ଭୁବନେଶ୍ୱର: ନୂଆପଡ଼ାରେ ଆରମ୍ଭ ହେଲା ଭୋଟ। ଉପନିର୍ବାଚନ ପାଇଁ ଆଜି ନୂଆପଡ଼ାରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଭୋଟିଂ ପୂର୍ବରୁ ମକ ପୋଲିଂ ହୋଇଥିଲା। ଏହି ଉପ ନିର୍ବାଚନରେ ୧୪ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ତିନି ପ୍ରମୁଖ ଦଳ ରାଜନେତାଙ୍କ ସହିତ ଆଉ ୧୧ ଜଣ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ବିଜେଡିର ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଏହି ଉପନିର୍ବାଚନ କରାଯାଉଛି।
ଏହି ଉପନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ଏଥର ଭୋଟ ରଣାଙ୍ଗନରେ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସରୁ ଘାସିରାମ ମାଝି ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଦିବଂଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ପ୍ରାର୍ଥୀ ହୋଇଛନ୍ତି। ସେହିପରି ସମାଜବାଦୀ ପାର୍ଟିରୁ ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳ ପକ୍ଷରୁ ଶୁକଧର ଦଣ୍ଡସେନା ପ୍ରାର୍ଥୀ ହୋଇଛନ୍ତି। ସ୍ୱାଧୀନ ପ୍ରାର୍ଥୀ ଭାବେ ଭକ୍ତବନ୍ଧୁ ଧାରୁଆ, ନୀତା ବାଗ, ଚକ୍ରାନ୍ତ ଜେନା, ଆଶ୍ରୟ ମହାନନ୍ଦ, ଭୁବନଲାଲ ସାହୁ, ଲୋଚନ ମାଝି, କିଶୋର ବାଗ ଏବଂ ଲକ୍ଷ୍ମୀକାନ୍ତ ତାଣ୍ଡି, ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି।
ତିନୋଟି ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୨,୪୮,୨୫୬ ଜଣ ଭୋଟର ରହିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧାଧିକ ଅର୍ଥାତ ୧୨୯୧୦୨ ଜଣ ମହିଳା ଭୋଟର ରହିଛନ୍ତି। ୨୧ ଜଣ ତୃତୀୟ ଲିଙ୍ଗି ଭୋଟର ରହିଥିବା ବେଳେ ଅବଶିଷ୍ଟ ପୁରୁଷ ଭୋଟର। ତେବେ ଭୋଟ ଦେବା ପାଇଁ ରହିଥିବା ୨୦୦୪ ଜଣ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଭୋଟର ମୋଟ ୫୬ଟି ନୂଆ ବୁଥ ସହିତ ମୋଟ ୩୫୮ଟି ବୁଥରେ ନିଜର ମତ ସାବ୍ୟସ୍ତ କରିବେ। ଏହି ବୁଥ ମଧ୍ୟରେ ୪୭ଟି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ୮ଟି ହେଉଛି ଅତି ସମ୍ବେଦନଶୀଳ ବୁଥ।
ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏ ସାଧାରଣ ବୁଥ ଗୁଡ଼ିକରେ ଭୋଟିଂ ହେବ। କିନ୍ତୁ ସମ୍ବେଦନଶୀଳ ବୁଥଗୁଡ଼ିକରେ ଏକ ଘଣ୍ଟା ପୂର୍ବରୁ ଅର୍ଥାତ୍ ଅପରାହ୍ଣ ୪ଟାରେ ଭୋଟିଂ ଶେଷ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ନିର୍ବାଚନ ପାଇଁ ଭୋଟିଂ ପୂର୍ବରୁ ବିଧି ଅନୁସାରେ ନୂଆପଡ଼ା ବିଧାନସଭା ମଣ୍ଡଳୀରେ ୯ ତାରିଖ ଅପରାହ୍ଣରୁ ନୀରବତା ରକ୍ଷା କରାଯାଇଛି। ରାଜନୀତିକ ଦଳ ମାନଙ୍କ ବାହାରି ନେତା ଓ କର୍ମୀଙ୍କୁ ବାହାର କରାଯାଇଛି। ଭୋଟର ମାନଙ୍କୁ ନିଜ ମନ ଅନୁସାରେ ଭୋଟ ଦେବା ଲାଗି ସୁଯୋଗ ଦିଆଯାଇଛି।