ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ବେଆଇନ ଅର୍ଥ କାରବାର ଅଭିଯୋଗରେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇଛନ୍ତି । ତେବେ ଆଜି ତନ୍ଙ୍କୁ ଜେରା କରିବା ବେଳେ ନାକେଦମ ହୋଇଯାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଇଡି ପକ୍ଷରୁ କୁହାଯାଇଛି ଯେ ଜେରା ବେଳେ ଯେତେବେଳେ ତାଙ୍କୁ କେତେକ କାଗଜପତ୍ର ସମ୍ପର୍କରେ ପଚରା ଯାଇଥିଲା, ତାହାର ଉତ୍ତରରେ ଜୈନ କହିଥିଲେ ଯେ ତାଙ୍କୁ କରୋନା ସଂକ୍ରମଣ ହୋଇଥିଲା । ଏହି କାରଣରୁ ତାଙ୍କର ମେମୋରି ଚାଲିଯାଇଛି, ଆଉ କିଛି ମନେ ପଡ଼ୁନାହିଁ । ଏପରି ଉତ୍ତର ଶୁଣି ଇଡି ଅଧିକାରୀମାନେ ତାଜୁବ ହୋଇଯାଇଥିଲେ । ସେପଟେ ଆୟଠାରୁ ଅଧିକ ସମ୍ପତ୍ତି ଜବତ ଓ ମନି ଲଣ୍ଡ୍ରିଙ୍ଗ ଅଭିଯୋଗରେ ଗତ ମେ ୩୦ରେ ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା । ଏହା ସହିତ ଇଡି ପକ୍ଷରୁ ସତ୍ୟେନ୍ଦ୍ର ଜୈନ ଓ ତାଙ୍କ ସହଯୋଗୀଙ୍କ ଘରେ ଚଢଉ କରି ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ କରାଯାଇଥିଲା ।
ଏହା ସହିତ କେତେକ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଥିଲା । ତାଙ୍କ ପତ୍ନୀ ଓ ଝିଅଙ୍କ ନାମରେ ୧୬ କୋଟିର ଠକେଇ ଅଭିଯୋଗ ମଧ୍ୟ ରହିଛି । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏହାକୁ ଖଣ୍ଡନ କରିଛନ୍ତି । ରାଜନୈତିକ ପ୍ରତିଶୋଧ ପାଇଁ କେନ୍ଦ୍ର ସରକାର ଇଡିକୁ ବ୍ୟବହାର କରୁଥିବା କେଜ୍ରିଓ୍ବାଲ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।
