ମନି ଲଣ୍ଡରିଂ ମାମଲା, ହେମନ୍ତଙ୍କୁ ପୁଣି ଇଡିର ସମନ !

ଭୁବନେଶ୍ୱର,13/1(ସତ୍ୟପାଠ ବ୍ୟୁରୋ): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ପୁଣିଥରେ ଇଡିର ସମନ ପଠାଇଛି । ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ଥରେ ହେମନ୍ତ ସୋରେନ୍‌ଙ୍କୁ ସମନ କରିଛି। ଅସନ୍ତା ଜାନୁଆରୀ ୧୬ରୁ ୨୦ ଭିତରେ ହାଜର ହେବା ପାଇଁ ହେମନ୍ତ ସୋରେନ୍‌ଙ୍କୁ ନୂଆ ଡେଡ୍‌ ଲାଇନ୍ ଦିଆଯାଇଛି।

ଜମି ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା କରିବା ପାଇଁ ଇଡି ବାରମ୍ବାର ହେମନ୍ତ ସୋରେନ୍‌ଙ୍କୁ ସମନ କରିଥିଲେ ମଧ୍ୟ ସେ ଥରଟିଏ ବି ହାଜର ହୋଇନାହାନ୍ତି। ଏବେ ପୁଣିଥରେ ୮ମ ଥର ପାଇଁ ଇଡି ତାଙ୍କୁ ସମନ ପଠାଇଛି । ତେବେ ପୂର୍ବରୁ ହେମନ୍ତଙ୍କ ପାଖକୁ ଇଡି ଏକ ଚିଠି ପଠାଇଥିଲା ଏବଂ ଆପଣଙ୍କ କେବେ ଓ କେଉଁଠି ବୟାନ ରେକର୍ଡ କରିବା ପାଇଁ ସୁବିଧା ହେବ ସେ ନେଇ ଜଣାନ୍ତୁ ବୋଲି ଇଡି ଚିଠି ମାଧ୍ୟମରେ କହିଥିଲା।

ସୂଚନାଯୋଗ୍ୟ, ରାଞ୍ଚିର ବଡଗାଇ ଅଞ୍ଚଳରେ ହୋଇଥିବା ଜମି ଦୁର୍ନୀତି ମାମଲରେ ଇଡି ହେମନ୍ତ ସୋରେନ୍‌ଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଛି ଏବଂ ଏ ନେଇ ତାଙ୍କୁ ଗତ ୨୯ ଡସେମ୍ବରରେ ସପ୍ତମ ଥର ପାଇଁ ତଦନ୍ତକାରୀ ଏଜେନ୍ସି ଇଡି ସମନ ପଠାଇ ଡକାଇଥିଲା। ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ଡିସେମ୍ବର ୩୧ ଡେଡ୍‌ଲାଇନ୍‌ ଦିଆଯାଇଥିଲା । ହେଲେ ସେ ହାଜର ହବାକୁ ମନା କରିଦେଇଥିଲେ। ତେବେ ଜାନୁଆରୀ ୨ ତାରିଖରେ ସେ ଇଡି ଉପରେ ପ୍ରଶ୍ନ ଉଠାଇ ବାରମ୍ବାର ସମନ ପଠାଇବାର କାରଣ ପଚାରିଥିଲେ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଏହି ସମନ ପଠାଯାଉଛି ବୋଲି ସେ କହିଥିଲେ। ସମନ ଯୋଗୁ ତାଙ୍କୁ ବାରମ୍ବାର ମିଡିଆ ଟ୍ରାଏଲର ସାମ୍ନା କରିବାକୁ ପଡୁଛି ଏବଂ ଏଭଳି କରି ତାଙ୍କ ଭାବମୂର୍ତ୍ତି ଖରାପ କରିବାକୁ ଚେଷ୍ଟା କରାଯାଉଛି ବୋଲି ସୋରେନ୍‌ ଇଡିକୁ ଚିଠି ଲେଖି କହିଥିଲେ।

Related Posts