ଋଷିଆ ଠାରୁ ତୈଳ କିଣିବା ନେଇ ଭାରତ ଉପରେ କୌଣସି ଚାପ ନାହିଁ: ହରଦୀପ ସିଂହ ପୁରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଋଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଋଷିଆ ଉପରେ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇବାକୁ ପାଶ୍ଚାତ୍ୟ ଦେଶଗୁଡ଼ିକ ଲଗାତାର ପ୍ରୟାସ କରି ଆସୁଛନ୍ତି ।ଏହାରି ମଧ୍ୟରେ ଭାରତ ଋଷିଆ ଠାରୁ ସର୍ବାଧିକ ଅଶୋଧିତ ତୈଳ କିଣୁଥିବା ନେଇ ଆଲୋଚନା ହେଉଛି । ଏହାକୁ ନେଇ ଏକ ସାକ୍ଷାତକାରରେ ସ୍ପଷ୍ଟୋକ୍ତି ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ । ମନ୍ତ୍ରୀ କହିଛନ୍ତି ଯେ, ଭାରତ ଋଷିଆ ଠାରୁ ତୈଳ କ୍ରୟ ଜାରି ରଖିବ । ଭାରତ ଋଷିଆ ଠାରୁ ମୋଟ ଅଶୋଧିତ ତୈଳରୁ କେବଳ ୦.୨ ପ୍ରତିଶତ କ୍ରୟ କରୁଛି ।

ଏକ ସାକ୍ଷାତକାରରେ ଋଷିଆ ଠାରୁ ଅଶୋଧିତ ତୈଳ କ୍ରୟକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ହରଦୀପ ସିଂହ ପୁରୀ କହିଛନ୍ତି, “ଭାରତ କୌଣସି ରାଷ୍ଟ୍ରଠାରୁ ସିଧାସଳଖ ଅଶୋଧିତ ତୈଳ କିଣୁନାହିଁ । ଦେଶରେ ଘରୋଇ ତୈଳ କମ୍ପାନୀଗୁଡ଼ିକ ରହିଛନ୍ତି, ଯେଉଁମାନେ ତୈଳ କ୍ରୟ କରୁଛନ୍ତି । ଋଷିଆ ଠାରୁ ଭାରତ ମାତ୍ର ୦.୨ ପ୍ରତିଶତ ତୈଳ କ୍ରୟ କରୁଛି । ଏହାଛଡ଼ା ଋଷିଆ ଠାରୁ ତୈଳ ନକିଣିବା ପାଇଁ ଆମ ପାଖରେ କିଛି କାରଣ ନାହିଁ । ଦୁଇ ଦେଶ ମଧ୍ୟରେ କୌଣସି ବିବାଦ ନାହିଁ, ଯେଉଁଥିପାଇଁ ଭାରତ ଋଷିଆ ଠାରୁ ତୈଳ କିଣିବା ବନ୍ଦ କରିବ ।”

ଭାରତ କେବେ ଚିନ୍ତା କରିନି କୌଣସି ନିର୍ଦ୍ଦିଷ୍ଟ ଦେଶ ଠାରୁ ତୈଳ କ୍ରୟ କରାଯିବ । ଯେଉଁ ସମୟରେ ଯେଉଁ ଦେଶ ପାଖରେ ତୈଳ ରପ୍ତାନୀ ପାଇଁ କ୍ଷମତା ଥାଏ ସେହି ସମୟରେ ଭାରତ ସେହି ଦେଶ ଠାରୁ ତେଲ କିଣିଛି । ଚଳିତ ବର୍ଷ ସୁଦ୍ଧା ଋଷିଆ ଠାରୁ ଭାରତ ମାତ୍ର ୦.୨ ପ୍ରତିଶତ ତୈଳ କ୍ରୟ କରିଛି । ୟୁରୋପୀୟ ଦେଶଗୁଡ଼ିକ ଗୋଟିଏ ଅପରାହ୍ନରେ ଏତିକି ପରିମାଣର ତେଲ ଋଷିଆ ଠାରୁ କିଣି ନେଉଛନ୍ତି । ତାହାକୁ ନେଇ କୌଣସି ଆଲୋଚନା ହେଉନାହିଁ । ଭାରତ ଋଷିଆ ଠାରୁ ଅଧିକ ତୈଳ କ୍ରୟ କରୁଥିବା ନେଇ ଏକ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଛି । କିନ୍ତୁ ବାସ୍ତବରେ ତଥ୍ୟ ଦେଖିଲେ ସବୁ ଜିନିଷ ସ୍ପଷ୍ଟ ହୋଇ ପାରିବ ବୋଲି କହିଛନ୍ତି ହରଦୀପ ସିଂହ ପୁରୀ ।

ଋଷିଆ ଠାରୁ ତୈଳ କ୍ରୟ କରିବା ନେଇ ଭାରତ ଉପରେ କୌଣସି ଚାପ ନାହିଁ । କାରଣ ଭାରତ ବିଶ୍ବର ପଞ୍ଚମ ସର୍ବବୃହତ ଅର୍ଥନୀତିର ଦେଶ । ବର୍ତ୍ତମାନେ ଦେଶ ପରିବର୍ତ୍ତନ ଘଟୁଛି । ଭାରତ ପାଖରେ ଅନେକ ବ୍ୟାକଅପ୍‌ ପ୍ଲାନ୍‌ ରହିଛି । ଭାରତର ବର୍ତ୍ତମାନ ଆମେରିକା ଓ ୟୁରୋପ ସହ ଭଲ ସମ୍ପର୍କ ରହିଛି । ପାଶ୍ଚାତ୍ୟ ଦେଶଗୁଡ଼ିକ ସହ ଭାରତ ଲଗାତାର ଆଲୋଚନା କରୁଛି । ମୋଦି ସରକାର କୌଣସି ଚାପରେ ନାହିଁ । ବର୍ତ୍ତମାନ ଭାରତ ପ୍ରାକୃତିକ ଶକ୍ତି ବ୍ୟବହାର କରିବାକୁ ଚିନ୍ତା କରୁଛି ।

ବାକି ରହିଲା ତୈଳ କ୍ରୟ କରିବା କଥା, ଗତ ମାସରେ ଇରାକଠାରୁ ଭାରତ ସର୍ବାଧିକ ତୈଳ କ୍ରୟ କରିଛି । ଭାରତର ଜନସଂଖ୍ୟା ୧୩୦ କୋଟି । ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକଙ୍କ ନିକଟରେ ମୌଳିକ କିଭଳି ପହଞ୍ଚି ପାରିବ ତାହାକୁ ଧ୍ୟାନ ଦିଆଯାଉଛି । ଅନ୍ତର୍ଜାତୀୟ ସ୍ତରରେ ତୈଳଦର ବୃଦ୍ଧି ପାଇଲେ ଗୋଟିଏ ଦେଶର ସମ୍ପୂର୍ଣ୍ଣ ଅର୍ଥନୀତି ଉପରେ ପ୍ରଭାବ ପଡ଼େ । ଏହାସତ୍ତ୍ବେ ଅନ୍ତର୍ଜାତୀୟ ସ୍ତରରେ ଲଗାତାର ତୈଳ ଦର ବୃଦ୍ଧି ହେଉଛି । ଏଭଳି ସ୍ଥିତିରେ ମଧ୍ୟ ଭାରତ ତାର ଅର୍ଥନୀତି ସଜାଡ଼ିବାରେ ସକ୍ଷମ ରହିଛି । ଋଷିଆ ଠାରୁ ଭାରତ ତୈଳ କ୍ରୟ ଜାରି ରଖିବ । କିନ୍ତୁ ଭାରତକୁ ନେଇ ଯେଉଁ ଭ୍ରାନ୍ତ ଧାରଣା ରହିଛି ତାହା ସର୍ବସମ୍ମୁଖରେ ସ୍ପଷ୍ଟ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

Related Posts