ନବୀନଙ୍କ ଅବୈଧ ସୃଷ୍ଟି 5-T ସଚିବ : EXCLUSIVE

ଓଡ଼ିଶା ଗଣମାଧ୍ୟମ ଓ ରାଜନୈତିକ ମହଲରେ ଯଦି କୌଣସି ଗୋଟିଏ ପ୍ରସଙ୍ଗ ବା ପଦବୀ ସବୁଠୁ ଅଧିକ ଚର୍ଚ୍ଚାରେ ଅଛି ତାହା ହେଉଛି ମୁଖ୍ୟମନ୍ତ୍ରୀଙ୍କର ପ୍ରଶାସନ ପରିଚାଳନାର ନୂତନ ସୃଷ୍ଟି 5-ଟି ଆଉ 5-ଟି ସଚିବ ପଦବୀ । ଯେଭଳି ଢଙ୍କରେ ନବୀନ ବାବୁ 3-ଟିରୁ ନିର୍ବାଚନ ପରେ 5-ଟି ସୂତ୍ର ବାହାର କଲେ ସମସ୍ତେ ଭାବୁଥିଲେ ନବୀନ ବାବୁ ବୋଧେ ରାଜ୍ୟ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ଏକ ନୂତନ ମ୍ୟାନେଜମେଣ୍ଟ ଥିଓରି ଆବିସ୍କାର କରିଛନ୍ତି  । କିନ୍ତୁ ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପ, ପ୍ରଶାସନରେ 5-ଟିର କାର୍ଯ୍ୟକ୍ରମକୁ ଦେଖି ଲାଗିଲା ଯେ ନବୀନ ବାବୁ ବାରମ୍ବାର ଜିତିବା ଏବଂ ସରକାର ଗଠନ କରିବା। କିନ୍ତୁ ପ୍ରତିଶ୍ରୁତି ମୁତାବକ ଲୋକଙ୍କୁ ସେବା ଯୋଗାଇ ନପାରିବାର ଅପାରଗତା ଲୁଚେଇବା ପାଇଁ ଏଭଳି ଏକ ସୂତ୍ର ତିଆରି କରିଛନ୍ତି । ଯାହା ଦ୍ବାରା ଅପାରଗତା ଲୁଚିବ ଅନ୍ୟପଟେ ପର୍ଯ୍ୟାପ୍ତ ପ୍ରଚାର ମିଳିବ । କିନ୍ତୁ ଏତିକିରେ ସମୀତ ରହିଲା ନାହିଁ ନବୀନ ବାବୁଙ୍କର 5-ଟିର ଭୁଲଭୁଲେୟା । ପ୍ରଶାସନିକ କଳରେ ଅଭିଜ୍ଞତା ଥିବା ପାରଙ୍ଗମ ଲୋକଙ୍କ ଅକଲ ଗୁଡୁମ୍ ହୋଇଗଲା ସେତେବଳେ ଯେତେବେଳେ ଆଉ ଦୁଇ ପାଦ ଆଗକୁ ଯାଇ ଏକ 5-ଟି ସଚିବ ସୃଷ୍ଟି କଲେ । ଯେଉଁ ବ୍ୟକ୍ତିଙ୍କୁ ସେ 5-ଟି ସଚିବ ଭାବେ ନିଯୁକ୍ତି କଲେ ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ତେଣୁ 5-ଟି ସଚିବ ପାଣ୍ଡିଆନଙ୍କୁ ବହୁ ରାଜନେତା ଓ ରାଜନୈତିକ ଦଳ ଟାର୍ଗେଟ କଲେ । ବିରୋଧୀ ରାଜନେତା ଏବଂ ରାଜନୈତିକ ଦଳର ସମାଲୋଚନା ମୁଖ୍ୟତଃ ଥିଲା ଯେ ନବୀନ ବାବୁ ତାଙ୍କର ବ୍ୟକ୍ତିଗତ ସଚିବ ପାଣ୍ଡିଆନକୁ ପୁରା ପ୍ରଶାସନରେ ଅଖଣ୍ଡ କ୍ଷମତା ଦେବାକୁ ଯାଇ 5-ଟି ସଚିବ ନିଯୁକ୍ତି କରିଛନ୍ତି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପାଣ୍ଡିଆନଙ୍କୁ ନବୀନ ନିଜର ଚଳନ୍ତି ପ୍ରତିମା ଭାବେରେ ବ୍ୟବହାର କରିବା । ଅର୍ଥାତ ପାଣ୍ଡିଆନଙ୍କର ସମସ୍ତ କାର୍ଯ୍ୟକଳାପ, ଭାଷା ଓ ନିଷ୍ପତ୍ତି ନବୀନଙ୍କର ବୋଲି ଲୋକେ ବୁଝିବେ । ଏସବୁର ଆଡ଼ୁଆଳରେ ଯେଉଁ କଥା ଟି ରହିଛି ଯାହାକୁ ପ୍ରଶାସନିକ ବିସାରଦ ଏବଂ ଆଇନ-କାନୁନର ତର୍ଯମା କରୁଥିବା ବ୍ୟକ୍ତି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତାହା ହେଲା 5-ଟି ସଚିବ ପଦବୀଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅବୈଧ ପରିକଳ୍ପନା ଏବଂ ଅବୈଧ ସୃଷ୍ଟି ।

ଓଡ଼ିଶା ସରକାର ଆଉ ପ୍ରଶାସନିକ ଅମଲାତନ୍ତ୍ର ପରିଚାଳିତ ହେଉଥିବା ଯେଉଁ ଆଇନର ପୁସ୍ତିକାଟି ଅଛି ତାହା ହେଉଛି The Odisha government rules of Business ।  ଏହା ହେଉଛି ସରକାରୀ କାର୍ଯ୍ୟକ୍ରମ ଆଇନ କାନୁନର ଆଦିଗ୍ରନ୍ଥ । ଏଥିରେ ସ୍ପଷ୍ଟ ଜଣେ ସଚିବଙ୍କ ସଜ୍ଞା ଆଉ କ୍ଷମତା ଓ ତାଙ୍କ କାର୍ଯ୍ୟ ବିଷୟରେ ସବିଶେଷ ତଥ୍ୟ ଦିଆଯାଇଛି । ଏଥିରେ ସ୍ପଷ୍ଟ ଲେଖା ଅଛି ଯେ Each Department of the secretariat shall consist of a secretary to Govt who shall be the official head of the department and of Such other Officers and Staff subordinate to him as the State Govt may determine ।

ଅର୍ଥାତ ସଚିବ ନିଯୁକ୍ତ ହେବାକୁ ହେଲେ ଗୋଟିଏ ବିଭାଗ ନିଶ୍ଚିତ ଥିବା ଦରକାର । ରାଜ୍ୟ ସରକାରରେ 34ଟି ବିଭାଗ ରହିଛି । ଆଉ ପ୍ରତି ବିଭାଗରେ ସଚିବ, ଉପ ସଚିବ, ଅତିରିକ୍ତ ସଚିବ, ସ୍ବତନ୍ତ୍ର ସଚିବ ଓ ଯୁଗ୍ମ ସଚିବ ରହିଛନ୍ତି । ତେଣୁ ବିନା ବିଭାଗରେ ଜଣେ ସଚିବ ରହିବା ପ୍ରଶାସନିକ କାର୍ଯ୍ୟରେ ଏକ ବିଲକ୍ଷଣ ନିଷ୍ପତ୍ତି ।  ନବୀନ ବାବୁଙ୍କର 5-ଟି ପରିକଳ୍ପନା ଯାଏ ଠିକ୍ ଅଛି । କିନ୍ତୁ ଏହା ପାଇଁ 5-ଟି ସଚିବ ପଦ ସୃଷ୍ଟି କରିବା ଆଉ ନିଜର ବ୍ୟକ୍ତିଗତ ସଚିବଙ୍କୁ ନିଯୁକ୍ତି ଦେବା  Odisha government rules of Business ଏବଂ ପ୍ରଶାସନିକ ଦୃଷ୍ଟିକୋଣରୁ ଏକ ଅବୈଧ ସୃଷ୍ଟି । ଯାହାର କିଛି ବୈଧତା ନାହିଁ । 5-ଟି ହେଉଛି ନବୀନ ବାବୁଙ୍କ ସରକାରର ଏକ ସଂସ୍କାରଧର୍ମୀ କାର୍ଯ୍ୟକ୍ରମ । ଅର୍ଥାତ ରାଜ୍ୟ ପ୍ରଶାସନକୁ ଅଧିକ କ୍ରୀୟାଶୀଳ କରିବା, ଲୋକାଭିମୁଖୀ କରିବା ଏବଂ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ସଂସ୍କାର କାର୍ଯ୍ୟକ୍ରମ ନବୀନ ବାବୁ ଆରମ୍ଭ କରିଛନ୍ତି ତାହା ହେଉଛି 5-ଟି ।  ଯେତେବେଳେ 5-ଟିର କୌଣସି ବିଭାଗ ତିଆରି କରାଯାଇନି ସେତେବେଳେ 5-ଟି ସଚିବ ପଦବୀ ଅନେକଙ୍କ ନଜରରେ ଏକ ଅବୈଧ ପରିକଳ୍ପନା । କିନ୍ତୁ ନବୀନ ବାବୁ ନିଜର ଅବୈଧ ପରିକଳ୍ପନାକୁ ସବୁଠାରୁ ଅଧିକ କ୍ଷମତାଶାଳୀ କରିବାକୁ ଲାଗିପଡ଼ିଛନ୍ତି । କାର୍ଯ୍ୟକ୍ରମରୁ ଯାହା ଲାଗୁଛି 5-ଟି ସଚିବ ସମସ୍ତଙ୍କ ସୁପରସିଡ୍ କରିବେ ସମସ୍ତଙ୍କ କଥାରେ ଦଖଲ ଦେବେ । ନିଜର କୌଣସି ଉତ୍ତରଦାୟିତ୍ବ ରହିବ ନାହିଁ କିନ୍ତୁ କର୍ମଚାରୀଙ୍କଠାରୁ ଆରମ୍ଭ କରି ଉପରିସ୍ତ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉତ୍ତରଦାୟିତ୍ବକୁ ତର୍ଜମା କରି ସାର୍ଟିଫିକେଟ ଦେବେ ।

ଏ ପୂରା ଘଟଣାରେ 5-ଟି ସଚିବ ପାଣ୍ଡିଆନଙ୍କ ଭଳି ବ୍ୟକ୍ତିଙ୍କ ପ୍ରତି ଆମର ଆକ୍ଷେପ ନାହିଁ ଆକ୍ଷେପ କେବଳ ଏହି ପଦବୀ ଏବଂ ଏହାକୁ ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ କରାଯାଉଛି । ପାଣ୍ଡିଆନ ବାବୁ ବହୁଦିନ ଧରି ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ ଥିଲେ । ତାଙ୍କୁ 5-ଟି ସଚିବ କରିବାକୁ ମୁଖ୍ୟମନ୍ତ୍ରୀ ଚାହିଁଲେ ଆଉ କଲେ କରନ୍ତୁ ମନା ନାହିଁ । କିନ୍ତୁ ଏକ ଅବୈଧ ପଦବୀ ସୃଷ୍ଟି କରି ସଚିବ କରିବା ପଛରେ କାରଣ କ’ଣ ? ସେପଟେ 5-ଟି କାର୍ଯ୍ୟକ୍ରମ ବେଳେ ଅନ୍ୟ ଏକ ବିଲକ୍ଷଣ ଦେଖିବାକୁ ମିଳୁଛି ତାହା ହେଲା ନିକଟରେ ସେ କେନ୍ଦ୍ରାପଡ଼ା ଗଲେ ବିଭିନ୍ନ ଖବରକାଗଜରେ ଆସିଲା ଯେ 5-ଟି ସଚିବ ପାଣ୍ଡିଆନଙ୍କ ନେତୃତ୍ବରେ ପ୍ରଶାସନିକ ଅଧିକାରୀଙ୍କର କେନ୍ଦ୍ରାପଡ଼ା ଗସ୍ତ । ସେହି କମିଟିରେ 1986 ବ୍ୟାଚ୍‌ର ବରିଷ୍ଠ IAS ଅଫିସର ସୁରେଶ ମହାପାତ୍ର ଥିଲେ । ଅନ୍ୟପଟେ ପାଣ୍ଡିଆନ ହେଉଛନ୍ତି 2000 ବ୍ୟାଚ୍‌ର IAS ଅଫିସର । ଅର୍ଥାତ ସୁରେଶ ବାବୁ ପାଣ୍ଡିଆନଙ୍କଠାରୁ 19 ବର୍ଷ ସିନିୟର । କିନ୍ତୁ ମେସେଜ ଗଲା ପାଣ୍ଡିଆନଙ୍କ ନେତୃତ୍ବରେ କେନ୍ଦ୍ରାପଡ଼ା ଗସ୍ତ କଲେ  । ଏହାକୁ 5-ଟି ସେଲ୍‌ ପକ୍ଷରୁ ମଧ୍ୟ ସଂଶୋଧନ କରାଗଲା ନାହିଁ ।  ଦ୍ବିତୀୟରେ 5-ଟି ସଚିବ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ଗସ୍ତ କଲେ କିନ୍ତୁ ସ୍ବାସ୍ଥ୍ୟ ବିଭାଗର ସଚିବ ଯାଇନଥିଲେ । ରୁଲ୍ସ ଅଫ ବିଜ୍‌ନେସ୍ କହୁଛି ଯଦି କୌଣସି ବିଭାଗର ଆପଣ ନିଷ୍ପତ୍ତି ନେଉଛନ୍ତି କି ତାର ସଂସ୍କାର କରୁଛନ୍ତି । ତାହା ହେଲେ ସେ ବିଭାଗର ସଚିବଙ୍କ ଦ୍ବାରା କରାଯିବ । ଅର୍ଥାତ ପାଣ୍ଡିଆନ ଯାହା ନିଷ୍ପତ୍ତି ନେବେ ସ୍ବାସ୍ଥ୍ୟ ବିଭାଗର ସଚିବଙ୍କ ଦ୍ବାରା  । ନିଜେ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ । ଏଥିରୁ ଲାଗୁଛି ପାଣ୍ଡିଆନଙ୍କ ପ୍ରତି ନବୀନବାବୁଙ୍କର ବିଶେଷ ଦରଦ ଓ ଶ୍ରଦ୍ଧା ପାଇଁ ତାଙ୍କୁ ପ୍ରଶାସନରେ ସବୁଠୁ ଅଧିକ କ୍ଷମତାଶାଳୀ କରିବାକୁ ଚାହିଁଛନ୍ତି । ତେଣୁ 5-ଟି ଭଳି ଏକ ଅବୈଧ ପଦବୀ ଜରିଆରେ ତାଙ୍କୁ କ୍ଷମତାଶାଳୀ କରିବାକୁ ଚେଷ୍ଟା କରାଯାଇଛି ।

Related Posts