ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ଆସନ୍ତକାଲି ନୂଆ ରାଜ୍ୟପାଳ ଭାବେ ସେ ଶପଥ ଗ୍ରହଣ କରିବା ପୂର୍ବରୁ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତିା ଆଜି ସେ ଭୁବନେଶ୍ୱର ଫେରି ରାଜଭବନରେ ରାତ୍ରିଯାପନ କରିବେ। ଆସନ୍ତାକାଲି ସକାଳ ୮ଟା ୪୫ ମିନିଟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ରହିଛି।
ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ରାଜ୍ୟପାଳଙ୍କର ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ତାଙ୍କ ସହ ଓଡ଼ିଶା ଆସିଛନ୍ତି। ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ୍ ଅନୁଯାୟୀ Z+ ସୁରକ୍ଷା ପ୍ରଦାନ କରାଯାଇଛି।
ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ନୂଆ ରାଜ୍ୟପାଳ ରଘୁବର ଦାସ କହିଛନ୍ତି, ଓଡ଼ିଶାର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦେବି। ମୁଁ ବହୁତ ଭାଗ୍ୟଶାଳୀ ଓଡ଼ିଶାର ଜନତାଙ୍କର ସେବା କରିବାକୁ ମୋତେ ସୌଭାଗ୍ୟ ମିଳିଲା।
ସେ ଆହୁରି କହିଛନ୍ତି, କେନ୍ଦ୍ର ଓ ରାଜ୍ୟର ଯୋଜନା ଗରିବଙ୍କ ଯାଏ ପହଞ୍ଚିବା ଦାୟିତ୍ୱ ନେବି। ଜଣେ ମହାସେବକଭାବେ ଗରିବଙ୍କ ଯାଏ ଯୋଜନା ପହଞ୍ଚିବା ଦାୟିତ୍ୱ ନେବି। ଓଡ଼ିଶାବାସୀଙ୍କ ସେବା ପାଇଁ ଶକ୍ତି ଦେବାକୁ ଜଗନ୍ନାଥଙ୍କୁ ପ୍ରାର୍ଥନା କଲି ବୋଲି ସେ କହିଛନ୍ତି।





