ରାଜ୍ୟରେ ଉପରମୁହାଁ ଲାଞ୍ଚୁଆ ସରକାରୀ କର୍ମଚାରୀଙ୍କ ସଂଖ୍ୟା: ୧୭ମାସରେ ୩୩ଜଣ ପୁଲିସ କର୍ମଚାରୀ ଗିରଫ

ଭୁବନେଶ୍ବର: ଦୁର୍ନୀତି ଗସ୍ତ ହୋଇପଡିଲାଣି ରାଜ୍ୟର ସମସ୍ତ ସରକାରୀ ସଂସ୍ଥା | ସରକାରୀ ପଦବୀର ଫାଇଦା ନେବା ପାଇଁ ଲଂଚ ନେଇଛନ୍ତି | ଯାହାଫଳରେ ଦେଶରେ ଦୁର୍ନୀତି ସରକାରୀ ଅଧିକାରୀଙ୍କ ସଂଖ୍ୟା ବଢିବାକୁ ଲାଗିଛି |

ଦୁର୍ନୀତି ନିବାରଣ ସଂସ୍ଥା ବା ଭିଜିଲାନ୍ସ ପ୍ରତିବର୍ଷ ଯେତିକି ଦୁର୍ନୀତିଗ୍ରସ୍ତ ବା ଲାଞ୍ଚୁଆ ସରକାରୀ କର୍ମଚାରୀଙ୍କୁ ଧରୁଛି, ତା’ର ପ୍ରାୟ ୮ରୁ ୯ପ୍ରତିଶତ ହେଉଛନ୍ତି କେବଳ ପୁଲିସ କର୍ମଚାରୀ। ବର୍ଷକୁ ବର୍ଷ ଏହି ସଂଖ୍ୟା ଉପରମୁହାଁ ହେଉଛି ସିନା ତଳକୁ ଖସୁନାହିଁ। ମିଳିଥିବା ସୂଚନା ମୁତାବକ ୨୦୨୧ ଜାନୁଆରିରୁ ୨୦୨୨ ମେ ପର୍ଯ୍ୟନ୍ତ ଅର୍ଥାତ୍ ୧୭ମାସରେ ୩୩ଜଣ ପୁଲିସ କର୍ମଚାରୀ ବନ୍ଧା ହେଲେଣି।

ବଡ଼କଥା ହେଉଛି, ଧରାପଡ଼ିଥିବା ୩୩ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଅଧାରୁ ଅଧିକ କେବଳ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ୨୦୨୧ରେ ୧୨ଜଣ ଲାଞ୍ଚ ନେବା ସମୟରେ ଧରାପଡ଼ିଥିବା ବେଳେ ଚଳିତ ବର୍ଷ ୫ମାସ ମଧ୍ୟରେ ୬ଜଣ ଲାଞ୍ଚୁଆ ପୁଲିସ ଭିଜିଲାନ୍ସ ଖୁଆଡ଼ରେ ଭର୍ତ୍ତି ହୋଇସାରିଲେଣି। ୨୦୨୧ ଫେବ୍ରୁଆରି ୨୪ରେ ଢେଙ୍କାନାଳ ଜିଲ୍ଲାର ନିହଳପ୍ରସାଦ ଥାନ ଇନ୍ସପେକ୍ଟର ଚିତ୍ତରଂଜନ ବେହେରା ୬୦୦୦ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିବା ବେଳେ ମାର୍ଚ୍ଚ ୨୩ ତାରିଖରେ ଜଗତସିଂହପୁର ଟାଉନ୍ ଥାନାର ସବଇନ୍ସପେକ୍ଟର ୫୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ। ଚଳିତ ବର୍ଷ ଭିଜିଲାନ୍ସ ସମ୍ବଲପୁର ଡିଭିଜନ୍‌ର ଇନ୍ସପେକ୍ଟର ମାନସୀ ଜେନା ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଜାଲରେ ପଡ଼ିଥିଲେ। ଜଣେ ସହଯୋଗୀଙ୍କ ମାଧ୍ୟମରେ ୧୦ଲକ୍ଷ ଟଙ୍କା କାରବାର କରୁଥିବା ବେଳେ ଧରାପଡ଼ିଥିଲେ। ସେହିଭଳି ସଂପତ୍ତି ଠୁଳ କରିବା କ୍ଷେତ୍ରରେ ମଧ୍ୟ ପୁଲିସ ପଛରେ ପଡ଼ିନାହାନ୍ତି। ଦେଢ଼ବର୍ଷରେ ୧୧ଜଣ ପୁଲିସ ଆୟ ବହିର୍ଭୂତ ମାମଲାରେ ଗିରଫ ହୋଇସାରିଛନ୍ତି। ଚଳିତବର୍ଷ ୫ମାସ ମଧ୍ୟରେ ୪ଜଣ ସଂପତି ଠୁଳ ଅଭିଯୋଗରେ ବନ୍ଧା ହୋଇଛନ୍ତି। କଟକ ଜିଲ୍ଲାର ଷଷ୍ଠ ଓଏସ୍‌ଏପିର ସିପାହୀ ସହଦେବ ପରିଡ଼ା ଗତବର୍ଷ ଡିସେମ୍ବରରେ କୋଟିଏ ୩୮ଲକ୍ଷରୁ ଅଧିକ ଟଙ୍କା ଠୁଳ କରିଥିବା ଭିଜିଲାନ୍ସ ମାମଲା ରୁଜୁ କରି ବାନ୍ଧିଥିଲା। ସେହିଭଳିର କଟକ ଜିଲ୍ଲା କମ୍ୟୁନିକେସନ୍‌ର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ର ମଧ୍ୟ ୯କୋଟିରୁ ଅଧିକ ଟଙ୍କାର ସଂପତି ଠୁଳ କରିଥିଲେ। ଭିଜିଲାନ୍ସ ଚଢ଼ଉ କରି ସମ୍ପତ୍ତି ଠାବ କରିବା ଘଟଣାରେ ଏହ ସମ୍ଭବତଃ ସର୍ବାଧିକ ବୋଲି କୁହାଯାଉଛି। ସେହିଭଳି ଲାଞ୍ଚ କାରବାର ବା ବେଆଇନ୍‌ ସ୍ରୋତରୁ ଟଙ୍କା ନେଇ ଫେରୁଥିବା ବେଳେ ଭିଜିଲାନ୍ସ ୪ଜଣଙ୍କୁ ଗିରଫ କରିଛି। ଯେଉଁଥିରେ ମୋଟୁ ଥାନାର ଇନ୍ସପେକ୍ଟର ସୁଶାନ୍ତ କୁମାର ସାହୁଙ୍କ ଠାରୁ ଆରମ୍ଭ କରି ରାୟଗଡ଼ାର ଅବକାରୀ ବିଭାଗର ଅଧୀକ୍ଷକ ନିନା ବେଉରା ପର୍ଯ୍ୟନ୍ତ ସାମିଲ୍ ଅଛନ୍ତି।

ରାଜ୍ୟର ସବୁଠାରୁ ଦକ୍ଷ ତଥା ଅପରାଧୀଙ୍କୁ ଧରିବାରେ ପାରଦର୍ଶିତା ହାସଲ କରିଥିବା କମିସନରେଟ୍ ପୁଲିସର କର୍ମଚାରୀ ବି ଦୁର୍ନୀତିରେ ପଛରେ ପଡ଼ିନାହାନ୍ତି। ବହୁଚର୍ଚ୍ଚିତ କୁବେର କନେଷ୍ଟବଳ ପ୍ରସନ୍ନ କୁମାର ବେହେରା ପ୍ରାୟ ୭କୋଟି ଟଙ୍କାର ସଂପତି ଠୁଳ କରିଥିବା ଭିଜିଲାନ୍ସ ଠାବ କରିଥିଲା। ପରେ ବିଭିନ୍ନ ଅପରାଧିକ ମାମଲାକୁ କେନ୍ଦ୍ର କରି ପ୍ରସନ୍ନ କନେଷ୍ଟବଳ ଚାକିରିରୁ ତଡ଼ା ଖାଇଥିଲେ। କେବଳ ପ୍ରସନ୍ନ ନୁହେଁ କନେଷ୍ଟବଳ ସୁରେଶ ଚନ୍ଦ୍ର ଦାଶ ମଧ୍ୟ ଆୟ ବହିର୍ଭୂତ ମାମଲାରେ ଗିରଫ ହୋଇସାରିଛନ୍ତି। ସେହିଭଳି ଲାଞ୍ଚ ନେବା କ୍ଷେତ୍ରରେ କଟକ ମଧୁପାଟଣାର ଏଏସ୍‌ଆଇ ୨୦ହଜାର ଟଙ୍କା ନେଉଥିବା ବେଳେ ଗତବର୍ଷ ଧରାପଡ଼ିଥିଲେ। ପରେ ପାହାଳର ପ୍ରମୋଦ କୁମାର ପ୍ରଧାନ ମଧ୍ୟ ଲାଞ୍ଚ ନେଇ ଗତବର୍ଷ ଏପ୍ରିଲ ୨୧ରେ ବନ୍ଧା ହୋଇଥିଲେ। ସେହିଭଳି ଚଳିତ ବର୍ଷ ମଞ୍ଚେଶ୍ବର ଥାନାର ରବି ସାହୁ ୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ। ଏହି ପ୍ରସଙ୍ଗରେ ପୂର୍ବତନ ପୁଲିସ ଡିଜି ବିପିନ ବିହାରୀ ମିଶ୍ର କହିଛନ୍ତି, ଭିଜିଲାନ୍ସରେ କାର୍ଯ୍ୟରତ ପ୍ରାୟ କର୍ମଚାରୀ ପୁଲିସ ବିଭାଗରେ ଦୀର୍ଘ ବର୍ଷର ଅଭିଜ୍ଞତା ନେଇ ଏଠାକୁ ଆସିଥାନ୍ତି। ପୁଲିସମାନେ ସାଧାରଣତଃ ଟ୍ରାପ୍ କେସ୍ ବା ଲାଞ୍ଚ କାରବାର ସମୟରେ ଧରାପଡ଼ନ୍ତି।

Related Posts