ନିର୍ବାଚନ ପୂର୍ବରୁ ସବର୍ଣ୍ଣ ସଂରକ୍ଷଣ କାର୍ଡ

ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଖେଳିଛନ୍ତି ସଂରକ୍ଷଣ କାର୍ଡ । ଆର୍ଥିକ ଦୃଷ୍ଟିରୁ ପଛୁଆ ସବର୍ଣ୍ଣଙ୍କ ପାଇଁ ସରକାରୀ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ 10 ପ୍ରତିଶତ ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । ସୋମବାର କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆର୍ଥିକ ଅନଗ୍ରସର ସବର୍ଣ୍ଣଙ୍କୁ ସଂରକ୍ଷଣ ସଂପର୍କିତ ପ୍ରସ୍ତାବ ଅନୁମୋଦିତ ହୋଇଛି ।

ମଙ୍ଗଳବାର ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧ ବିଲ୍ ଆଣିବେ ସରକାର । ପୂର୍ବ ନିର୍ଦ୍ଧାରିତ 50 ପ୍ରତିଶତ ସଂରକ୍ଷଣ ବାହାରେ ରହିବ 10 ପ୍ରତିଶତ ସଂରକ୍ଷଣ । ଭାରତୀୟ ସମ୍ବିଧାନରେ ଆୟ ଆଧାରରେ ସଂରକ୍ଷଣର ବ୍ୟବସ୍ଥା ନାହିଁ । ସରକାରୀ ଚାକିରୀରେ ସର୍ବାଧିକ 50 ପ୍ରତିଶତ ସଂରକ୍ଷଣ ରଖିବାକୁ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇସାରିଛନ୍ତି ।

ଏହି ବିଲ୍ ଯଦି ଆଇନରେ ପରିଣତ ହୁଏ, ତେବେ ବାର୍ଷିକ 8 ଲକ୍ଷ ଟଙ୍କାରୁ କମ୍‌ ଆୟ ଥିବା ସବର୍ଣ୍ଣମାନେ ପାଇବେ ଶିକ୍ଷା ଓ ସରକାରୀ ଚାକିରୀରେ ସଂରକ୍ଷଣ ସୁବିଧା । ଏଥିସହ ଆଉ କିଛି ମଧ୍ୟ ସର୍ତ୍ତ ରହିଛି । ସହରରେ ସମ୍ଭାବ୍ୟ ହିତାଧିକାରୀଙ୍କ 1 ହଜାର ସ୍କୋୟାର ଫୁଟ୍‌ରୁ କମ୍ ଘର ଥିବ, 5 ଏକରରୁ କମ୍‌ ଚାଷ ଜମି ଥିବ । ଆର୍ଥିକ ଅନଗ୍ରସର ସବର୍ଣ୍ଣଙ୍କ ପାଇଁ ସଂରକ୍ଷଣ ନିଷ୍ପତ୍ତିକୁ ବିରୋଧୀ ଦଳ ମୋଦିଙ୍କ ନିର୍ବାଚନୀ ଚାଲ୍ ବୋଲି କହିଛନ୍ତି । କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ସବର୍ଣ୍ଣ ସଂରକ୍ଷଣର ସମୟକୁ ନେଇ ପ୍ରଶ୍ନ କରିଛନ୍ତି ।

କୁହାଯାଉଛି ଯେ, ଲୋକସଭା ନିର୍ବାଚନ ପୂର୍ବରୁ ସବର୍ଣ୍ଣଙ୍କ ପାଇଁ ସଂରକ୍ଷଣ ବିଲ୍‌ ମୋଦି ସରକାରଙ୍କ ସୁଚିନ୍ତିତ ପଲିଟିକାଲ୍ ଗ୍ୟାମ୍ବଲ । ଏସ୍‌ସି -ଏସଟି ଆକ୍ଟକୁ ମୋଦି ସରକାରଙ୍କ ସମର୍ଥନ ପରେ ସବର୍ଣ୍ଣ ସଂପ୍ରଦାୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତିନିଟି ହିନ୍ଦି ଭାଷୀ ରାଜ୍ୟରେ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପାଇଁ କେତେକାଂଶରେ ସବର୍ଣ୍ଣଙ୍କ ଅସନ୍ତୋଷକୁ ମଧ୍ୟ ଦାୟୀ କରାଯାଉଛି ।

ଏ ଦୃଷ୍ଟିରୁ ସବର୍ଣ୍ଣ ସଂରକ୍ଷଣ ମୋଦି ସରକାରଙ୍କ ବଡ଼ ନିର୍ବାଚନୀ ନିଷ୍ପତ୍ତି ବୋଲି କୁହାଯାଉଛି । ସଂରକ୍ଷଣ ହାର 50 ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିସାରିଛନ୍ତି । ସୁପ୍ରିମକୋର୍ଟଙ୍କ ଅନୁସାରେ କୌଣସି ରାଜ୍ୟ 50 ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କରିପାରିବେ ନାହିଁ । ତେଣୁ ତିନିଟି ରାଜ୍ୟ ପକ୍ଷରୁ ଆର୍ଥିକ ଆଧାରରେ ସଂରକ୍ଷଣ ବ୍ୟବସ୍ଥା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।

ପୂର୍ବରୁ ବି ଗରିବ ସବର୍ଣ୍ଣଙ୍କୁ ସଂରକ୍ଷଣ ଦେବା ପାଇଁ ବିଭିନ୍ନ ସରକାର ଉଦ୍ୟମ କରିଛନ୍ତି । 1991 ମସିହାରେ ମଣ୍ଡଳ କମିଶନ ରିପୋର୍ଟ ଲାଗୁ ହେବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଗରିବ ସବର୍ଣ୍ଣଙ୍କୁ 10 ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତିକୁ ଅସାମ୍ବିଧାନିକ ବୋଲି କହି ଖାରଜ କରିଦେଇଥିଲେ । ପରବର୍ତ୍ତୀ ସମୟରେ ବାଜପେୟୀ ସରକାର ଓ ୟୁପିଏ ସରକାର ବି ଏ ଦିଗରେ ପଦକ୍ଷେପ ନେଇଥିଲେ । କିନ୍ତୁ କିଛି ଲାଭ ହୋଇ ନ ଥିଲା ।

Related Posts