ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ); କୌଣସି ଦଳୀୟ ବ୍ୟାପାରରେ ଗାନ୍ଧୀ ପରିବାରର ପରାମର୍ଶ କିମ୍ବା ସମର୍ଥନ ନେବାରେ କୌଣସି ଲଜ୍ଜା ନାହିଁ। ଯଦି ସେ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୁଅନ୍ତି ତେବେ ଏପରି କରିବାରେ କୌଣସି ଲଜ୍ଜା ଅନୁଭବ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଦଳର ଅଧ୍ୟକ୍ଷ ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡଗେ । ଦଳ ପାଇଁ ଗାନ୍ଧୀ ପରିବାରର ସଂଘର୍ଷ ରହିଛି, ଦଳକୁ ସୁଦୃଢ କରିବାରେ ସେମାନଙ୍କର ବଳିଦାନ ମଧ୍ୟ ରହିଛି । ତେଣୁ କୌଣସି ଦଳୀୟ ବ୍ୟାପାରରେ ଗାନ୍ଧୀ ପରିବାରର ପରାମର୍ଶ କିମ୍ବା ସମର୍ଥନ ଲେଡିବାରେ ସେ କେବେ ଲଜ୍ଜା ଅନୁଭବ କରିବେ ନାହିଁ ବୋଲି ଖଡଗେ କହିଛନ୍ତି ।
ତେବେ ଆଜି କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ବେଳେ ଏହି ନିର୍ବାଚନରେ ଖଡଗେଙ୍କ ବିପକ୍ଷରେ ରହିଛନ୍ତି ଦଳର ଅନ୍ୟଜଣେ ବରିଷ୍ଠ ନେତା ଶଶୀ ଥରୁର । ତେବେ ମଲ୍ଲିକାର୍ଜୁନଙ୍କୁ ଗାନ୍ଧୀ ପରିବାର ଅନୁଗତ ନେତା ଭାବେ ମଧ୍ୟ ବିବେଚନା କରାଯାଏ । ପ୍ରଥମ କରି ଦୀର୍ଘ ୨୪ ବର୍ଷ ପରେ ଦଳକୁ ଜଣେ ଅଣଗାନ୍ଧୀ ନେତାଙ୍କୁ ନେତୃତ୍ବ ମିଳିବାକୁ ଯାଉଥିବା ବେଳେ ଗାନ୍ଧୀ ପରିବାର ହାତରେ ପରୋକ୍ଷ ନେତୃତ୍ବ ଅର୍ଥାତ୍ ରିମୋର୍ଟ କଣ୍ଟ୍ରୋଲ ରହିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଗତକାଲି ବେଙ୍ଗାଲୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସମ୍ପର୍କିତ ପ୍ରଶ୍ନର ଏପରି ଉତ୍ତର ରଖିଛନ୍ତି ନିର୍ବାଚନୀ ପ୍ରତିଦ୍ବନ୍ଦ୍ବିତାରେ ଆଗରେ ଥିବା ବରିଷ୍ଠ ନେତା ଖାଡଗେ ।
ଯଦି ସେ ଦଳର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୁଅନ୍ତି, ତେବେ ସେ କୌଣସି ଦଳୀୟ ନିଷ୍ପତ୍ତି ପାଇଁ ଗାନ୍ଧୀ ପରିବାରର ପରାମର୍ଶ ଚାହିଁବେ କି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଖାଡଗେ କହିଛନ୍ତି ଯେ, ‘ଗାନ୍ଧୀ ପରିବାର ଦଳ ପାଇଁ ସଂଘର୍ଷ କରିଛି । ସୋନିଆ ଗାନ୍ଧୀ ଜାତୀୟ କଂଗ୍ରେସର ଅଧ୍ୟକ୍ଷା ଭାବେ ଦୀର୍ଘ ବର୍ଷ ରହିଛନ୍ତି । ସେହିପରି ରାହୁଲ ଗାନ୍ଧୀ ମଧ୍ୟ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି । ଦଳକୁ ସୁଦୃଢ କରିବାରେ ସେମାନଙ୍କର ବଡ ଭୂମିକା ରହିଛି । ଯଦି ମୁଁ ପାର୍ଟିର ମୁଖ୍ୟ ବା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୁଏ, ତେବେ କୌଣସି ପ୍ରସଙ୍ଗରେ ଯଦି ଗାନ୍ଧୀ ପରିବାର ପରାମର୍ଶ କିମ୍ବା ସହଯୋଗର ଆବଶ୍ୟକ ପଡେ ତେବେ ମୁଁ ସେମାନଙ୍କ ପରାମର୍ଶ ନେବାରେ ଆଦୌ ଲଜ୍ଜାବୋଧ କରିବି ନାହିଁ।’
ତେବେ ଆଜି ୨୨ ବର୍ଷ ପରେ ପୁଣି ଥରେ ଦଳରେ ଅଧ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି । ଏଥର ମୋଟ ୯୦୦୦ ରୁ ଉର୍ଦ୍ଧ କଂଗ୍ରେସ ପ୍ରତିନିଧି ମାନେ ଭୋଟ ଦେଇ ଦଳର ଅଧ୍ୟକ୍ଷ ବାଛିବାକୁ ଯାଉଛନ୍ତି । ଗାନ୍ଧୀ ପରିବାର ପକ୍ଷରୁ କେହି ପ୍ରତିଦ୍ବନ୍ଦ୍ବିତା କରୁନଥିବା ବେଳେ ବରିଷ୍ଠ ନେତା ତଥା ରାଜ୍ୟସଭାରେ ଦଳର ନେତା ଥିବା ମଲ୍ଲିକାର୍ଜୁନ ଖାଡଗେ ଓ ଅନ୍ୟତମ ବରିଷ୍ଠ ନେତା ତଥା ସାଂସଦ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଛି । ତେବେ ଖାଡଗେ ଗାନ୍ଧୀ ପରିବାରର ବେସ ନିକଟବର୍ତ୍ତୀ ହୋଇଥିବା ବେଳେ ଶଶୀ ଥରରୁ ଜି-୨୩ ଗୋଷ୍ଠୀର ନେତା ଭାବେ ମଧ୍ୟ ପରିଚିତ ।