ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ, ନବୀନଙ୍କ ଆଉ ଏକ ସ୍ମାର୍ଟ ମୁଭ୍‌

ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ । ଏବେ ନବୀନଙ୍କର ଏହି ନୂଆ ମୁଭ୍‌କୁ ନେଇ ଚର୍ଚ୍ଚା । ପ୍ରଥମେ ରାଜ୍ୟ କ୍ୟାବିନେଟ୍‌ରେ ଏ ନେଇ ପ୍ରସ୍ତାବ ଗୃହୀତ ହେବା ପରେ ବିଧାନସଭାରେ ମଧ୍ୟ ସଂକଳ୍ପ ପାରିତ ହେଲା । ଏବେ ଦଳ ଭିତ୍ତିରେ ଏହି ବିଲ୍ ପ୍ରତି ସମର୍ଥନ ଯୋଗାଡ଼ ପାଇଁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ମହିଳା ବିଲ୍‌ ପାସ ନେଇ ସମର୍ଥନ ହାତେଇବାକୁ ବିଜୁ ଜନତା ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ବିଜେଡି ପ୍ରତିନିଧି ମଣ୍ଡଳୀ ୨୨ ରାଜନୈତିକ ଦଳକୁ ଭେଟିବେ ।

ବିଜେଡି ପ୍ରତିନିଧି ମଣ୍ଡଳୀ ୭ ଜାତୀୟ ଦଳ ଓ ୧୫ ଆଞ୍ଚଳିକ ଦଳର ସମର୍ଥନ ପାଇଁ ଉଦ୍ୟମ କରିଛି । ତିନି ଜଣ ସାଂସଦ ଓ ଜଣେ ବିଧାୟକ ବିଜେପି ନେତାଙ୍କୁ ଭେଟିବେ । ସେହିପରି ୩ ଜଣ ସାଂସଦ ଓ ଜଣେ ବିଧାୟକ କଂଗ୍ରେସ ନେତାଙ୍କୁ ଭେଟିବେ। ପୂର୍ବରୁ ମହିଳା ବିଲ ପାରିତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ ।

ସାରା ଦେଶରେ ଏବେ ଧର୍ମ ଓ ଜାତିକୁ ନେଇ ଆରୋପ ପ୍ରତ୍ୟାରୋପ, ରାମମନ୍ଦିର, ଭିଡ଼ ହିଂସା ଆଦି ପ୍ରସଙ୍ଗକୁ ନେଇ ରାଜନୈତିକ ତର୍କ ବିତର୍କ ଚାଲିଥିବାବେଳେ ସମ୍ପୂର୍ଣ୍ଣ ଭାବେ ଏକ ଭିନ୍ନ ଗ୍ୟାଲେରୀରେ ସ୍କୋର କରିବାକୁ ଉଦ୍ୟମ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2019ର ମହାଲଢ଼େଇ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଥିବାବେଳେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗ ଉଠାଇ ନବୀନ ପୁଣି ଥରେ ପ୍ରମାଣିତ କରିଛନ୍ତି କାହିଁକି ସେ ଦୀର୍ଘ ପ୍ରାୟ ଦୁଇ ଦଶନ୍ଧି ଧରି ଓଡ଼ିଶାରେ ଅପ୍ରତିଦ୍ବନ୍ଦ୍ବୀ ଓ ଅପାରଜେୟ ହୋଇ ରହିଛନ୍ତି ।

ରାଜନୈତିକ ବିଶ୍ଲେଷକମାନେ ଏହାକୁ ନବୀନଙ୍କ ସବୁଠାରୁ ସ୍ମାର୍ଟ ମୁଭ୍‌ କହୁଥିବାବେଳେ ବିରୋଧୀଙ୍କୁ ଏକ ପ୍ରକାର ଅସ୍ତ୍ରହୀନ କରିଦେଇଛନ୍ତି ବିଜେଡି ସୁପ୍ରିମୋ । ମହିଳାଙ୍କ ପାଇଁ 33 ପ୍ରତିଶତ ସ୍ଥାନ ସଂରକ୍ଷଣ ଅର୍ଥାତ୍‌ ସେହି 50 ପ୍ରତିଶତ ଭୋଟ୍‌ ବ୍ୟାଙ୍କ ଉପରେ ନଜର ।

ଗତ ଗୋଟିଏ ଦଶକର ନବୀନ ଓ ବିଜୁ ଜନତା ଦଳର ପଲିଟିକାଲ୍‌ ମୁଭମେଣ୍ଟ ଓ ସଫଳତାର ସୂତ୍ର ସେହି ମହିଳା ଭୋଟରଙ୍କ ଭିତରେ ରହିଛି ଯେଉଁମାନଙ୍କ ସଂଖ୍ୟା ପ୍ରାୟ 50 ପ୍ରତିଶତ । ମିଶନ ଶକ୍ତି, ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଦୀର୍ଘ ସମୟ ଧରି ଗ୍ରାମାଞ୍ଚଳରେ ମହିଳା କ୍ୟାଡର ସୃଷ୍ଟି କରିବାରେ ସଫଳ ହୋଇଛି ବିଜେଡି ।

ଏବେ ବିଧାନସଭା ଓ ସଂସଦରେ ମହିଳାଙ୍କ ସ୍ଥାନ ସଂରକ୍ଷଣ ପ୍ରସ୍ତାବ ବିଜେଡିର ମହିଳା ଭୋଟବ୍ୟାଙ୍କକୁ ଆହୁରି ମଜବୁତ୍‌ କରିପାରେ । ଅନ୍ୟପଟେ ଜାତୀୟ ସ୍ତରରେ ମଧ୍ୟ ନବୀନଙ୍କ ଭାବମୂର୍ତ୍ତି ଚମକାଇବାରେ ମଧ୍ୟ ବଡ଼ ଭୂମିକା ତୁଲାଇପାରେ । ସବୁବେଳେ ବିରୋଧୀଙ୍କୁ ଚକ୍‌ମା ଦେଇଆସିଥିବା ନବୀନ ଓ ତାଙ୍କ ଦଳ ବିଜେଡି ପାଇଁ ଏହା 2019ର ଗେମ୍‌ ଚେଞ୍ଜର ପ୍ରମାଣିତ ହୋଇପାରେ ।

କିନ୍ତୁ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ପ୍ରସଙ୍ଗ ନେଇ ନବୀନ ଓ ବିଜେଡିର କାର୍ଯ୍ୟଧାରା ଓ ପ୍ରକୃତ ଉଦ୍ଦେଶ୍ୟ ନେଇ କେତେକ ପ୍ରଶ୍ନ ଉଠିବା ସ୍ବାଭାବିକ । ଶାସନ କଳ ଓ ଶାସକ ଦଳରେ ଦୁଇଟିଯାକ ମୁଖ୍ୟ ପଦବୀ ରହିଛି ନବୀନଙ୍କ ପାଖରେ । ଦୀର୍ଘ 18 ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି ନବୀନ । ପୁଣି ସେ ହିଁ ହେଉଛନ୍ତି ବିଜୁ ଜନତା ଦଳର ସଭାପତି ।

ମହିଳା ସଶକ୍ତିକରଣ ପାଇଁ ପ୍ରକୃତରେ ଆନ୍ତରିକତା ଥିଲେ, ଏଥିରୁ କୌଣସି ଗୋଟିଏ ପଦବୀରେ କାହିଁକି ଜଣେ ମହିଳାଙ୍କୁ ବସାଇବା କଥା ଚିନ୍ତା କରିନାହାନ୍ତି ବିଜେଡି ଓ ନବୀନ ପଟ୍ଟନାୟକ ? ପୂର୍ବରୁ ଓଡ଼ିଶାରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦବୀରେ ମଧ୍ୟ ମହିଳା ଆସୀନ ହୋଇଛନ୍ତି । ଏମିତିରେ ମୁଖ୍ୟମନ୍ତ୍ରୀ ନ ହେଲେ ନାହିଁ, ଅତି କମ୍‌ରେ ଦଳର ମୁଖ୍ୟ ପଦବୀରେ ଜଣେ ମହିଳାଙ୍କୁ ବସାଇଲେ ବିଜେଡି ଓ ନବୀନ ମହିଳା ସଶକ୍ତିକରଣର ନାରାକୁ ଅଧିକ ଦୃଢ଼ତାର ସହ ଉଠାଇପାରନ୍ତେ ।

Related Posts