ଜମାକାରୀଙ୍କୁ ନ୍ୟାୟ ନୁହେଁ ମିଳୁଛି ତାରିଖ ପେ ତାରିଖ୍

ସତ୍ୟପାଠ ବ୍ୟୁରୋ : ସମସ୍ତଙ୍କୁ ମିଳିବ ଟଙ୍କା । ନ୍ୟାୟ ଦେବେ କମିଶନ । ଚିଟଫଣ୍ଡ ଜମାକାରୀଙ୍କୁ ଏଭଳି ଅଭୟ ବର ପ୍ରଦାନ କରିଥିଲେ ରାଜ୍ୟ ମୁଖିଆ । ଯେମିତି ସତୀ ଅନୁସୂୟା ବର ମାଗିଥିଲେ ନ ପାହୁ ରାତି ନମରୁ ପତି । ଠିକ୍ ସେମିତି ଚିଟଫଣ୍ଡ କମିଶନଙ୍କ ଏବେକାର ସ୍ଥିତି ଦେଖି ଲାଗୁଛି, ନ ସରୁ କମିଶନ ନମିଳୁ ଟଙ୍କା ।

ଦିନ ପରେ ଦିନ, ମାସ ପରେ ମାସ, ବର୍ଷ ପରେ ବର୍ଷ ଗଡୁଛି । ତାରିଖ ପେ ତାରିଖ ବଦଳୁଛି ସିନା ନ୍ୟାୟ ମିଳିବାର ବାଟ ବି ଦିଶୁନି । ନିକଟ ଭବିଷ୍ୟତରେ ମିଳିବାର କୌଣସି ସମ୍ଭାବନା ବି ଦେଖାଯାଉନି । ଓଡିଶାରେ ଚିଟଫଣ୍ଡ ସ୍କାମର ତଦନ୍ତ ପାଇଁ ଗଢ଼ା ଯାଇଥିବା ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ବଢ଼ୁଛି ସିନା ଜମାକାରୀଙ୍କୁ କେବେ ଟଙ୍କା ମିଳିବ ସେନେଇ ଚିତ୍ର ବିଲକୁଲ ସ୍ପଷ୍ଟ ହେଉନାହିଁ । ଆଉ ଏହାରି ଭିତରେ ପୁଣିଥରେ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି । ଅଗଷ୍ଟ ୯ ତାରିଖରେ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ କାର୍ଯ୍ୟକାଳ ବୃଦ୍ଧି କରିବାକୁ କମିଶନଙ୍କ କାର୍ଯ୍ୟାଳୟ ଗୃହ ବିଭାଗକୁ ଚିଠି ଲେଖିଛି ।

୭୩ ମାସର ତଦନ୍ତରେ ୫କୋଟି ୫୫ଲକ୍ଷ ଟଙ୍କା ଖର୍ଚ୍ଚ ହେଲାଣି । କମିଶନ ଏଯାଏଁ ୭ଟି ଅନ୍ତରୀଣ ରିପୋର୍ଟ ଦେଇ ସାରିଲେଣି । ଯେଉଁଥିରୁ ୬ଟି ରିପୋର୍ଟକୁ ସରକାର ତର୍ଜମା କରୁଛନ୍ତି । ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଗୃହରେ ଏହି ସୂଚନା ଦେଇଛନ୍ତି । କିନ୍ତୁ ଚିଟଫଣ୍ଡ ସଂସ୍ଥା ସଂଖ୍ୟା, ଠକିଥିବା ଅର୍ଥର ପରିମାଣ କିମ୍ବା ଠକାମିର ଶୀକାର ହୋଇଥିବା ଜମାକାରୀଙ୍କ ସଂଖ୍ୟା ଜଣାନାହିଁ ବୋଲି ଲିଖିତ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ । ଦୁଇ ମନ୍ତ୍ରୀଙ୍କ ଉତ୍ତରରେ କେବଳ ସରକାରୀ ଅସହାୟତା ସିଧା ସିଧା ବୁଝାଇ ଦେଉଛି ସରକାର କେବଳ ଲୋକଙ୍କୁ ଭଣ୍ଡାଇବା ଛଡା ଆଉ କିଛି ବି କରି ନାହାଁନ୍ତି ।

ଚିଟଫଣ୍ଡ ଦୁର୍ନୀତିର ତଦନ୍ତ ପାଇଁ୨୦୧୩ ଜୁଲାଇ ୯ରେ ଜଣିକିଆ କମିଶନ ବସାଇଥିଲେ ସରକାର । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଆର କେ ପାତ୍ର ଙ୍କ ସେତେବେଳେ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା କିନ୍ତୁ ତାଙ୍କର ପରଲୋକ ପରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏମ ଏମ ଦାସଙ୍କୁ ୨୦୧୫ ଫେବୃଆରୀ ୫ରେ ତଦନ୍ତ ଦାୟତ୍ୱ ଦେଲେ ସରକାର । ଏହା ଭିତରେ ୭୩ ମାସ ବିତିଗଲାଣି । ଏହାଭିତରେ ଅନେକ ଜମାକାରୀ ମରିଯିବେଣି । ଆଉ କିଛି ଭାଗ୍ୟକୁ ଆଦରି ଚୁପ ରହି ଯାଇଥିବେ । ଅନେକ ଏହାକୁ ଦୁସ୍ୱପ୍ନ ଭାବି ଭୁଲି ଯିବେଣି । କିନ୍ତୁ ଏଯାବତ୍ ଜମାକାରୀ ଚିହ୍ନଟ ବି ଶେଷ ହୋଇନି । ପ୍ରାଥମିକ ପର‌୍ୟ୍ୟାୟରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତା’ଠାରୁ କମ୍ ନିବେଶ କରିଥିବା ବ୍ୟକ୍ତି)ଙ୍କ ଚିହ୍ନଟ ଓ ସେମାନଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ସ˚କ୍ରାନ୍ତରେ ପରାମର୍ଶ ପ୍ରଦାନ ପାଇଁ କମିସନଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା। କମିସନଙ୍କ କାର‌୍ୟ୍ୟକାଳ ବିଭିନ୍ନ ସମୟରେ ବୃଦ୍ଧି କରାଯାଇଥିବା ବେଳେ ଇତିମଧୢରେ କ୍ଷୁଦ୍ର ଜମାକରୀଙ୍କ ପ୍ରସ˚ଗରେ ସରକାରଙ୍କୁ ୭ଟି ଅନ୍ତରୀଣ ରିପୋର୍ଟ କମିସନ୍ ପ୍ରଦାନ କରି ସାରିଛନ୍ତି। ଏବେ ୨୦୧୫, ଫେବ୍ରୁଆରି ୨୦ର ଅତିରିକ୍ତ ଟର୍ମ ଅଫ୍ ରେଫେରେନ୍ସ ଆଧାରରେ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ତଦନ୍ତ ଜାରି ରହିଛି। ପରବର୍ତ୍ତୀ ସମୟେର ମୂଳ ୫ଟି ଟର୍ମ ଅଫ୍ ରେଫେରେନ୍ସ ଆଧାରରେ ବୃହତ ଜମାକରୀଙ୍କୁ ଚିହ୍ନଟ କରାଯିବ। ଏଥି ସହିତ ନିକଟରେ ଦାଖଲ ହୋଇଥିବା ୭ ଲକ୍ଷ ସତ୍ୟପାଠ ଡିଜିଟାଇଜେସନ୍ ପରେ ପର‌୍ୟ୍ୟାୟକ୍ରମେ ଯାଞ୍ଚ ହେବ ଦର୍ଶାଇ କମିସନଙ୍କ କାର‌୍ୟ୍ୟାଳୟ ସୂତ୍ରରୁ କାର‌୍ୟ୍ୟକାଳ ବୃଦ୍ଧି ନେଇ ଚିଠି ଲେଖା ଯାଇଥିବା ସୂଚନା ମିଳିଛି।

ତଦନ୍ତରେ ବ୍ୟସ୍ତ କମିଶନ । କମିଶନଙ୍କ ପିଛା ଟଙ୍କା ଖର୍ଚ୍ଚରେ ବ୍ୟସ୍ତ ସରକାର । କିନ୍ତୁ ଯାହା ପାଇଁ ଏତେ କଥା ସେ କଣ ପାଉଛି ? ଖାଲି ତାରିଖ୍ ପେ ତାରିଖ୍ ନା ଆଉ କିଛି…

Related Posts