ହୀରାକୁଦ ତଳମୁଣ୍ଡର ୭ ନୂଆ ବ୍ୟାରେଜ ପ୍ରକଳ୍ପ ଉଭାନ !

ସରକାର କଥା ଦେଇ ଭୁଲିଗଲେ, ଛତିଶଗଡକୁ ଦୋଷ ଦେଇ ଖସିଗଲେ

ସତ୍ୟପାଠ ବ୍ୟୁରୋ : ଅନ୍ୟକୁ ଦୋଷ ଦେଇ ସବୁବେଳେ ନିଜ ମୁଣ୍ଡରୁ ଦୋଷ ଖସାଇ ଦେବାର କଳା ବୋଧହୁଏ ଯଦି କାହା ପାଖରେ ବେଶୀ ଦେଖିବାକୁ ମିଳେ ତେବେ ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀକୁ ନେଇ ଶାସକ ଦଳ ରାଜ୍ୟବାସୀଙ୍କ ମନରେ ମାୟାଜାଲ ତିଆରି କଲା । ତକ୍ରାଳୀନ ଛତିାଗଡର ବିଜେପି ସରକାର ଓ କେନ୍ଦ୍ରର ଏନଡିଏ ସରକାରକୁ ଟାର୍ଗେଟ କରାଗଲା ପଂଚାୟତ ନିର୍ବାଚନର ଠିକ ପୂର୍ବରୁ । ନିର୍ବାଚନୀ ପ୍ରସଙ୍ଗ କରି ଭୋଟ ଗୋଟାଇଲା ଶାସକ ଦଳ । ଆଉ ତାରି ଭିତରେ ରାଜ୍ୟ ସରକାର ଘୋଷଣା କରିଥିଲେ, ହୀରାକୁଦ ତଳମୁଣ୍ଡରେ ୭ଟି ବ୍ୟାରେଜ ସହ ବିଭିନ୍ନ ଶାଖା ନଦୀ ଓ ନାଳରେ ୨୨ଟି ବ୍ୟାରେଜ ଓ ଆନିକଟ ଘୋଷଣା କରାଯିବ ।

୨୦୧୬ ମଇ ମାସରୁ ୨୦୧୯ ଜୁଲାଇ ମାସ ଶେଷ ହେବାକୁ ବସିଲାଣି ପଛେ ରାଜ୍ୟ ସରକାର ଏ ବାବଦରେ ଗୋଟିଏ ପାଦ ଆଗକୁ ବଢ଼ାଇ ନାହାଁନ୍ତି । ନିକଟରେ ଅନୁମୋଦିତ ହୋଇଥିବା ରାଜ୍ୟ ବଜେଟରେ ବି ଏ ବ୍ୟାରେଜ ଓ ଆନିକଟ ପାଇଁ ଟଙ୍କାଟିଏ ବି ବ୍ୟବସ୍ଥା କରି ନାହାଁନ୍ତି ସରକାର । ଯାହା ପୁଣିଥରେ ଶାସକ ବିଜୁ ଜନତା ଦଳର ରାଜ୍ୟପ୍ରୀତିକୁ ପଦାରେ ପକାଇ ଦେଇଛି ।

୨୦୧୬ ମଇ ମାସରେ ମହାନଦୀର ଉପରମୁଣ୍ଡରେ ୬ଟି ବ୍ୟାରେଜ ଓ ଅର୍ପାନଦୀରେ ଏକ ବଡ ବନ୍ଧ ବାନ୍ଧୁଥିବା ଓଡିଶା ସରକାର ଜାଣିବାକୁ ପାଇଲେ । ସେତେବେଳକୁ ୬ଟି ଯାକ ବ୍ୟାରେଜ କାମ ସରି ଯାଇଥିବା ବେଳେ ଅର୍ପା-ଭୈସାଝର ପ୍ରକଳ୍ପର ବି ୬୦ଭାଗ କାମ ସରି ଯାଇଥିଲା । ଏହାକୁ ନେଇ ସେତେବେଳେ ପଲ୍ଲୀରୁ ଦିଲ୍ଲୀ ଯାଏ ହୋ-ହାଲ୍ଲା କଲା ଶାସକ ବିଜୁ ଜନତା ଦଳ । ସମ୍ବଲପୁରରୁ ସୁପ୍ରିମକୋର୍ଟ ଯାଏ ଆନ୍ଦୋଳନ ଚାଲିଲା । ଶେଷରେ ଟ୍ରିବ୍ୟୁନାଲ ଗଠନ ପାଇଁ ପଦକ୍ଷେପ ନିଆଗଲା ।

ତେବେ ସବୁବେଳେ ଓଡିଶାର ଅଭିଯୋଗକୁ ତାତ୍ସଲ୍ୟ କରି ଆସିଛି ଛତିଶଗଡ ସରକାର । ହୀରାକୁଦ ବନ୍ଧ ଦେଇ ୮୪ଭାଗ ପାଣି ସମୁଦ୍ରକୁ ଚାଲି ଯାଉଥିବା ଛତିଶଗଡ କହୁଛି । ଗତ ୭୦ବର୍ଷ ଭିତରେ ହୀରାକୁଦର ତଳମୁଣ୍ଡରେ ଗୋଟିଏ ବି ଜଳ ପ୍ରକଳ୍ପ କରି ନାହାଁନ୍ତିି ଓଡିଶା ସରକାର । ସବୁକୁ ନଜରରେ ରଖି ମହାନଦୀର ତଳମୁଣ୍ଡରେ ୭ଟି ବ୍ୟାରେଜ ସହ ବିଭିନ୍ନ ଶାଖା ନଦୀ ଓ ନାଳରେ ଆହୁରି ୨୨ଟି ଚେକଡ୍ୟାମ୍ ଓ ବ୍ୟାରେଜ କରିବାକୁ ଯୋଜନା କରିଥିଲେ ସରକାର । ଗତବର୍ଷ ମଇ ୧୨ ତାରିଖରେ ଜଳସଂପଦ ବିଭାଗ ସଚିବ ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା ବି କରିଥିଲେ । ଯେଉଁଥିରୁ ପିଇବା ପାଣି ଠାରୁ ନେଇ ଜଳସେଚନ ଓ ଶିଳ୍ପକୁ ଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଥିଲା ।

ଏହା ଭିତରେ ଘୋଷଣାକୁ ବର୍ଷେ ବିତିଗଲାଣି । ବର୍ଷେ ତଳେ ଯିଏ ସରକାର ଚଳାଉଥିଲେ ଏବେ ବି ସେଇ ବିଜେଡି ସରକାର ଚଳାଉଛି । କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ଯେମିତି କାହାରି ଆଉ ମନେ ନଥିବା ଭଳି ଲାଗୁଛି । ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟରେ ଏନେଇ କୌଣସି ବ୍ୟୟ ବରାଦ ହୋଇ ନଥିବାରୁ ଏବେ ଏହି ଆଶଙ୍କା ଉପୁଜିଛି ।

Related Posts