
ରାଜ୍ୟ ସରକାର ଗୋଟିଏ ପଟେ ଓଡିଶାର ଭାଷା ସାହିତ୍ୟ ସଂସ୍କୃତିକୁ ରକ୍ଷା କରିବା ପାଇଁ ପ୍ରଣପଣେ ଉଦ୍ୟମ କରୁଥିବାର କଥା ପ୍ରଚାର କରୁଥିବା ବେଳେ ବାସ୍ତବରେ ଏହା ଏକ ନାଟକ ତାହା ପ୍ରମାଣିତ ହୋଇଛି ସର୍ବୋତ୍କୃଷ୍ଠ ଓଡ଼ିଆ ବିଶ୍ବକୋଷ ଜ୍ଞାନମଣ୍ଡଳ କ୍ଷେତ୍ରରେ। ପ୍ରଖ୍ୟାତ ଜ୍ଞାନତପସ୍ବୀ ପଦ୍ମଶ୍ରୀ ବିନୋଦ୍ କାନୁନଗୋଙ୍କ ଦ୍ବାରା ପ୍ରସ୍ତୁତ ଜ୍ଞାନମଣ୍ଡଳର ପରିବର୍ଦ୍ଧିତ ସଂସ୍କରଣ ପାଇଁ ସରକାର ୨୦୧୬ ରୁ ଘୋଷଣା କରିଥିଲେବି ଏଯାଏ ଏହା ସମ୍ଭବ ହୋଇପାରୁ ନାହିଁ। କୁହାଯାଏ ଗୋଟିଏ ଜାତିର ଇତିହାସ ତାର ଭାଷା, ସାହିତ୍ୟ ଆଉ ସଂସ୍କୃତି ଭିତରେ ବଞ୍ଚି ରହିଥାଏ। ଏଥିପାଇଁ ସର୍ବଦା ଏହାର ସଂରକ୍ଷଣ, ପରିବର୍ଦ୍ଧନ ଜରୁରୀ ମନେହୁଏ।
ସେହି କ୍ରମରେ ବିନୋଦ କାନୁନଗୋଙ୍କ ଜ୍ଞାନମଣ୍ଡଳକୁ ପରିବର୍ଦ୍ଧନ କରିବା ସହ ଏକ ସଂଗ୍ରହାଳୟ ନିର୍ମାଣ ପାଇଁ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଥିଲେ। କିନ୍ତୁ ବିଡମ୍ବନାର ବିଷୟ ଏହା ମଧ୍ୟରେ ୪ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେବି ଏଯାଏ ପ୍ରାଥମିକ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ। ଏଠାରେ ସ୍ମରଣଯୋଗ୍ୟ ୨୦୧୨ ମସିହାରେ ବିନୋଦ କାନୁନଗୋଙ୍କ ଜନ୍ମ ଶତବାର୍ଷିକରେ ରାଜ୍ୟ ସରକାର ଏହାର ୫୦ ଖଣ୍ଡ ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ କରିବାକୁ ୨କୋଟି ଟଙ୍କା ମଞ୍ଜୁର କଲେ। କିନ୍ତୁ ଦେଖାଗଲା ୧୦ ଖଣ୍ଡ ସଂସ୍କରଣ କରି ମଧ୍ୟ ଜ୍ଞାନମଣ୍ଡଳ କମିଟି ରାଜ୍ୟ ସାହିତ୍ୟ ଏକାଡେମୀ ପକ୍ଷରୁ ମାତ୍ର ୪ ଖଣ୍ଡର ଅର୍ଥ ମିଳିଲା।
ଏହା ମଧ୍ୟରେ ବିନୋଦ କନୁନଗୋଙ୍କ ୨ ପୁତ୍ର ଅଦାଲତର ଆଶ୍ରୟ ନେବାପାଇଁ ଧମକ ଦେଲେ। ତେବେ ଏ ସମସ୍ତ ବିବାଦ ମଧ୍ୟରେ ଅଟକି ଯାଇଛି ଜ୍ଞାନମଣ୍ଡଳର ଭବିଷ୍ୟତ। ଯିଏ ଦିନେ ଓଡିଆ ଭାଷାର ପ୍ରତିଟି ମୂଲ୍ୟବାନ ଶବ୍ଦର ଅର୍ଥକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ପଣ କରିଥିଲେ ଆଜି ପ୍ରଶାସନିକ ଚଞ୍ଚକତା ଆଉ ଅଦୁରଦର୍ଶିତା ନିକଟରେ ସେ ସବୁକିଛି ମୂଲ୍ୟହୀନ ହୋଇପଡିଛି। ସରକାର ଶହେବର୍ଷ ପରେ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଲେ ତେବେ ବିନୋଦ କାନୁନଗୋଙ୍କ ଏ ଅନବଦ୍ୟ ସୃଷ୍ଠିପାଇଁ ଏତେ ଅବିଚାର କାହିଁକି ? ବିକାଶର ଇତିହାସ ଲେଖା ହେଲାବେଳେ ସାହିତ୍ୟ ସଂସ୍କୃତି ଇତିହାସ ପରମ୍ପରାକୁ କେତେ ସଂରକ୍ଷଣ ଆଉ ସୁରକ୍ଷିତ ରଖି ପାରିଛନ୍ତି ତାହା ମଧ୍ୟ ଗୁରୁତ୍ବ ରଖେ। ଏ ସମସ୍ତ ଭିତରେ ଗୋଟିଏ ଜାତିର ସମୃଦ୍ଧ ବୁନିଆଦ୍ ଲୁଚିକି ଥାଏ। ଆଗାମୀ ପିଢି ଖୋଜିକି ପାଇବ ଆମ ଅତିତକୁ ଆଉ ମିଳେଇ ଦେଖିବ ବର୍ତ୍ତମାନ ସହ,ସ୍ବପ୍ନ ଦେଖିବ ଏକ ଲମ୍ବା ଭବିଷ୍ୟତର। ଏହାକୁ ଦୃଷ୍ଟିରେ ରଖି ଯଥାଶିଘ୍ର ରାଜ୍ୟ ସରକାର ଏ ଜାତିର ଅସ୍ମିତାର ପରିଚୟ ଜ୍ଞାନମଣ୍ଡଳର ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ କରିବା ସହ ବିନୋଦ କାନୁନଗୋଙ୍କ ସ୍ମୃତିରକ୍ଷା ପାଇଁ ସଂଗ୍ରହାଳୟ ନିର୍ମାଣ କରିବାକୁ ଆମେ ଦାବି କରୁଛୁ।