ମହାକାଶରେ ନୂଆ ଗ୍ରହର ସନ୍ଧାନ, ପୃଥିବୀଠାରୁ 3 ଗୁଣ ବଡ଼

ପୃଥିବୀର ଏତେ ନିକଟରେ ଥିବା ସତ୍ବେ ଏହି ଗ୍ରହ ଖୁବ୍‌ ଥଣ୍ଡା । ଏହି ଗ୍ରହ ଏ ଯାଏଁ ଆବିଷ୍କୃତ ହୋଇଥିବା ସବୁଠାରୁ ଛୋଟ ଥଣ୍ଡା ଗ୍ରହ । ଗ୍ରହରେ ଜୀବନ ଅଛି କି ନାହିଁ ସେ ନେଇ ଅନୁସନ୍ଧାନ ଆରମ୍ଭ କରିଛି ନାସା ।

ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ସଫଳତା ହାସଲ କରିଛି ଆମେରିକାର ମହାକାଶ ଗବେଷଣା ପ୍ରତିଷ୍ଠାନ ନାସା । ସୌରମଣ୍ଡଳ ବାହାରେ ମିଳିଛି ଆଉ ଏକ ନୂଆ ଗ୍ରହର ସନ୍ଧାନ । ପୃଥିବୀଠାରୁ 3 ଗୁଣ ବଡ଼ ଗୋଟିଏ ଗ୍ରହକୁ ଆବିଷ୍କାର କରିଛି ନାସା । ନୂଆ ଗ୍ରହର ନାମ ରଖାଯାଇଛି ଏଚ୍‌ ଡି 21749b । ଏହି ଗ୍ରହ ଏକ ଚମକୁଥିବା ନକ୍ଷତ୍ରକୁ ପରିକ୍ରମା କରୁଛି ।

ନାସା ପକ୍ଷରୁ ମହାକାଶରୁ ପ୍ରେରିତ ଟ୍ରାନଜିଟିଙ୍ଗ ଏକ୍ସୋପ୍ଲାନେଟ୍‌ ସର୍ଭେ ସାଟେଲାଇଟ୍‌ ବା TESS ଏହି ନୂଆ ଗ୍ରହକୁ ଠାବ କରିଛି ।
ନୂଆ ଗ୍ରହଟି ପୃଥିବୀଠାରୁ 53 ଆଲୋକବର୍ଷ ଦୂରରେ ରହି ଏକ ଛୋଟ ତାରାକୁ ପରିକ୍ରମା କରୁଛି । ଏହି ନକ୍ଷତ୍ରଟି ସୂର୍ଯ୍ୟ ଭଳି ଚମକୁଛି । ନିଜ ନକ୍ଷତ୍ରକୁ ପରିକ୍ରମା କରିବାକୁ ଏଚ୍‌ ଡି 21749b ଗ୍ରହକୁ ଲାଗୁଛି 36 ଦିନ ସମୟ । ପୃଥିବୀର ଏତେ ନିକଟରେ ଥିବା ସତ୍ବେ ଏହି ଗ୍ରହ ଖୁବ୍‌ ଥଣ୍ଡା । ଏହି ଗ୍ରହ ଏ ଯାଏଁ ଆବିଷ୍କୃତ ହୋଇଥିବା ସବୁଠାରୁ ଛୋଟ ଥଣ୍ଡା ଗ୍ରହ । ଏହି ଗ୍ରହ ପୃଷ୍ଠରେ ତାପମାତ୍ରା 300 ଡିଗ୍ରୀ ଫାରେନାଇଟ୍‌ ।

ଏହି ନୂଆ ଗ୍ରହ ଏଚ୍‌ ଡି 21749bରେ ଜୀବନ ଅଛି କି ନାହିଁ ସେ ସମ୍ପର୍କରେ ଅଧିକ ଅନୁସନ୍ଧାନ ଆରମ୍ଭ କରିଛି ନାସା । ପୃଥିବୀ ବାହାରେ କୌଣସି ଅନ୍ୟ ଗ୍ରହରେ ଜୀବନର ସମ୍ଭାବନା ଖୋଜୁଥିବା ବୈଜ୍ଞାନିକଙ୍କ ପାଇଁ ଏହି ଗ୍ରହର ସନ୍ଧାନ ମିଳିବା ଏକ ବଡ଼ ସଫଳତା । ବୈଜ୍ଞାନିକଙ୍କ ଅନୁସାରେ ଘନ ବାୟୁମଣ୍ଡଳ ଥିବା ଯୋଗୁଁ ଏହି ଗ୍ରହରେ ଜୀବନର ସମ୍ଭାବନା ଥାଇପାରେ ।

ବୈଜ୍ଞାନିକମାନେ ଏହି ଗ୍ରହକୁ ଛୋଟ କହୁଥିଲେ ଏହା ପୃଥିବୀ ତୁଳନାରେ ଖୁବ୍‌ ବଡ଼ । HD 21749b ପୃଥିବୀଠାରୁ 3 ଗୁଣ ବଡ଼ । ନୂଆ ଗ୍ରହଟି ଏ ଯାଏଁ ନାସାର କୃତ୍ରିମ ଉପଗ୍ରହ TESS ଦ୍ବାରା ଠାବ ହୋଇଥିବା ପୃଥିବୀ ଆକୃତିର ପ୍ରଥମ ଗ୍ରହ ।

Related Posts