେଇ ବି ସେ ନିଷ୍ପତି ନେଇଛନ୍ତି । ଅନ୍ୟ ମନ୍ତ୍ରୀଙ୍କ ତୁଳନାରେ ଅଧିକ ପରିଶ୍ରମ କରି ନିଜ ଦମ୍ ଦେଖାଇବାକୁ ଚାହିଁଛନ୍ତି ସମୀର ଦାସ । ତେବେ ସମୀରଙ୍କ ଆକ୍ସନ ମୋଡର ରିପୋର୍ଟ ଦେଖି ତାଙ୍କ ସାର୍ ମାନେ ମୁଖ୍ୟମନ୍ତ୍ରୀ ନବୀନ ବାବୁ କେତେ ମାର୍କ ଦେଉଛନ୍ତି ତାହା ଦେଖିବାର କଥା…..

ସବୁଠୁ ବଡକଥା ହେଲା, ସମୀର ନିମାପଡାରୁ ତିନିଥର ଜିତିବା ପରେ ଏଥର ନୂଆକରି ମନ୍ତ୍ରୀପଦ ପାଇଛନ୍ତି । ମନ୍ତ୍ରୀ ହେବା ପରେ ସ୍ୱପ୍ନ ଓ ସମ୍ଭାବନା ଗୋଟିଏ ପଟେ ଆଉ ମୁଖ୍ୟମନ୍ତ୍ରୀଙ୍କୁ ନିଜ କାମର ରିପୋର୍ଟ କାର୍ଡ ପ୍ରଦାନ ଗୋଟିଏ ପଟେ । ତେଣୁ ଭିତରେ ଜୋସ୍ ରହିବା ସ୍ୱାଭାବିକ । ଅବଶ୍ୟ ବର୍ଷର ଅର୍ଦ୍ଧାଧିକ ସମୟ ଶିକ୍ଷକମାନେ ଲୋୟର ପିଏମଜିରେ ଧାରଣା ଦିଅନ୍ତି ବୋଲି ସମସ୍ତେ ଜାଣନ୍ତି । ତେଣୁ ଏଥର ସେ ଦୃଶ୍ୟ ଦେଖିବାକୁ ମିଳିବନି ବୋଲି ଆଶାବାନ୍ଧି ବସିଛନ୍ତି ମନ୍ତ୍ରୀ ।

Related Posts