ସଂସଦ ଚାଲିଥିବା ବେଳେ ସାଂସଦ ମାନେ ଅପରାଧିକ ମାମଲାରେ ଗିରଫଦାରୀରୁ ନିସ୍ତାର ପାଇପାରିବେ ନାହିଁ : ଭେଙ୍କୟା ନାଇଡୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସଂସଦ ଚାଲିଥିବା ବେଳେ କୌଣସି ଅପରାଧିକ ମାମଲାରେ ଗିରଫଦାରୀରୁ ସୁରକ୍ଷା ପାଇବା ଅଧିକାର ସାଂସଦମାନଙ୍କର ନାହିଁ ଏବଂ ସେମାନେ ଆଇନ ପ୍ରବର୍ତ୍ତନକାରୀ ଏଜେନ୍‌ସିଙ୍କ ସମନ୍‌ ଏଡ଼ାଇ ପାରିବେ ନାହିଁ ବୋଲି ଶୁକ୍ରବାର ଦିନ ରାଜ୍ୟସଭାରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ ସ୍ପଷ୍ଟ କରି ଦେଇଛନ୍ତି।ଶୁକ୍ରବାର ଅଧିବେଶନରେ ଅଧ୍ୟକ୍ଷ ଏମ୍‌.ଭେଙ୍କୟା ନାଇଡୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଗୃହର ବ୍ୟାପାର ଆରମ୍ଭ କରିଥିଲେ। କିନ୍ତୁ, ଏହାର କିଛି କ୍ଷଣ ପରେ ସରକାର ତଦନ୍ତକାରୀ ଏଜେନ୍‌ସିଙ୍କୁ ଅପବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ୧୦ରୁ ଅଧିକ କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଯାଇ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ସମୋନେ ପ୍ରଶ୍ନ କରିଥିଲେ ଯେ, ଗୁରୁବାର ଦିନ ସଂସଦ ଚାଲିଥିବା ବେଳେ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ୍‌ ଖଡ଼ଗେଙ୍କୁ କିପରି ପ୍ରବର୍ତ୍ତନ ନିର୍ଦେଶାଳୟର ସମନ୍‌ କରିଛି। କଂଗ୍ରେସ ସାଂସଦମାନେ ଗୃହରେ ବିଶୃଙ୍ଖଳା କରିବାରୁ ପ୍ରାୟ ଅଧଘଣ୍ଟା (ପୂର୍ବାହ୍ନ ୧୧.୩୦) ପର୍ଯ୍ୟନ୍ତ ମୁଲତବୀ ରହିଥିଲା।

୧୧.୩୦ରେ ପୁଣି ରାଜ୍ୟସଭା ଆରମ୍ଭ ହେବା ପରେ ରାଜ୍ୟସଭା ଅଧକ୍ଷ ନାଇଡୁ ଗୃହରେ ସୂଚନା ଦେଇ କହିଥିଲେ, ସଦସ୍ୟମାନଙ୍କ ମନରେ ଭ୍ରାନ୍ତ ଧାରଣା ରହିଛି ଯେ, ସଂସଦ ଚାଲିଥିବା ବେଳେ ତଦନ୍ତକାରୀ ଏଜେନ୍‌ସି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ। ଅବଶ୍ୟ ସମ୍ବିଧାନର ଧାରା ୧୦୫ ଅନୁଯାୟୀ ଅବାଧରେ କର୍ତ୍ତବ୍ୟ ସମ୍ପାଦନ କରିବା ଲାଗି ସାଂସଦମାନେ ନିର୍ଦ୍ଦିଷ୍ଟ କେତେକ ସୁବିଧା ପାଇଥାଆନ୍ତି। ସେଥିରୁ ଗୋଟିଏ ହେଉଛି, ଅଧିବେଶନ ବା କମିଟି ଆରମ୍ଭ ହେବାର ୪୦ ଦିନ ଆଗରୁ ଏବଂ ଶେଷ ହେବାର ୪୦ ଦିନ ପରେ କୌଣସି ‘ସିଭିଲ୍‌ କେସ୍‌’ ରେ ସାଂସଦମାନଙ୍କୁ ଗିରଫ କରାଯାଇ ପାରିବ ନାହିଁ। ଏ ସୁବିଧା ‘ସିଭିଲ୍‌ ପ୍ରୋସିଜ୍ୟୁଓର୍‌ କୋର୍ଟ’ର ଧାରା ୧୩୫ଏ ରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ନାଇଡୁ କହିଛନ୍ତି। କିନ୍ତୁ, ଅପରାଧିକ ମାମଲାରେ ସାଂସଦମାନେ ସାଧାରଣ ନାଗରିକମାନଙ୍କଠାରୁ ଭିନ୍ନ ନୁହନ୍ତି। ଅର୍ଥାତ୍‌ ଅଧିବେଶନ ଚାଲିଥିବା ବେଳେ ଅପରାଧିକ ମାମଲାରେ ଗିରଫ ହେବାରୁ ନିସ୍ତାର ପାଇବା ପାଇଁ ସେମାନଙ୍କୁ କୌଣସି ସୁବିଧା ଦିଆଯାଇ ନାହିଁ ବୋଲି ସେ କହିବା ସହ ଏ ସଂକ୍ରାନ୍ତରେ ଅତୀତରେ ସୁପ୍ରିମ୍‌ କୋର୍ଟ ଦେଇଥିବା କିଛି ରାୟକୁ ଉଦାହରଣ ଭାବେ ଉଲ୍ଲେଖ କରିଥିଲେ।

Related Posts