ଅଚଳହେବ ନିଳାଚଳ !

ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍‍କୁ ବଞ୍ଚାଇ ରଖିବା ଲାଗି କାରଖାନା ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି । ଏହି ଇସ୍ପାତ କାରଖାନାକୁ ଚଳାଇ ରଖିବା ଲାଗି ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ରାଷ୍ଟ୍ରାୟାତ୍ତ ସଂସ୍ଥାର ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି ।ଏନ୍‍ଆଇଏନ୍‍ଏଲ୍‍ ପରିଚାଳନା ମଣ୍ଡଳୀ ପକ୍ଷରୁ ରାଜ୍ୟ ସରକାରଙ୍କୁ ସ୍ୱଳ୍ପ ମିଆଦି ଋଣ ସହିତ କାରଖାନାକୁ ଲୁହାପଥର ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି ।

ଏହି କାରଖାନା ଉପରେ ୧୦ ହଜାର ଲୋକଙ୍କର ଜୀବନ ଜୀବିକା ନିର୍ଭର କରୁଛି । କଳିଙ୍ଗନଗରଠାରେ ଥିବା ଏହି ଇସ୍ପାତ କାରଖାନା ଅଂଶଧନ ବିବାଦ ଯୋଗୁ ଗୁରୁତର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ଜୁଲାଇ ଶେଷ ସପ୍ତାହରୁ ଏହାର ବ୍ଲାଷ୍ଟ ଫର୍ଣ୍ଣେସ୍‍ ବନ୍ଦ ରହିଛି । କୋକ୍‍ ଓଭେନ୍‍ ଓ ତାପଜ କେନ୍ଦ୍ର କୌଣସି ପ୍ରକାରେ ଚାଲୁ ରହିଛି । କୋକ୍‍ ଓଭେନ୍‍ର ୪୦ ପ୍ରତିଶତ କ୍ଷମତା ବିନିଯୋଗ ହେଉଥିବା ବେଳେ ତାପଜ କେନ୍ଦ୍ରର ୨୦ ପ୍ରତିଶତ କ୍ଷମତା ବିନିଯୋଗ ହୋଇପାରୁଛି । ଇତିମଧ୍ୟରେ କେନ୍ଦ୍ର ସରକାର ଏହି ଇସ୍ପାତ କାରଖାନାରୁ ଅଂଶଧନ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି କରିଛନ୍ତି । ରାଜ୍ୟ ସରକାର ମଧ୍ୟ କାରଖାନାକୁ ବନ୍ଦ ନ କରିବା ଦାବିରେ ରାଜି ଅଛନ୍ତି ।

ଯଦି ଏହି କାରଖାନାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଏ ତେବେ ପୁଣିଥରେ ଚଳାଇବାକୁ ଅତିକମ୍‍ରେ ୨ ବର୍ଷ ସମୟ ଓ ପ୍ରାୟ ୫୦୦ କୋଟି ଟଙ୍କା ଦରକାର ପଡ଼ିବ । ଏଭଳି ସ୍ଥିତିରେ ପରିଚାଳନା ମଣ୍ଡଳୀ ପକ୍ଷରୁ ରାଜ୍ୟ ସରକାରଙ୍କୁ ହସ୍ତକ୍ଷେପ ଲାଗି ଅନୁରୋଧ କରାଯାଇଛି । ଉଲ୍ଲେଖନୀୟ ଯେ ଏହି ଇସ୍ପାତ କାରଖାନାରେ ଓଡ଼ିଶା ସରକାର ପ୍ରମୁଖ ଅଂଶଧନକାରୀ ଥିବା ବେଳେ ପୁଞ୍ଜି ପ୍ରତ୍ୟାହାର ପର୍ଯ୍ୟନ୍ତ ସହାୟତା ଯୋଗାଇଦେବା ଜରୁରୀ ହୋଇପଡ଼ିଛି ।

କାରଖାନା ଚଳାଇବା ଲାଗି ଅର୍ଥ ଯୋଗାଇ ନ ଦେଲେ ଅଂଶଧନକାରୀମାନଙ୍କର ବିପୁଳ ପରିମାଣର କ୍ଷତି ହେବ । ଏହି ଇସ୍ପାତ କାରଖାନାରେ ରାଜ୍ୟ ସରକାରଙ୍କ ଇପିକଲ୍‍, ଓଏମ୍‍ସି ଏବଂ କେନ୍ଦ୍ର ସରକାରଙ୍କ ଏମ୍‍ଏମ୍‍ଟିସି ସହିତ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମଧ୍ୟ ଅଂଶୀଦାର ଅଛନ୍ତି । ଯଦି କାରଖାନା ବନ୍ଦ ହୋଇଯିବ ତେବେ ଏଠାକୁ ସାମଗ୍ରୀ ଯୋଗାଣ କରୁଥିବା ଏବଂ ଋଣ ଯୋଗାଇଥିବା ସଂସ୍ଥାମାନେ ନ୍ୟାସନାଲ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନ୍‍ସିଏଲ୍‍ଟି)ରେ ସେମାନଙ୍କ ପ୍ରାପ୍ୟ ଲାଗି ମାମଲା ରୁଜୁ କରିବେ ଏବଂ ବ୍ୟାଙ୍କଗୁଡ଼ିକ ମଧ୍ୟ ସେମାନଙ୍କ ମୂଳ ଓ ସୁଧ ପାଇବା ଲାଗି ଏନ୍‍ସିଏଲ୍‍ଟିକୁ ଯିବେ । ଅନୁରୂପ ଭାବେ ଜଳକର, ବିଦ୍ୟୁତ୍‍ ବିଲ୍‍ ଏବଂ ଟିକସ ଆଦି କର୍ତ୍ତୃପକ୍ଷଙ୍କ ପାଇଁ ବଡ଼ ସମସ୍ୟା ହୋଇ ଛିଡ଼ା ହେବ ବୋଲି ନିଗମ ସୂତ୍ରରୁ ଜଣାପଡ଼ିଛି ।

Related Posts