ପିଲାଙ୍କ ସୋସିଆଲ ଆକାଉଣ୍ଟରେ ସରକାରଙ୍କ କାମ କଣ ?

ସତ୍ୟପାଠ ବ୍ୟୁରୋ : ଉଚ୍ଚଶିକ୍ଷାରତ ଛାତ୍ରଛାତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ଆଖି ପକାଇଛନ୍ତି ମୋଦି ସରକାର । ଫଳରେ କେଉଁ ଛାତ୍ରଛାତ୍ରୀ ନିଜ ବ୍ୟକ୍ତିଗତ ସୋସିଆଲ ମିଡିଆ ସାଇଟରେ କଣ ପୋଷ୍ଟ କରୁଛି ତାହା ଅତି ସହଜରେ ଜଣା ଯାଇପାରିବ । କେନ୍ଦ୍ର ସରକାରଙ୍କ ମାନବସମ୍ବଳ ବିକାଶ ବିଭାଗ ନିକଟରେ ଏନେଇ ଏକ ସବୁ ଇନଷ୍ଟିଚ୍ୟୁଟର ମୁଖ୍ୟଙ୍କୁ ଚିଠି ଲେଖିଛି । ଯାହା ଜଣାପଡିବା ପରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଜାରୀ ହୋଇଥିବା ଉକ୍ତ ସରକାରୀ ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ଇନଷ୍ଟିଚ୍ୟୁଟରେ ଅଧ୍ୟନରତ ସମସ୍ତ ଛାତ୍ରଛାତ୍ରୀଙ୍କ ଫେସବୁକ, ଇନଷ୍ଟାଗ୍ରାମ୍ ଓ ଟୁଇଟର ଆକାଉଣ୍ଟକୁ ଇନଷ୍ଟିଚ୍ୟୁଟ ଓ ମାନସମ୍ବଳ ବିକାଶ ବିଭାଗ ସହ ଯୋଡାଯିବ । ଏହାକୁ ନେଇ ବିଭିନ୍ନ ମହଲରେ ଏବେ ପ୍ରତିକ୍ରିୟା ପ୍ରକାଶ ପାଇଛି । ସୋସିଆଲ ମିଡିଆ ଆକାଉଣ୍ଟ ଏତ୍ୟନ୍ତ ବ୍ୟକ୍ତିଗତ ହୋଇଥିବା ବେଳେ ଏହାକୁ ପାଠ ପଢ଼ୁଥିବା ସଂସ୍ଥା ଓ ସରକାରଙ୍କ ସହ ଲିଙ୍କ କରାଇବାର କଣ ଆବଶ୍ୟକତା ରହିଛି ତାହା ପ୍ରଶ୍ନ ଉଠିଛି । ଏହା ବ୍ୟକ୍ତିର ବ୍ୟକ୍ତିଗତ ଅଧିକାର ଉପରେ ଅଜଥା ହସ୍ତକ୍ଷେପ ସହ ସ୍ୱାଧିନତା ଅଧିକାର କ୍ଷୁର୍ଣ୍ଣ ହେଉଛି ବୋଲି ମତ ପ୍ରକାଶ ପାଇଛି ।

ଏହା ହେଉଛି ସେହି ସରକାରୀ ଚିଠି । ଗତ ଜୁଲାଇ ୩ ତାରିଖରେ ବିଭାଗୀୟ ସଚିବ ଆର୍ ସୁବ୍ରମଣ୍ୟମ ଲେଖିଥିବା ଏହି ଚିଠିରେ କଣ କୁହାଯାଇଛି ପଢ଼ନ୍ତୁ ।

• ଉଚ୍ଚତ୍ତର ଶିକ୍ଷା ଯୋଗାଉଥିବା ପ୍ରତ୍ୟେକ ଇନଷ୍ଟିଚ୍ୟୁଟ୍ ନିଜର ଜଣେ ଫାକଲ୍ଟି/ନନ୍ ଫାକଲ୍ଟି ମେମ୍ବରଙ୍କୁ ନେଇ ଇନଷ୍ଟିଚ୍ୟୁଟର ‘ସୋସିଆଲ ମିଡିଆ ଚାମ୍ପିୟନ’ ଭାବେ ଚୟନ କରିବେ ।
• ଏଥିପାଇଁ ସଂପୃକ୍ତ ମହାବିଦ୍ୟାଳୟ/ବିଶ୍ୱବିଦ୍ୟାଳୟର ସୋସିଆଲ ମିଡିଆ ଆକାଉଣ୍ଟକୁ ଉଚ୍ଚଶିକ୍ଷା ବିଭାଗ ଓ କେନ୍ଦ୍ର ମାନବସମ୍ବଳ ବିକାଶ ବିଭାଗ ସହ କନେକ୍ଟ କରାଇବେ ।
• ତୃତୀୟରେ, ସୋସିଆଲ ମିଡିଆ ଚାମ୍ପିୟନଙ୍କର କାର୍ଯ୍ୟ ହେଉଛି ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ( ଫେସବୁକ, ଟୁଇଟର, ଇନଷ୍ଟାଗ୍ରାମ)କୁ ଶିକ୍ଷାନୁଷ୍ଠାନ ଏବଂ କେନ୍ଦ୍ର ମାନବସମ୍ବଳ ବିକାଶ ବିଭାଗ ସହ କନେକ୍ଟ କରାଇବେ ।
• ଏବଂ ଶେଷରେ ସୋସିଆଲ ମିଡିଆ ଚାମ୍ପିୟନ ଉଚ୍ଚଶିକ୍ଷା ବିଭାଗ ତଥା ଶିକ୍ଷାନୁଷ୍ଠାନ ବାବଦରେ ସକରାତ୍ମକ ଖବର/ଷ୍ଟୋରୀକୁ ସୋସିଆଲ ମିଡିଆରେ ପୋଷ୍ଟ କରିବେ, ଏଥିରେ କମେଣ୍ଟ ଦେବେ ଓ ଟୁଇଟରରେ ରି-ଟୁଇଟ୍ କରି ଉତ୍ତର ରଖିବେ ।

ଏନେଇ ୩୧ଜୁଲାଇ ୨୦୧୯ କଣ୍ଟ ରଖାଯାଇଛି । ଅନୁଷ୍ଠାନ ତରଫରୁ କାହାକୁ ସୋସିଆଲ ମିଡିଆ ଚାମ୍ପିୟନ ଭାବେ ନିଯୁକ୍ତି ଦିଆଗଲା ତାଙ୍କର ସବିଶେଷ ବିବରଣୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଉକ୍ତ ବ୍ୟକ୍ତିଙ୍କର Name, Designation, Mobile Number (with WhatsApp), Email address ,Twitter account ର ବିବରଣୀ ଦେବାକୁ କୁହାଯାଇଛି ।

ଯଦିଓ ପରବର୍ତ୍ତୀ ସମୟରେ ମାନବସମ୍ବଳ ବିକାଶ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି ଯେ, ଯଦି କେହି ଛାତ୍ରଛାତ୍ରୀ ଇଛା ନକରନ୍ତି ତେବେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ କନେକ୍ଟ କରାଯିବ ନାହିଁ । କିନ୍ତୁ ପ୍ରଶ୍ନ ଉଠୁଛି, ସୋସିଆଲ ମିଡିଆ ଆକାଉଣ୍ଟ ସର୍ବଦା ଏକାନ୍ତ ବ୍ୟକ୍ତିଗତ । ଜଣେ ବ୍ୟବହାରକାରୀ ତାର ଆକାଉଣ୍ଟକୁ କିଭଳି ବ୍ୟବହାର କରିବ ତାହାର ଲକ୍ଷ୍ମଣରେଖା ରହିବା ଦରକାର କିନ୍ତୁ ସବୁ ପରେ ବି ତାହା ବ୍ୟବହାରକାରୀଙ୍କ ଉପରେ ନିର୍ଭର କରେ । ବଡକଥା ହେଉଛି, ଶିକ୍ଷାନୁଷ୍ଠାନ ଓ ସରକାରୀ ସ୍ତରରେ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଲିଙ୍କ କରାଇବା ଅର୍ଥ ହେଉଛି ସେମାନଙ୍କ ଉପରେ ଏକରକମ ନଜର ରଖିବା ଓ ସେମାନଙ୍କ ବିଶ୍ୱସନୀୟତା ଉପରେ ଗୁଇନ୍ଦାଗିରି କରିବା ସହ ସମାନ ବୋଲି କୁହାଯାଇପାରେ । ଏହାକୁ ନେଇ ବଡ ବଡ ଶିକ୍ଷାନୁଷ୍ଠାନରେ ପ୍ରବଳ ବିରୋଧ ବି ହୋଇଛି । ତେଣୁ କଥା ଉଠୁଛି ଯେ, ପିଲାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମୋଦି ସରକାରଙ୍କ କାମ କଣ ?

Related Posts