ଗହ୍ମା ପୂନେଇଁରେ ମାମୁ-ମାଇଁ

(ସତ୍ୟପାଠ ବ୍ୟୁରୋ) ଦୀପାବଳୀରେ ହଠାତ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ, 5-ଟି ସଚିବ ଓ ପୋଲିସ କମିସନର ସମସ୍ତେ ଅନାଥାଶ୍ରମରେ ଛୋଟ ଛୋଟ ପିଲାଙ୍କ ସହ ଦୀପାବଳି ମନେଇଛନ୍ତି । ଏହି ଖବର ବିଭିନ୍ନ ମେନଷ୍ଟ୍ରିମ୍ ମିଡିଆ ଏବଂ ସୋସିଆଲ ମିଡିଆରେ ଛାଇକି ଥିଲା । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ କ୍ଷମତା କେନ୍ଦ୍ରରେ ଯେଉଁମାନେ ଅଛନ୍ତି ସମସ୍ତେ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଯେ ଆମେ ଲୋକଙ୍କ ପାଖରେ ଅଛୁ, ସମସ୍ତେ ଗୋଟିଏ ପରିବାରର, ଯେଉଁ ଛୋଟ ଛୋଟ ପିଲାମାନେ ସମାଜର ପ୍ରତିକୁଳ ପରିସ୍ଥିତିରେ ଅଛନ୍ତି ସରକାର ସେମାନଙ୍କ ପାଇଁ ଚିନ୍ତିତ ଆଉ ସେମାନଙ୍କ ପାଇଁ କିଛି କରିବାକୁ ଚାହୁଁଛନ୍ତି ବୋଲି । ଏହି ମେସେଜ ମୁଖ୍ୟମନ୍ତ୍ରୀ ଏବଂ 5-ଟି ସଚିବ ଦେବାକୁ ଚାହିଁଛନ୍ତି ।  ନବୀନ ବାବୁ ଭୁବନେଶ୍ବରର SOS ଭିଲେଜ ଯାଇ ଯେଭଳି ଅନାଥ ପିଲାଙ୍କ ସହ ଦୀପାବଳି ପାଳିଲେ ତାହା କେବେ ଆଗରୁ ଦେଖାଯାଇନଥିଲା । ସେହିଭଳି ଭୁବନେଶ୍ବରରେ ମୁଖ୍ୟ ଶାସନ ସଚିବ, 5-ଟି ସଚିବ ଭି.କେ ପାଣ୍ଡିଆନ ସ୍ପୋର୍ଟ୍ସ ହଷ୍ଟେଲ ଯାଇ ପିଲାଙ୍କୁ ମିଠା ଖୁଆଇ ଦୀପାବଳି ପାଳନ କରିଥିଲେ । ପୁରୀରେ ଜିଲ୍ଲାପାଳ ଏବଂ ଏସ୍‌ପି ଏକାଠି ଉତ୍କଳ ବାଳାଶ୍ରମରେ ପିଲାମାନଙ୍କ ସହ ଦୀପାବଳି ପାଳିଥିଲେ । ସବୁ ଜିଲ୍ଲାରେ ବି ଜିଲ୍ଲାପାଳମାନେ ଅନାଥ ବା ଦିବ୍ୟାଙ୍ଗ ପିଲାଙ୍କ ସହ ଖୁସି ମନେଇଥିଲେ । ସମାଜରେ ଯୋଉଁମାନେ ଦୁର୍ବଳ ଏବଂ ପ୍ରତିକୁଳ ପରିସ୍ଥିତିରେ ଅଛନ୍ତି ବାବୁମାନେ ସେମାନଙ୍କୁ ଯାଇ ଭେଟିବା ତାଙ୍କ ସହ ଖୁସି ବାଣ୍ଟିବା ଭଲ କଥା । କିନ୍ତୁ ଏହା ସହ କିଛି ପ୍ରଶ୍ନ ଆସୁଛି ଯେ ଏଇଟା କେବଳ ଦୀପାବଳି ନୁହେଁ 2019 ନିର୍ବାଚନରେ ଜିତି ସରକାର ଗଠନ କରିବା ପରେ ହଠାତ ଭାବମୂର୍ତ୍ତୀ ସଜାଡ଼ି ସାଧାରଣ ଲୋକଙ୍କ ପ୍ରତିନିଧି ବୋଲି ଦେଖେଇ ହେବା ପାଇଁ ପ୍ରଚାରର ବିଭିନ୍ନ ପ୍ରକାର ତରିକାକୁ ଆପଣଉଛନ୍ତି ମାନ୍ୟବର । ଆଉ ଏଥିରେ ଏବେ ସାମିଲ ହୋଇଛନ୍ତି 5-ଟି ସଚିବ କାର୍ତ୍ତିକ ।  କାରଣ ଏହା ପୂର୍ବକୁ ଯଦି ଆମେ ଦେଖିବା ମନ୍ତ୍ରୀମାନେ ଆହର କେନ୍ଦ୍ର ଯିବା, ଅଚାନକ ମେଡିକାଲ ଗସ୍ତ କରିବା, ଟ୍ରେନରେ ସାଧାରଣ ଲୋକଙ୍କ ସହ ଯାତ୍ରା କରିବ,  5-ଟି ସଚିବ ସବୁ ଜିଲ୍ଲାର ଡାକ୍ତରଖାନାକୁ ଯିବା, ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ଫୋନରେ କଥା ହେବା ସବୁ କଥା ବହୁତ ପ୍ରଚାର ପ୍ରସାର କରାଯାଉଛି । ଏହି ପ୍ରଚାର ସିରିଜ୍‌ର ସଦ୍ୟମ ସିନ୍‌ ଥିଲା ଅନାଥ ପଲାଙ୍କ ସହ ଦୀପାବଳି ପାଳନ କରିବା । ୟାକୁ କରିବାରେ ମନା ନାହିଁ, ଇଏ ଏକ ଭଲ କଥା କିନ୍ତୁ ଏହା କେବଳ ସାଙ୍କେତିକ କାର୍ଯ୍ୟକଳାପରେ ସମୀତ ହେଲାଭଳି ଲାଗୁଛି । କାରଣ ଗୋଟିଏ କଥା ହେଲା 5-ଟି ସଚିବ କାର୍ତ୍ତିକଙ୍କର ଗତିବିଧି ଯିଏ ଦେଖିଛି ସିଏ ଜାଣିଛି ଯେ ସେ କେତେ ଲୁଚିକି ରୁହନ୍ତି । କାରଣ ଗୁଗୁଲରେ ବି କାର୍ତ୍ତିଙ୍କ ଫଟୋ ଖୋଜିଲେ ମିଳେନାହିଁ । ଆଉ ସେ କେତେ ବେଳେ ଆସନ୍ତି ଆଉ ଯାଆନ୍ତି 2ରୁ 3 ଜଣ ଲୋକଙ୍କ ଛଡ଼ା ଆଉ କେହି କୁଆ-କୋଇଲି ବି ଜାଣିପାରନ୍ତି ନାହିଁ । ବ୍ୟାକ୍‌ରୁମ୍‌ର ନହୋଇ କାର୍ତ୍ତିକ ଏବେ ଫ୍ରଣ୍ଟରୁମ୍‌ର ହୋଇଯାଇଛନ୍ତି । ଯଦି ଓଡ଼ିଶା ମୋ ପରିବାର, ବାସ୍ତବରେ ଅନାଥ ବା ଗରିବ ପିଲାମାନଙ୍କୁ ନବୀନ ବାବୁ, ଅସିତ ବାବୁ ଏବଂ ପାଣ୍ଡିଆନ ବାବୁ ଫୋକସରେ ରଖୁଛନ୍ତି ଭଲ କଥା । କିନ୍ତୁ ୟାକୁ ନେଇକି ଯେଉଁ ପ୍ରଶ୍ନ ଏବଂ ଚର୍ଚ୍ଚା ଚାଲିଛି ବିଭିନ୍ନ ଗଣମାଧ୍ୟରେ ଏବଂ ସୋସିଆଲ ମିଡିଆରେ ଯେ ନବୀନ ବାବୁଙ୍କ ସରକାର ଏକ ଆମ୍‌ ଆଦ୍‌ମୀ ସରକାର ବା ସାଧାରଣ ଲୋକଙ୍କ ସରକାର ବୋଲି ମେସେଜ ରାଜ୍ୟବାସୀଙ୍କୁ ଦେବାକୁ ଚେଷ୍ଟା କରାଯାଉଛି । କିନ୍ତୁ ବାସ୍ତବ ସ୍ଥିତି ଯଦି ଦେଖିବା ନଗଡ଼ା ସ୍ଥିତିରେ କିଛି ପରିବର୍ତ୍ତନ ଏଯାଏ ହେଲାନି । ଯାହା ପାଇଁ ପୁରା ଦେଶରେ ଓଡ଼ିଶାର ଛବି ମଳିନ ପଡ଼ିଲା ସେଠି ଆଜି ବି ଅପପୁଷ୍ଟି ଲାଗି ରହିଛି । ଓଡ଼ିଶାରେ ନବୀନ 20 ବର୍ଷ କ୍ଷମତାରେ ରହିଲେଣି, କିନ୍ତୁ ଗ୍ରାମାଞ୍ଚଳରେ 50 ପ୍ରତିଶତ ଶିଶୁ ଅପପୁଷ୍ଟିର ଶିକାର । ସେମାନଙ୍କର ସ୍ବାଭାବିକ ବିକାଶ ହେଉନାହିଁ । ସହରାଞ୍ଚଳରେ 43 % ପିଲା ଅପପୁଷ୍ଟିର ଶିକାର ହୋଇଛନ୍ତି । ରାଜ୍ୟରେ 50ରୁ 70 ଭାଗ ଅଙ୍ଗନବାଡ଼ି ପାଇଁ ଘର ନାହିଁ, ଅଙ୍ଗନବାଡ଼ିରେ ଯେଉଁ ଛତୁଆ ଦିଆଯାଉଛି ତାହା ଅତ୍ୟନ୍ତ ନିମ୍ନ ମାନର । ଏବାବଦରେ କିଛି କରାଯାଉନି । କିଛି ଦିନ ତଳେ ପାଲଲହଡ଼ାର ସିବିଡ଼ା ଶିକ୍ଷାଶ୍ରମରେ କିଭଳି ପିଲାଙ୍କୁ ଖାଦ୍ୟ ଦିଆଯାଉଥିଲା ସେ ଭିଡିଓ ସମସ୍ତେ ଦେଖିଛନ୍ତି । ଡାଲି ନାଁରେ କେବଳ ପିଲାଙ୍କୁ ହଳଦୀ ପାଣି ଦିଆଯାଉଥିଲା । ସେଠି କାହା ଉପରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଏତିରୁ ଗୋଟିଏ କଥା ଲାଗୁଛି କେବଳ ଦୀପାବଳି ଭଳି ପର୍ବରେ ଏହି ଅନାଥ ଏବଂ ଗରିବ ପିଲାମାନଙ୍କୁ ପବ୍ଲିସିଟି କ୍ୟାରିୟର ବା ପ୍ରଚାରର ବାହାକ ଭାବରେ ବ୍ୟବହାର କରାଯାଉଛି । ଏଥିରୁ ପାଣ୍ଡିଆନ ବାଦ୍‌ ପଡ଼ିନାହାନ୍ତି, ପୂର୍ବରୁ ନବୀନ ବାବୁ ଯାହା କରୁଥିଲେ ସେଥିରେ ଏବେ ପାଣ୍ଡିଆନ ସାମିଲ ହୋଇଗଲେ । ଏହା ପରେ ଅଙ୍ଗନବାଡ଼ି ତା ଜାଗାରେ, ମିଡ୍‌ଡେ ମିଲ୍ ତା ଜାଗାରେ ଆଉ ଦୀପାବଳି ତା’ ଜାଗାରେ  । ଏଭଳି ସ୍ଥିତିକୁ ନେଇ ଗାଁ ଗହଳିରେ ଏକ ଢଗ ଅଛି ଯେ ଦିନେ ନାହିଁ, କାଳେ ନାହିଁ ଗହ୍ମା ପୂନେଇଁରେ ମାମୁ-ମାଇଁ  ।

ଅନ୍ୟପଟେ ରାଜ୍ୟରେ କିମ୍ବା ଦେଶରେ ଦୀର୍ଘ ଦିନ ଧରି ଗୋଟିଏ ଦଳ ବା ସରକାର ରହିଲେ ଦେଖାଯାଏ ଯେ ଗୋଟିଏ ସରକାର ବିରୋଧୀ ବାତାବରଣ ସୃଷ୍ଟି ହୋଇଥାଏ । କାରଣ ଦୀର୍ଘ ଦିନ କ୍ଷମତା ଗାଦିରେ ରହିଲେ ଲୋକଙ୍କର ଆଶା-ଆକାଂକ୍ଷା ଆବଶ୍ୟକତା ବଢ଼ିଯାଇଥାଏ । ଯାହାକୁ ସବୁ ସମୟରେ ପୂରଣ କରିବାରେ ସଫଳ ହୋଇନଥାନ୍ତି ସରକାର । ଯେତେ ଲୁଚେଇବାକୁ ଚେଷ୍ଟା କଲେ ବି ସରକାରଙ୍କର ବହୁ ବିଫଳତା ବି ଲୋକଲୋଚନକୁ ଆସିଥାଏ । ତେଣୁ ସରକାର ବିରୋଧରେ ଏକ ବାତାବରଣ ତିଆରି ହୋଇଥାଏ । ଯାହାକୁ ଇଂରାଜୀରେ ଆମେ ଆଣ୍ଟି ଇନ୍‌କମବେନସି ବୋଲି କହିଥାଉ ।  ଏହି ଆଣ୍ଟି ଇନ୍‌କମବେନସି ଫ୍ୟାକ୍ଟରକୁ ହଟେଇବା ପାଇଁ ବା ଲୋକଙ୍କ ମନରେ ସରକାର ବିରୋଧୀ ଦାନା ବାନ୍ଧେଇ ନଦେବା ପାଇଁ ଏବେ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି ଯେ ଆମେ ଲୋକଙ୍କ ସହ ଅଛୁ । ଏଥିପାଇଁ ନବୀନ ବାବୁ ଏବେ ସବୁଠୁ ପୁରୁଣା ଓ ପରିକ୍ଷିତ୍ ଫର୍ମୁଲା ବ୍ୟବହାର କରୁଛନ୍ତି । ରାଜା ହୋଇ ମଧ୍ୟ ଆମେ ଲୋକଙ୍କ ପାଖକୁ ଯାଉଛୁ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ନବୀନବାବୁ କ୍ଷମତାକୁ ଆସିବା ପରେ ପ୍ରଶାସନିକ ସଂସ୍କାର ନାଁରେ 2001 ମସିହାରେ ଯେତେବେଳେ ଡି.ପି ବାଗ୍‌ଚୀ ମୁଖ୍ୟ ଶାସନ ସଚିବ ଥିଲେ ସେବେଠାରୁ ଆଜି ଯାଏ ଯେତେ ମୁଖ୍ୟ ଶାସନ ସଚିବ ବଦଳିଛନ୍ତି ଯେମିତିକି ତରୁଣକାନ୍ତି ମିଶ୍ର, ବିଜୟ ପଟ୍ଟନାୟକଠାରୁ ଆରମ୍ଭ କରି ଆଦିତ୍ୟ ପାଢ଼ୀଙ୍କ ଯାଏ ବାରମ୍ବାର ବିଭିନ୍ନ ସମୟରେ ନବୀନ ବାବୁଙ୍କ ପକ୍ଷରୁ ଘୋଷଣା କରାଯାଉଛି ଯେ ପ୍ରତ୍ୟେକ ସଚିବ ସବୁ ମାସରେ ଅତନ୍ତ ପକ୍ଷେ ଥରୁଟିଏ ଗାଁକୁ ଯିବେ ଏବଂ ଲୋକଙ୍କ ସହ ରାତି ବିତେଇବେ । ଯେଉଁ ନିଷ୍ପତ୍ତିକୁ ସରକାରୀ ବିଜ୍ଞପ୍ତି ଜରିଆରେ ସରକାର ନିଜେ ପ୍ରକାଶ କରିଥିଲେ ତାହା ଏଯାଏ କାର୍ଯ୍ୟକାରୀ ହେଲା ନାହିଁ । ଅର୍ଥାତ ସରକାର ନିଜ ନିର୍ଦ୍ଦେଶକ ପାଳନ କରି ସଚିବଙ୍କୁ ଗୋଟିଏ ରାତି ରଖେଇ ପାରୁନାହାନ୍ତି ଗାଁରେ କିନ୍ତୁ ଦୀପାବଳିରେ ଅନାଥ ପିଲାଙ୍କୁ ଫୁଏଝରି ଆଉ ମିଠା ଧରେଇ ବୁଲୁଛନ୍ତି । ଦୀପାବଳି ଏବଂ ପୂଜା ବେଳେ କେବଳ ଖୋଜା ହେଲା ଯେ ଅନାଥାଶ୍ରମ ଏବଂ ବାଳାଶ୍ରମ କେଉଁଠି ଅଛି । ଏଥିରୁ ଜଣାପଡ଼ୁଛି ନବୀନ ବାବୁ କେବଳ କସ୍‌ମେଟିକ୍‌ ସର୍ଜରୀ କରୁଛନ୍ତି । ପୁଣି ଦେଖା ଏବଂ ଅପେକ୍ଷା ଆର ଦୀପାବଳୀକୁ । ଯେହେତୁ ନବୀନବାବୁ କୋଳରେ ଏବେ ଏକାଧିକ ପ୍ରମୁଖ ମିଡିଆ ବସିଛନ୍ତି । ତେଣୁ ଲୋକଙ୍କ ସମସ୍ୟା, ସରକାରଙ୍କ ତ୍ରୁଟିକୁ ପ୍ରସାରିତ କରାନଯାଇ ଏବେ ଏଭଳି ଖବର ପ୍ରସାରଣ କରାଯାଉଛି ଯେ ନବୀନ ବାବୁଙ୍କ ସରକାର ପୁରା ଆମ୍‌ ଆଦ୍‌ମୀ ସରକାର ।

Related Posts