ମାସକୁ ମାତ୍ର 5 ଶହ ଟଙ୍କା, କେମିତି ଆସିବ ଚାଷୀଙ୍କ ଅଚ୍ଛେଦିନ୍‌ ?

କେନ୍ଦ୍ର ବଜେଟ୍‌ରେ ଚୀଷୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ପ୍ରଶ୍ନ ହେଲା କ’ଣ ମାତ୍ର କିଛି ଟଙ୍କା ଧରାଇଦେଲେ ଚାଷୀଙ୍କ ସମସ୍ୟାର ସମାଧାନ ହୋଇଯିବ ? କ’ଣ ବର୍ଷକୁ 6 ହଜାର ଟଙ୍କାରେ ଚାଷୀଙ୍କ ଅଚ୍ଛେ ଦିନ୍‌ ଆସିଯିବ ?’ ବଜେଟ୍‌କୁ କେନ୍ଦ୍ର ସରକାର ମାଷ୍ଟରଷ୍ଟ୍ରୋକ୍‌ କହୁଥିବାବେଳେ ବିରୋଧୀ ଏହାକୁ ଚାଷୀଙ୍କୁ ଦିଆଯାଇଥିବା ମୋଦି ସରକାରଙ୍କ ଲଲିପପ୍‌ ବୋଲି କହୁଛନ୍ତି ।

ବଜେଟ୍‌ରେ ହୋଇଥିବା ବ୍ୟବସ୍ଥା ଅନୁସାରେ ଚାଷୀଙ୍କୁ 3ଟି କିସ୍ତିରେ ମିଳିବ 6 ହଜାର ଟଙ୍କାର ସହାୟତା । 2018 ଡିସେମ୍ବରରୁ ଚାଷୀଙ୍କୁ ଏହି ଲାଭ ମିଳିବ । 2 ହେକ୍ଟର ଯାଏଁ ଜମି ଥିବା ଚାଷୀ ଏହି ସୁବିଧା ପାଇବେ । ମାର୍ଚ୍ଚ ସୁଦ୍ଧା ସରକାର ପ୍ରଥମ କିସ୍ତିର ଟଙ୍କା ଦେବାକୁ ଚାହୁଁଛନ୍ତି । ଅନ୍ୟ ଦୁଇ କିସ୍ତି ଆଗାମୀ ସରକାର ଭରସାରେ ଛଡ଼ାଯାଇଛି । ବାର୍ଷିକ 6 ହଜାରର ଅର୍ଥ ମାସକୁ 500 ଟଙ୍କା । ତେବେ ଏହି ଅର୍ଥ ରାଶିକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି । ଏତେ କମ୍‌ ଟଙ୍କାରେ କଣ ଆସିବ ଚାଷୀଙ୍କ ଅଚ୍ଛେ ଦିନ୍‌ ।

ବିରୋଧୀଙ୍କର ମତକୁ ଗୋଟିଏ ପଟେ ରଖିଲେ ବି ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଚାଷୀଙ୍କର ବର୍ଷ ବର୍ଷ ପୁରୁଣା ସବୁ ଦାବି କ’ଣ ବଜେଟ୍‌ରେ ପୂରଣ ହୋଇଗଲା ।

ପ୍ରକୃତରେ ବଜେଟ୍‌ରେ ଚାଷୀଙ୍କର ବହୁ ଦାବି ଉପରେ କୌଣସି ଧ୍ୟାନ ଦିଆଯାଇନାହିଁ
ସ୍ବାମୀନାଥନ ଆୟୋଗର ରିପୋର୍ଟ ଲାଗୁ କରିବାର ଚାଷୀଙ୍କ ଦାବି ସେମିତି ଅଧୁରା ରହିଛି
ଋଣଛାଡ଼ ନେଇ ଚାଷୀଙ୍କ ଦାବି ଉପରେ ବି କୌଣସି ଚର୍ଚ୍ଚା ହେଲାନାହିଁ
ଚାଷରେ କେମିତି ଖର୍ଚ୍ଚ କମ୍‌ ହେବ ସେ ନେଇ ବଜେଟ୍‌ରେ କୌଣସି ଦୂରଦୃଷ୍ଟି ଦେଖାଗଲା ନାହିଁ
ଫସଲର ଏମ୍‌ଏସ୍‌ପି ସ୍ଥିର କରିବାକୁ ନେଇ ବଜେଟ୍‌ରେ କୌଣସି ବ୍ୟବସ୍ଥା ନାହିଁ

ଦେଶ କୃଷି ଓ କୃଷକ ଏବେ ସଙ୍କଟରେ ଫସିଛି । ଚାଷୀମାନେ ବର୍ଷ ବର୍ଷ ଧରି ନିଜ ସମସ୍ୟାକୁ ନେଇ ରାଜ୍ୟ ରାଜଧାନୀ ଓ ଦେଶର ରାଜଧାନୀରେ ଗୁହାରି କରି ଆସୁଛନ୍ତି ।

ହେକ୍ଟର ପିଛା ଚାଷରେ ଖର୍ଚ୍ଚ ପ୍ରାୟ 10 ହଜାର ଟଙ୍କା ହେଉଛି
କିନ୍ତୁ ସରକାର ବର୍ଷକୁ 6 ହଜାର ଟଙ୍କା ସାହାଯ୍ୟ କରିବେ
ଅର୍ଥାତ୍‌ ହେକ୍ଟର ପିଛା 3 ହଜାର ଟଙ୍କା
ଏହା ଦ୍ବାରା କେମିତି ଚାଷୀଙ୍କର ସମସ୍ୟାର ସମାଧାନ ହେବ ?
ଓଡ଼ିଶା ଓ ତେଲେଙ୍ଗାନା ମଡେଲ୍‌ରେ କେନ୍ଦ୍ର ଚାଷୀଙ୍କୁ ସାହାଯ୍ୟ କଲା
କିନ୍ତୁ ଦୁଇ ରାଜ୍ୟ ସରକାର ଚାଷୀଙ୍କୁ ଏହାଠାରୁ ଅଧିକ ସାହାଯ୍ୟ ଦେଉଛନ୍ତି

ଗମ୍ଭୀର ରୂପ ନେଉଛି ଚାଷୀଙ୍କ ସମସ୍ୟା । ଆଉ ଏହାର ପ୍ରଭାବ ରାଜନୀତି ଉପରେ ବି ଦେଖାଯାଉଛି । କର୍ଣ୍ଣାଟକ ପରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ସରକାର ବି ଚାଷୀଙ୍କୁ ସାହାଯ୍ୟ କରିବାକୁ ଉଦ୍ୟମ କରୁଛନ୍ତି । ବହୁ ରାଜ୍ୟର ସରକାର ବି ଚାଷୀଙ୍କ ହିତରେ ପଦକ୍ଷେପ ଉଠାଇବାର ଅଭିଯାନ ଆରମ୍ଭ କରିଛନ୍ତି । ୟା ଭିତରେ କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟାକୁ ଅଣଦେଖା କରିବା ଦୁର୍ଭାଗ୍ୟର କଥା ।

Related Posts