କରୋନାରେ ବେସାହାରା ହୋଇଯାଇଛନ୍ତି ୯୦୦୦ ରୁ ଅଧିକ ପିଲା, ସୁପ୍ରିମକୋର୍ଟଙ୍କୁ ସୂଚନା ଦେଲେ ଏନସିପିସିଆର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ କରୋନା ମହାମାରୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଛୋଟଛୋଟ ଛୁଆ। ମହାମାରୀ ପ୍ରଭାବରେ ୯୦୦୦ ରୁ ଅଧିକ ପିଲା ଅନାଥ ହୋଇଯାଇଛନ୍ତି। ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ(ଏନସିପିସିଆର) ପକ୍ଷରୁ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଦେଇଥିବା ସୂଚନା ମୁତାବକ ୨୦୨୦ ମସିହା ଜାନୁୟାରୀ ମାସରେ ଆରମ୍ଭ ହୋଇଥିବା କରୋନାଭାଇରସ୍ ମହାମାରୀ ପ୍ରଭାବରେ ୧୭ ବର୍ଷରୁ କମ୍ ବୟସର ୯,୩୪୬ ପିଲା ଅନାଥ ହୋଇଯାଇଛନ୍ତି। ଏମାନଙ୍କ ମଧ୍ୟରୁ କିଛି ଜଣ ସେମାନଙ୍କର ଉଭୟ ବାପା ମା’ଙ୍କୁ ହରାଇଥିବା ବେଳେ ଆଉ କିଛି ପିଲା ବାପା କିମ୍ବା ମା’ଙ୍କୁ ହରାଇଛନ୍ତି। ଶିଶୁ ଅଧିକାର ସଂସ୍ଥାର ପୋର୍ଟାଲ ” ବାଲ୍ ସ୍ୱରାଜରେ” ଅନାଥ ପିଲାମାନଙ୍କ ତଥ୍ୟ ଅପଲୋଡ୍ କରିବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କ ଠାରୁ ମେ ୨୮ରେ ଏହି ତଥ୍ୟ ସଂଗ୍ରହ କରି ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଏହା ପୂର୍ବରୁ ଅନାଥ ପିଲାମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବାକୁ ସୁପ୍ରିମକୋର୍ଟଳ ରାଜ୍ୟମାନଙ୍କୁ ଆଦେଶ ଦେଇଥିଲେ । ଲାଇଭ ଲ ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଦିନ ଆମିକସ୍ କ୍ୟୁରି ଗୌରବ ଅଗ୍ରୱାଲ କହିଛନ୍ତି ଯେ ଏହି ସଂଖ୍ୟା ଅଧିକ ହୋଇପାରେ କାରଣ ଅନେକ ରାଜ୍ୟ ତଥ୍ୟ ଅପଲୋଡ୍ କରିପାରିନାହାଁନ୍ତି । ବାଲ ସ୍ୱରାଜ ର ରେକର୍ଡରୁ ଜଣାପଡିଛି ଯେ ଏମାନଙ୍କ ମଧ୍ୟରୁ ୧୭୪୨ ଜଣ ପିଲା ସେମାନଙ୍କର ଉଭୟ ବାପା ମା’ଙ୍କୁ ହରାଇଛନ୍ତି। ସେହିପରି ୭୪୬୪ ଜଣ ବାପା କିମ୍ବା ମା’ଙ୍କୁ ହରାଇଛନ୍ତି। ୧୪୦ ଜଣ ମାର୍ଚ୍ଚ ୨୦୨୦ରୁ ୨୦୨୧ ମେ’ ୨୯ ମଧ୍ୟରେ ସଂପୂର୍ଣ୍ଣ ଏକାକୀ ହୋଇଯାଇଛନ୍ତି। ମେ ୨୯ ତାରିଖ ସୁଦ୍ଧା ପଶ୍ଚିମବଙ୍ଗ ଜଣେ ଶିଶୁର ବିବରଣୀ ପ୍ରଦାନ କରିଥିଲା ବେଳେ ଦିଲ୍ଲୀ ପାଞ୍ଚଟିର ତଥ୍ୟ ତାଲିକାଭୁକ୍ତ କରିଥିଲା। ମଧ୍ୟପ୍ରଦେଶରେ ଅନାଥ ପିଲାଙ୍କ ସଂଖ୍ୟା ୩୧୮ ଥିବା ବେଳେ ଏକା ହୋଇ ଯାଇଥିବା ପିଲାଙ୍କ ସଂଖ୍ୟା ୧୦୪ ରହିଛି। ସେହିପରି ଉତ୍ତର ପ୍ରଦେଶରେ ସର୍ବାଧିକ ୧୮୦୩ ଜଣ ପିଲା ସେମାନଙ୍କ ବାପା ମା’ଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି ଏବଂ ବିହାରରେ ୨୯୨ ଜଣ ଅନାଥ ହୋଇ ଯାଇଥିବା ବେଳେ ୧୦୩୫ ଜଣ ସିଙ୍ଗଲ ପ୍ୟାରେଣ୍ଟ ଘରେ ରହୁଛନ୍ତି। ୪ରୁ ୭ ବର୍ଷ ମଧ୍ୟରେ ୧୫୧୫ ଜଣ ପିଲା ଥିବା ବେଳେ ୮ରୁ ୧୩ ବର୍ଷରେ ୩୭୧୧, ୧୪ରୁ ୧୫ ବର୍ଷ ମଧ୍ୟରେ ୧୬୨୦ ଓ ୧୬ରୁ ୧୭ ବର୍ଷ ମଧ୍ୟରେ ୧୭୧୨ ଜଣ ପିଲା ରହିଛନ୍ତି। ଶୁଣାଣି ସମୟରେ ଅନାଥ ହୋଇଯାଇଥିବା ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ଯୋଜନାର ବିବରଣୀ ପ୍ରଦାନ କରିବାକୁ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ମେ ୨୯ ରେ, କରୋନାରେ ପିତା ମାତା କିମ୍ବା ଅଭିଭାବକଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ କେନ୍ଦ୍ର ଆର୍ଥିକ ସହାୟତା ଘୋଷଣା କରିଥିଲା। ଆମିକସ୍ କ୍ୟୁରି ଗୌରବ ଅଗ୍ରୱାଲ ୧୦ ଟି ରାଜ୍ୟ ଚିହ୍ନଟ କରିଛନ୍ତି – ତେଲେଙ୍ଗାନା, ତାମିଲନାଡୁ, କେରଳ, କର୍ଣ୍ଣାଟକ, ଗୁଜୁରାଟ, ରାଜସ୍ଥାନ, ୟୁପି, ବିହାର ଏବଂ ଝାଡଖଣ୍ଡ – ଯେଉଁଠାରେ ନୋଡାଲ ଅଧିକାରୀ ନିଯୁକ୍ତ ହେବେ। ଏହି ତାଲିକାରେ ଆହୁରି ଅଧିକ ରାଜ୍ୟ ଯୋଡିବା ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଆମିକସ୍ କ୍ୟୁରିଆ ରବିବାର ସୁଦ୍ଧା ତାଙ୍କ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି । କୋଭିଡ୍ ଟିକା ପାଇଁ ଗଠନ ହୋଇଥିବା ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍ ର ଅଧ୍ୟକ୍ଷ ଭି.କେ ପଲ୍ କହିଛନ୍ତି, “ଆମେ ଆବଶ୍ୟକ ଅନୁଯାୟୀ ଆମର ସୁବିଧାକୁ ମଜବୁତ କରିବୁ ଏବଂ କ’ଣ ଆବଶ୍ୟକ ଏବଂ ଏଭଳି ପରିସ୍ଥିତିରେ କଣ ଆବଶ୍ୟକ ହୋଇପାରେ ତାହାର ଏକ ଅଡ଼ିଟ୍ କରିବୁ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀ ପଲ୍ କହିଛନ୍ତି ଯେ ସଂକ୍ରମିତ ହେଉଥିବା ପିଲାମାନଙ୍କ ଠାରେ ସର୍ବନିମ୍ନ ଲକ୍ଷଣ ଦେଖାଯାଉଛି। ସେ କହିଛନ୍ତି, “ଯଦି ପିଲାମାନେ କରୋନା ଆକ୍ରାନ୍ତ ଚିହ୍ନଟ ହୁଅନ୍ତି , ତେବେ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ବହୁତ କମ୍ ଅଟେ।”

Related Posts