ମେନେଜ କରିବା ଶିଖନ୍ତୁ, ମାନ୍ୟବର ବନନ୍ତୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଦୀର୍ଘ ୨୨ ବର୍ଷର ରାଜନୈତିକ କ୍ୟାରିୟରରେ କେବେବି ପରାଜୟ ଦେଖି ନଥିବା ନେତା ହେଉଛନ୍ତି ନବୀନ। କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ଏବଂ ଲଗାତାର ୫ ଥର ମୁଖ୍ୟମନ୍ତ୍ରୀ । ଏଭଳି ବିରଳ ରାଜନୈତିକ ସଫଳତାର ରେକର୍ଡଧାରୀ ନେତା ଭାବରେ ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ ଚାମଲିଙ୍ଗ ଓ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ନାମ ପରେ ଭାରତରେ ତୃତୀୟ ବ୍ୟକ୍ତି ହେଉଛନ୍ତି ନବୀନ ପଟ୍ଟନାୟକ।

ରାଜନୀତି ବିଜ୍ଞାନର ନୂଆ ଥିଓରୀ

ରାଜନୀତି ବିଜ୍ଞାନରେ ଏହି ନୂଆ ଥିଓରୀକୁ ଅନେକ ଆଜିକାଲି ନବୀନ ଥିଓରି ବୋଲି କହିବା ଆରମ୍ଭ କଲେଣି । ରାଜନୈତିକ ସମିକ୍ଷକମାନେ ମଧ୍ୟ ବୁଝି ପାରୁନାହାନ୍ତି ନବୀନଙ୍କ ଏହି ଅପରାଜେୟତା ପଛର କାରଣ କ’ଣ ? ସବୁଠାରୁ ବଡକଥା ହେଲା ଖୁବ୍ କମ୍ କଥା କହୁଥିବା ନବୀନ କେଉଁ ନିର୍ଦ୍ଦିଷ୍ଟ କୌଶଳ ଆଧାରରେ ନିଜର ଲୋକପ୍ରିୟତା ବଢେଇ ଚାଲିଛନ୍ତି ସେ ସମ୍ପର୍କରେ ମଧ୍ୟ ଗବେଷଣା ଆରମ୍ଭ କଲେଣି । ଗୋଟିଏ ଆଞ୍ଚଳିକ ଦଳ ଦୁଇ ଦୁଇଟି ଜାତୀୟ ଦଳକୁ ଦୁଇ ଦଶନ୍ଧି ଧରି କ୍ଷମତାରୁ ଦୁରେଇ ରଖିଥିବାରୁ ସମସ୍ତଙ୍କ ମନରେ ଏଭଳି ଏକ ପ୍ରଶ୍ନ ଉଠିବା ସ୍ବାଭାବିକ। ଏହାକୁ ନେଇ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ବହୁ ସଂଗଠନ ରହସ୍ୟ ଖୋଜିବା ଆରମ୍ଭ କରିଦେଲେଣି ।

ସୂତ୍ର ହେଲା ନିଜର ରାଜନୈତିକ ବିରୋଧୀ ବିଶେଷ ଭାବରେ ବିରୋଧୀ ଦଳର ପ୍ରଭାବୀ ନେତାଙ୍କୁ ଠିକଣା ସମୟରେ ମେନେଜ୍ କରିବା । ତାଛଡା ସର୍ବସାଧାରଣରେ ନିଜକୁ ଅତି ସାଧାରଣ ଓ ରାଜନୀତିରେ ନିର୍ବୋଧ ବୋଲି ପ୍ରୋଜେକ୍ଟ କରିବା ।

ରାଜନୈତିକ ଏବଂ ବ୍ୟକ୍ତି ଗତ ନିଷ୍ପତ୍ତିକୁ ଅତ୍ୟନ୍ତ ଗୋପନୀୟ ରଖିବା

ଏ ତଥ୍ୟ ଉନ୍ମୋଚନ ପାଇଁ ପ୍ରୟାସ କରିବା ପୂର୍ବରୁ ଆମେ ଯଦି ନବୀନଙ୍କ ରାଜନୀତିରେ ପ୍ରବେଶ ସମୟକୁ ଅନୁଧ୍ୟାନ କରିବା ତା’ହେଲେ ଦେଖାଯାଏ ସେତବେଳର ନବୀନ ଆଜିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲେ । ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଆସିକା ସଂସଦୀୟ କ୍ଷେତ୍ରରୁ ଉପନିର୍ବାଚନରେ ବିଜୟୀ ହୋଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହେବା ସମୟର ନବୀନ ବାବୁ ଆଉ ଆଜି ୨୦୨୦ ମସିହାର ନବୀନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଆକାଶ ପାତାଳର ଫରକ । ତତ୍କାଳୀନ ସମୟର ବିଶିଷ୍ଠ ସାମ୍ବାଦିକ କରନ ଥାପ୍ପରଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାରକୁ ଯିଏ ଦେଖିବ ସେ ସହଜେ ବୁଝିପାରିବ ନବୀନଙ୍କ ଗଣମାଧ୍ୟମକୁ ସାମ୍ନା କରିବାର ଦକ୍ଷତା ଆଉ ଯୋଗ୍ୟତା ସମ୍ପର୍କରେ । ଯେଉଁ କରନ ଥାପ୍ପରଙ୍କୁ ଏକଦା ଗୁଜୁରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ୮ ମିନିଟ୍ ସାମ୍ନା କରିବା ପରେ ପ୍ରଶ୍ନବାଣକୁ ସାମ୍ନା କରିନପାରି ଉଠି ଚାଲି ଯାଇଥିଲେ ସେହି କରନ ଥାପ୍ପରଙ୍କୁ କିନ୍ତୁ ସେତବେଳେ ନବୀନ ୩୦ମି ଧରି ସ୍ବାଭାବିକ ଢଙ୍ଗରେ ସାମ୍ନା କରିଥିଲେ । ଆଜି ସମସ୍ତଙ୍କ ମଧ୍ୟରେ ଗୋଟିଏ ଧାରଣା ଯେ ନବୀନ ବାବୁ ଗଣମାଧ୍ୟକୁ ସାମ୍ନା କରିବାକୁ ସହଜ ମନେ କରୁନଥିବାରୁ ମାପିଚୁପି କଥା ହୁଅନ୍ତି ବା ଯେତିକି ଦରକାର ସେତିକି କହନ୍ତି । ଅସଲ୍ କଥା ହେଲା ଅତ୍ୟନ୍ତ ଗୋପନୀୟ ଚରିତ୍ର ।

ନବୀନଙ୍କ ମେନେଜ ଥିଓରୀ

କିନ୍ତୁ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ଏକଥା ନବୀନଙ୍କ ରାଜନୈତିକ ଥିଓରୀକୁ ଅନୁଧ୍ୟାନ କଲେ ସହଜେ ବୁଝିହୁଏ । ନବୀନଙ୍କ ଥିଓରୀ ହେଲା ଲୋକଙ୍କ ପାଇଁ କିଛି କରନାହିଁ ବରଂ ଯେତେ ପାରୁଛ ବିରୋଧୀଙ୍କୁ କିପରି ମ୍ୟାନେଜ କରାଯାଇ ପାରିବ ସେଥିପାଇଁ ଚେଷ୍ଠା କର । ରାଜନୀତିକୁ ନୂଆ ନୂଆ ଆସିବା ପରେ ପ୍ରଥମେ ସହଯୋଗୀ ଆଉ ବିରୋଧୀଙ୍କ ମନସ୍ତତ୍ବକୁ ପଢିବାକୁ ଚେଷ୍ଟା କଲେ ।  ବିଜେଡିର ପ୍ରତିଷ୍ଠାତା ସଦସ୍ୟ ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ପଞ୍ଚାନନ କାନୁନଗୋଙ୍କ ପରି ନେତାମାନଙ୍କୁ ଜଣକ ପରେ ଜଣକୁ ପାଖରୁ ହଟାଇବାରେ ସଫଳ ହେଲେ । ନିଜର ପାରିବା ପଣିଆକୁ ଲୁଚାଇ ଆଉ କାହା ବଳରେ ବା ବୁଦ୍ଧିରେ ଏ ସମସ୍ତ ହେଉଥିବାର ଏକ ମଧୁର ବାର୍ତ୍ତା ବାହାରକୁ ଦେବାକୁ ଚେଷ୍ଟା କଲେ । ନବୀନ ଜଣେ ଧୁର୍ତ୍ତ, ଚତୁର ବା ପରାକ୍ରମୀ ରାଜନେତାର ପରିଚୟ ସୃଷ୍ଠି କରିବା ପରିବର୍ତ୍ତେ ଜଣେ ସାଧାସିଧା, ଓଡିଆ ବୁଝିପାରୁନଥିବା ସ୍ବାଭାବିକ ନେତାର ପରିଚୟ ସୃଷ୍ଟି କରିବାରେ ଲାଗି ପଡ଼ିଲେ ।
ଏଭଳି ସମୟରେ ସେ ନିଜ ପାଖରେ ଛାଇ ସଦୃଶ ଜଣେ ଜଣେ ଏଭଳି ବ୍ୟକ୍ତିଙ୍କୁ ଠିଆ କରାଇଲେ ଯାହାକୁ ଦେଖି ସାଧାରଣରେ ଏକ ଭ୍ରମ ସୃଷ୍ଠି ହେଲା ଯେ ଯାହା କିଛି ହେଉଛି ବା ସେ କରୁଛନ୍ତି ସବୁ ସେହି ବ୍ୟକ୍ତିଙ୍କ ନିଷ୍ପତ୍ତି ବା ତାଙ୍କ ଇଶାରାରେ । ତତ୍କାଳୀନ ପ୍ରଶାସକ ବେଣୁଧର ମିଶ୍ର, ଯୁଗଳ ପଟ୍ଟନାୟକ, ପ୍ୟାରୀମୋହନ ମହାପାତ୍ରଙ୍କଠାରୁ ପାଣ୍ଡିୟାନଙ୍କ ପର୍ଯ୍ୟନ୍ତ ସବୁ ସେହି ଧାରା ବଜାୟ ରଖିବାରେ ସକ୍ଷମ ହୋଇଛନ୍ତି । ବକ୍ସିଂ କୋର୍ଟରେ ବକ୍ସର ମନର ରାଗ ସୁଝାଇବାକୁ ଯାଇ ଯେପରି ପ୍ରତିପକ୍ଷ ବଦଳରେ ବକ୍ସିଂ ବ୍ୟାଗ ଉପରେ ଆକ୍ରମଣ କରିଚାଲେ ଠିକ୍ ସେହିପରି ନବୀନଙ୍କ ପ୍ରତିପକ୍ଷମାନେ ତାହାହିଁ କରିଚାଲିଲେ ।

ଆଉ ଏକ ଦୃଷ୍ଟିକୋଣରୁ ଦେଖିଲେ ନବୀନ ବାବୁ ହେଉଛନ୍ତି ଜଣେ Perpetual Minor, ଠିକ୍ ମହାପ୍ରଭୁ ଜଗନ୍ନାଥଙ୍କ ପରି । ଜଗନ୍ନାଥ ମନ୍ଦିର ସତ୍ତ୍ବଲିପିରେ ଯେପରି ଉଲ୍ଲେଖ ଅଛିକି ଜଗନ୍ନାଥ ମହାପ୍ରଭୁ ଏ ବିଶ୍ବ ବ୍ରହ୍ମାଣ୍ଡର ମାଲିକ ହୋଇଥିଲେବି ସେ କିନ୍ତୁ ନିଜେ ଜଣେ ନାବାଳକ। । ସେଥିପାଇଁ ଶ୍ରୀ ମନ୍ଦିରର କାର୍ଯ୍ୟ ଓ ରୀତିନୀତି ଦେଖାଶୁଣା ପାଇଁ ମୁଖ୍ୟ ପ୍ରଶାସକ ନିଯୁକ୍ତ କରାଯାଇଛି । ଠିକ୍ ସେହିପରି ନବୀନ ବାବୁ ତାଙ୍କର ସବୁ ପାଇଁ କାହାରି ନା କାହାରି ଉପରେ ନିର୍ଭରଶୀଳ ଏ କଥା ତାଙ୍କର ଦୈନନ୍ଦିନ ରାଜନୈତିକ ଜୀବନଚର୍ଯ୍ୟାରୁ ବୁଝିହୁଏ । ସବୁ ନିଷ୍ପତ୍ତି ସେ ନେଉଥିଲେ ହେଁ କାର୍ଯ୍ୟ କରିବାର ଶୈଳୀ ଆଉ ବ୍ୟବସ୍ଥା ଯେପରି ବୁଝାଇ ଦିଏ  ଯେ ସେ ହିଁ କିଛି କରୁନାହାନ୍ତି । ଫଳରେ ଶ୍ରେୟର ଦାବିଦାର ସେ ହେଉଥିବା ବେଳେ ସବୁ ଅସନ୍ତୋଷ ଆଉ ଅଶାନ୍ତିର କାରଣ ତାଙ୍କ ପାଖରେ ଥିବା ଚଳନ୍ତି ପ୍ରତିମାମାନଙ୍କ ମୁଣ୍ଡକୁ ଯାଇଥାଏ ।

କେମିତି ପାଇବେ ନବୀନଙ୍କ ଭଳି ସଫଳତା ?

ତାଙ୍କ ଅପରାଜେୟତା ପଛର ସବୁଠାରୁ ବଡ ରହସ୍ୟ ହେଲା ବିରୋଧୀଙ୍କୁ ମ୍ୟାନେଜ୍ କରିବା । ସେ ନିଜ ଦଳର ହେଉ ବା ବିରୋଧୀ ଶିବିରର, କ୍ଷମତା ରାଜନୀତିର ସବୁଠାରୁ ଗୁଡ଼ ରହସ୍ୟକୁ ଭେଦ କରିଥିବା ନବୀନ ବାବୁ ଯେନତେନ ପ୍ରକାରରେ ବିରୋଧୀକୁ ମ୍ୟାନେଜ କରିବାରେ ସାମାନ୍ୟ ହେଳା କରନ୍ତି ନାହିଁ । ଏହାର ଅନେକ ନଜିର ମଧ୍ୟରୁ ଯେଉଁ କେତୋଟି ସମସ୍ତଙ୍କ ଆଖି ନଜରରେ ତାହା ଉପସ୍ଥାପନ କରୁଛୁ ।

କିଛି ବର୍ଷ ପୂର୍ବେ ବିରୋଧୀଦଳ ନେତା ଭୁପିନ୍ଦର ସିଂହ ଯାହାଙ୍କର ଅକାଟ୍ୟ ଯୁକ୍ତି ଆଉ ତଥ୍ୟପୂର୍ଣ୍ଣ ଉପସ୍ଥାପନା ନବୀନ ବାବୁଙ୍କୁ ଗୋଟିଏ ସମୟରେ ଭାରି ଅଡୁଆରେ ପକାଇଥିଲା । ଶେଷରେ ଦେଖାଗଲା ତାଙ୍କୁ କ୍ଷମତାର ଲୋଭ ଦେଖାଇ ନିଜ ପାଖକୁ ଆଣିବାରେ ସକ୍ଷମ ହେଲେ । ପଶ୍ଚିମ ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ତଥା କଂଗ୍ରସର ବିତ୍ତଶାଳୀ ନେତାଙ୍କ ମଧ୍ୟରୁ ଆଉ ଜଣେ ସେ ହେଲେ ଝାରସୁଗୁଡାର ନବ ଦାସ । ଗତ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ଦଳ ଝଟକା ଖାଇବା ପରେ ନବୀନ ବାବୁଙ୍କ ପାଇଁ ନବ ଅପରିହାର୍ଯ୍ୟ ହୋଇପଡିଲେ । ଶେଷରେ ଦେଖାଗଲା ପଶ୍ଚିମ ଓଡିଶାରେ ଦଳକୁ ପୁନର୍ଵାର ଠିଆ କରାଇବାରେ ଏହି ମ୍ୟାନେଜ୍ଡ ନେତାମାନେ କାମରେ ଲଗିଲେ ।

ଠିକ୍ ସେହିପରି ଦକ୍ଷିଣରେ ଚନ୍ଦ୍ରଶେଖର ସାହୁ ଏବଂ ବିକ୍ରମ ପଣ୍ଡାଙ୍କ ପରି କଂଗ୍ରେସର ହେଭି ଓ୍ବେଟନେତାଙ୍କୁ ମ୍ୟାନେଜ କରି ନିଜ ପାଖକୁ ଆଣିବାରେ ସକ୍ଷମ ହେଲେ । ଚନ୍ଦ୍ରଶେଖରଙ୍କ ରାଜନୈତିକ ଉତ୍ଥାନ ବିଜେପିକୁ ସହାୟକ ହେବା ଆଶଙ୍କାରେ ନିଜ ପାଖକୁ ଆଣିଆସିଲେ ।

ଉପକୂଳର ନେତା ତଥା ଗଣମାଧ୍ୟମର ଅନ୍ୟତମ ଅଗ୍ରଣୀ ଭାବରେ ପରିଚିତ ଦୈନିକ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଦିନେ ଯିଏ ନବୀନ ବାବୁଙ୍କ ସବୁଠାରୁ ବଡ ବିପଦ ଥିଲେ ସେବି ମ୍ୟାନେଜ୍ଡ ହେଲେ । ଏମିତି କୋଉ କଥା ନାହିଁ ଯାହା ସୌମ୍ୟବାବୁ ନବୀନଙ୍କୁ କହିନଥିଲେ ଅଥଚ ଗୋଟିଏ ଗୁଳିରେ ଦୁଇ ଦୁଇଟି ଶିକାର କରିବାକୁ ଯାଇ ନବୀନ ପଟ୍ଟନାୟକ ସୌମ୍ୟଙ୍କୁ ମଧ୍ୟ କ୍ଷମତାର ମୁଆଁ ଦେଖାଇ ବଶ କଲେ । ପ୍ରଥମେ ରାଜ୍ୟସାଭା ଆଉ ତା’ପରେ ବିଧାନସଭାର ସଦସ୍ୟ କରାଇବା ସହ କୋଟି କୋଟି ଟଙ୍କାର ବିଜ୍ଞାପନ ଦେଇଚାଲିଲେ । ଦିନ ଆସିଲା ଯିଏ ଦିନେ ସବୁଠାରୁ ବିପଦ ଥିଲା ସେ ସହଯୋଗୀ ବନ୍ଧୁ ପାଲଟିଗଲା । ଏପରିକି ବର୍ତ୍ତମାନର ବଡ ଢାଲ ହୋଇ ସରକାରଙ୍କୁ ଘଣ୍ଟ ଘୋଡାଇ ରଖିବାରେ ସାହାଯ୍ୟ କରିଚାଲିଲେ । ଛୋଟିଆ ଉଦାହରଣ ଭାବରେ ନିକଟରେ ଦିଗବିଜୟ ସିଂହଙ୍କ ଓଡିଶା ଶାସନ ସମ୍ପର୍କରେ ଦେଇଥିବା କଡ୍ଡା ଟିପ୍ପଣୀକୁ କିନ୍ତୁ ସମ୍ବାଦ ତା ପୃଷ୍ଠାରେ ସ୍ଥାନ ଦେଲାନାହିଁ । ଏଥିରୁ ବୁଝା ପଡୁଛି  ନବୀନଙ୍କ କୌଶଳର ପରାକାଷ୍ଠା କେତେ ।

ଶତ୍ରୁ ସହ ସମ୍ମୁଖ ଯୁଦ୍ଧକରି କ୍ଷତାକ୍ତ ହେବା ଅପେକ୍ଷା ଏକ ସହଜ ରାସ୍ତାରେ ଯଦି ଶତ୍ରୃକୁ କରାୟତ କରିବା ସହିତ ବ୍ୟାପକ ଧନ ସମ୍ପତ୍ତି ସୁରକ୍ଷିତ ରଖା ଯାଇପାରିଲା ତା’ହେଲେ ସେଥିରେ କ୍ଷତି କ’ଣ ? ସୌମ୍ୟଙ୍କୁ ମ୍ୟାନେଜ କରିବା ବାଟ ଦେଇ ପରୋକ୍ଷରେ କଂଗ୍ରେସକୁ ମଧ୍ୟ ମ୍ୟାନେଜ କରିବାରେ ନବୀନ ସଫଳ ହୋଇଛନ୍ତି ।

ଗୋଟିଏ ସମୟରେ ପିସିସିରୁ ବାଦ ପଡିଥିବା ଜୟଦେବ ଜେନା ଓ ନିରଞ୍ଜନ ପଟ୍ଟନାୟକ କହିଥିଲେ ଆମ ପରିବର୍ତ୍ତନ ପଛରେ ନବୀନ ବାବୁ । ଏକଥା ବୁଝାଉଛି ସତରେ ନବୀନ ବାବୁ କେତେ ପାରଙ୍ଗମ ବିରୋଧୀଙ୍କୁ ମ୍ୟାନେଜ କରିବାରେ ।  ବିରୋଧୀଙ୍କ ନଜରରେ କିଛି ଜାଣି ନଥିବା କିଛି ବୁଝି ନଥିବା ଲେଖା ଦେଖି ପଢିବାର ଯେଉଁ ଚିତ୍ର ନବୀନଙ୍କୁ ନେଇ ଅଛି ତାହା ତାଙ୍କୁ କ୍ଷମତା ଦୌଡ଼ରେ ବିଜେତା ହେବାରେ ବାରମ୍ବାର ସାହାର୍ଯ୍ୟ କରୁଛି ।

ତାଙ୍କର ଏହି ଦୈତ ଚରିତ୍ର ଆଉ କ୍ଷମତାର ଗର୍ଭଗୃହରେ ଥିବା ପଣ୍ଡା ପଢିହାରୀଙ୍କ ସମ୍ପର୍କରେ ମତଦେଇ ପ୍ରଫୁଲ୍ଲ, ଦାମ, ବୈଜୟନ୍ତ ବିଜୟଙ୍କ ପରି ଅନେକ ଭେଟେରାନଙ୍କୁ ଅନେକ ମୂଲ୍ୟ ଦେବାକୁ ପଡ଼ିଛି । ଆବଶ୍ୟକ ପଡ଼ିଲେ ସୁବଳଙ୍କ ଜୁଇରୁ ନିଆଁ ନଲିଭୁଣୁ ରୀତାଙ୍କୁ ଦଳରେ ସାମିଲ କରାଇବା ହେଉ ବା ଶେଷ ମୂହୁର୍ତ୍ତରେ ବିଜେପିର ଟିକେଟ ଫେରାଇବା ପାଇଁ ମଜବୁର କରେଇ କାକଟପୁର ଓ ଆନନ୍ଦପୁର ଆଶାୟୀ ପ୍ରାର୍ଥୀଙ୍କୁ ଦଳକୁ ଆଣିବା ସବୁ ଏହି ନୂଆ ଥିଓରୀର ଅଂଶବିଶେଷ ।

ଦେବାଶିଷ ନାୟକ, ବିଜୟ ପଟ୍ଟନାୟକ, ପ୍ୟାରୀ ମହାପାତ୍ରଙ୍କ ପରେ ପାଣ୍ଡିୟାନଙ୍କ ପର୍ଯ୍ୟନ୍ତ ଚାଲି ଚଳନ୍ତି ପ୍ରତିମା ଫର୍ମୁଲା ପଛର ମୂଳ ରହସ୍ୟ ହେଲା ସାଧାରଣରେ ଏକ ଭିନ୍ନ ଭାବନା ସୃଷ୍ଟି କରାଇବା । ‘କରି କରାଉଥାଇ ମୁହିଁ-ମୋ ବିନୁ ଆଉ କେହି ନାହିଁ’ ନ୍ୟାୟରେ ଚାଲିଥିବା ଶାସନର ମୂଳ  ତତ୍ତ୍ବଟି ହେଲା ନବୀନ ଥିଓରି । ସବୁ ମୁଁ କରୁଛି ହେଲେ ଲୋକଙ୍କ ଭାବନାରେ ଅନ୍ୟ ଦ୍ବାରା ହେଉଛି ଏହାହିଁ ଏହି ଥିଓରୀର ମୂଳ ଉଦ୍ଦେଶ୍ୟ ।

Related Posts