କାରସାଦି ପଛରେ ମାମୁଁ ନା ବିଜେପି ?

କିଏ ସତ କହୁଛନ୍ତି । ବିଜେପି , ବିଜେଡି ନା ରାଜ୍ୟ ପୁଲିସ ମୁଖିଆ । ସୋମବାର ସନ୍ଧ୍ୟାରେ ବିଜେପି ପକେଇଥିବା ଚିଠି ବୋମା ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ଏପଟେଏହି ତଥାକଥିତ ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଏଥର ହିଂଜିଲି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ଥିତି ଠିକ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଅତୁଟ ଥିଲେ ମଧ୍ୟ ମୌଳିକ ସୁବିଧା ଏବଂ ଭିତ୍ତିଭୂମିର ଅଭାଵ ଯୋଗୁଁ ହିଂଜିଲି ଭୋଟର ନବୀନ ବାବୁଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ତେଣୁ ଚଳିତ ନିର୍ବାଚନରେ ନବୀନ ସେଠାରୁ ପ୍ରତିଦ୍ବନ୍ଦିତା କଲେ ଜିତିବା କଷ୍ଟକର ହୋଇପାରେ । ଏମିତିକି ପରାଜୟର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ଏହି ଗୁପ୍ତ ଚିଠିରେ ସ୍ପଷ୍ଟ ଉଲ୍ଲେଖ ରହିଛି । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚାରୋଟି ନିରାପଦ ଆସନ ପ୍ରସ୍ତାବ ଦେଇଥିଲେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜି । ସବୁ ଅସନଗୁଡିକ ପଶ୍ଚିମ ଓଡ଼ିଶାର ଅନ୍ତର୍ଭୁକ୍ତ । 2019 ମାର୍ଚ୍ଚ ମାସ 15 ତାରିଖରେ ପୁଲିସ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜି ସରକାରଙ୍କୁ ଏହି ରିପୋର୍ଟ ଦେଇଥିବା ଚିଠିରେ ଉଲ୍ଲେଖ ରହିଛି । ସେଥିପାଇଁ କୁଆଡେ ନବୀନ ବାବୁ ପଶ୍ଚିମ ଓଡ଼ିଶାର ଦଳୀୟ ନେତାଙ୍କୁ ଡାକି ସେଠାରୁ ଲଢ଼ିବା ପାଇଁ ଅନୁରୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ବିଜେପି ଅଭିଯୋଗ କରୁଛି । ତେବେ ସବୁଠାରୁ ମଜାଦାର ଏବଂ ଆଶ୍ଚର୍ଯ୍ୟଜନକ ପ୍ରସଙ୍ଗ ହେଉଛି ଯେ ସମାନ ଧରଣର ଏକ ଚିଠି ଗତ କର୍ଣ୍ଣାଟକ ନିର୍ବାଚନରେ ଭାଇରାଲ ହୋଇଥିଲା । ଯେଉଁଥିରେ ସିଦ୍ଧରମେୟା ପ୍ରତିଦ୍ବନ୍ଦ୍ବିତା କରିବାକୁ ଥିବା ନିର୍ବାଚନମଣ୍ଡଳୀ ତାଙ୍କ ପାଇଁ ବିପଦପୂର୍ଣ୍ଣ ଏବଂ ବିକଳ୍ପ ସ୍ୱରୂପ ଓଡ଼ିଶା ପରି ସମାନ ଧରଣର ଚାରୋଟି ଅପେକ୍ଷାକୃତ ସୁରକ୍ଷିତ ସିଟ ସିଦ୍ଧରମେୟାଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା । ଯୋଉ ରିପୋର୍ଟକୁ କର୍ଣ୍ଣାଟକର ତତ୍କାଳୀନ ଏଡିଜି ପ୍ରସ୍ତୁତ କରିଥିବା ବିଜେପି ଅଭିଯୋଗ କରିବା ସହ ରାଜ୍ୟବ୍ୟାପୀ ପ୍ରବଳ ତୁମ୍ବିତୋଫାନ କରିଥିଲା । ଚିଠିକୁ ନେଇ ସେତେବେଳେ କର୍ଣ୍ଣାଟକ ଆଉ ଏବେ ଓଡ଼ିଶାର ପାରିପାର୍ଶ୍ବିକ ସ୍ଥିତିକୁ ଲକ୍ଷ କଲେ, ବିଜେପିର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ବିଜେପିର କେହି ନିର୍ବାଚନ ପୂର୍ବରୁ ଏମିତି ଚକ୍ରାନ୍ତ କରିନାହାନ୍ତି ତ ? ବିଜେପି ଏଥିରେ ସିଧାସଳଖ ସାମିଲ ନାହିଁ ତ ? ପ୍ରଶ୍ନ ଉଠିବା ମଧ୍ୟ ସ୍ୱାଭାବିକ । କାରଣ ଦୁଇଟି ଯାକ ଚିଠିକୁ ଭଲ ଭାବେ ଅନୁଧ୍ୟାନ କଲେ ଚିଠି ମଧ୍ୟରେ ଥିବା ସମାନତା ସ୍ପଷ୍ଟ ବାରିହେଇ ପଡୁଛି । ଚିଠି ଦୁଇଟିର କ୍ଲିପିଂ, ଫୋଟୋ, ଦସ୍ତଖତ, କଣ୍ଟେଣ୍ଟ ମଧ୍ୟରେ ଅନେକ ସମାନତା ଦେଖାଦେଉଛି । ତାହେଲେ କଣ ଦୁଇଟି ଯାକ ଚିଠିକୁ ଜଣେ କେହି ଲେଖିଛି ? କଣ ସବୁ ରାଜ୍ୟର ପୁଲିସ ମୁଖ୍ୟାଳୟରେ ଶାସକ ଦଳ ମୁଖିଆଙ୍କ ପାଇଁ ଏମିତିକା ରିପୋର୍ଟ ପ୍ରସ୍ତୁତ କରାଯାଏ, ଯାହା ମଧ୍ୟରେ ଅସମ୍ଭବ ସମାନତା ଦେଖାଯାଏ ? ସତ୍ୟପାଠ ଏଠି ସିଧାସଳଖ ବିଜେପିକୁ ଦୋଷରୋପ କରୁନି, କିନ୍ତୁ ଚିଠିର ବାସ୍ତବତାକୁ ତନ୍ନତନ୍ନ କରି ଯାଞ୍ଚ କଲେ ଏହି ଚିଠିରେ ଯେ ଗଡବଡ଼ ରହିଛି ତାହା ଜଳଜଳ ଦିଶୁଛି । ହଁ, ହେଇପାରେ ସେବେକାର କର୍ଣ୍ଣାଟକର ଚିଠି ଆଉ ଏବେକାର ଓଡ଼ିଶାର ଚିଠି ଦୁଇଟିଯାକ ଠିକ ହୋଇପାରିଥାଏ । କେହି ଚକ୍ରାନ୍ତକାରୀ ମଧ୍ୟ ଗୋଳିଆ ପାଣିରୁ ଫାଇଦା ନେବା ପାଇଁ ଏମିତିକା ଚିଠି ପ୍ରହେଳିକା ସୃଷ୍ଟି କରିଥାଇ ପାରନ୍ତି ମାତ୍ର ଏହାର ସତ୍ୟାସତ୍ୟ ଜାଣିବା ପାଇଁ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି । ମାତ୍ର ତଦନ୍ତ ପୂର୍ବରୁ ପୁଲିସ ମହାନିର୍ଦ୍ଦେଶକ ଚିଠିଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଯେମିତି ଆଖିବୁଜା କ୍ଲିନଚିଟ ଦେଇଦେଲେ, ତାହାକୁ ନେଇ ସାଧାରଣରେ ସନ୍ଦେହ ଉତ୍ପନ୍ନ ହେଲାଣି । ଏ ସମଗ୍ର ଘଟଣାରେ ବିଜେପିର ଅଭିଯୋଗ ଉପରେ ବିଜେଡିର କୌଣସି ବରିଷ୍ଠ ନେତା ପ୍ରତିକ୍ରିୟା ପ୍ରକାଶ କରିବା ଆଗରୁ ସାମ୍ନାକୁ ବାହାରି ଆସିଲେ ରାଜ୍ୟ ପୁଲିସ ଡିଜି ଡ଼ଃ ଆର ପି ଶର୍ମା । ପୁଲିସ ଡିଜି ଅତ୍ୟନ୍ତ ତରବରିଆ ଭାବେ ଟ୍ୱିଟ କରି ଚିଠିକୁ ନକଲି ଦର୍ଶାଇବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଲେ । ଯାହାକୁ ନେଇ ଶ୍ରୀ ଶର୍ମାଙ୍କ ଉପରେ ମଧ୍ୟ ଆଙ୍ଗୁଳି ଉଠିଲାଣି ।

କଂଗ୍ରେସ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସମାନ ପ୍ରଶ୍ନ ଉଠାଇଛି । ପୁଲିସ ଡିଜି ଏ ଘଟଣାରେ ସଙ୍ଗେ ସଙ୍ଗେ ଏତେ ପ୍ରତିକ୍ରିୟାଶୀଳ କଣ ପାଇଁ ହୋଇଉଠିଲେ ସେ ନେଇ ସନ୍ଦେହ ପ୍ରକାଶ ପାଉଛି । ଚିଠିଟି ସତ କି ନୁହେଁ, ଚିଠିରେ ଉଲ୍ଲେଖ ଥିବା ନମ୍ବର, ତାରିଖ ଏବଂ ଚିଠିଟିର ବାସ୍ତବତାକୁ କୌଣସି ବିବୃତି ଦେବା ଆଗରୁ ପୁଲିସ ମୁଖିଆ ଭଲ ଭାବେ ଯାଞ୍ଚ କରିଥିଲେ କି ? ଏସବୁ କିଛି ନକରି ବିଜେଡି ନେତାଙ୍କ ଆଗରୁ ପୁଲିସ ମୁଖିଆ ନିଜ ବିଭାଗ ଏବଂ ନବୀନ ବାବୁଙ୍କୁ କ୍ଲିନଚିଟ ଦେବା ପଛରେ ତାଙ୍କର କିଛି ମନ୍ଦ ଉଦ୍ଦେଶ୍ୟ ନାହିଁ ତ ? ପୁଲିସ ମୁଖିଆ ହିସାବରେ ସେ ନିର୍ବାଚନ ଆଚରଣ ବିଧିକୁ ସମ୍ମାନ ନକରି ପଦବିର ନିରପେକ୍ଷତାକୁ ବଜାୟ ରଖିବା ପରିବର୍ତ୍ତେ ଗୋଟିଏ ନିର୍ଦ୍ଦିଷ୍ଟ ରଜନୈତିକ ଦଳର ମୁଖିଆଙ୍କ ପ୍ରତି ଏତେ ଦରଦକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଲାଣି । ଘଟଣାକୁ ନେଇ ସ୍ପେଶାଲ ବ୍ରାଞ୍ଚ ଏସପି କାର୍ତ୍ତିକେଶ୍ୱର ସାମଲ ଖରବେଲନଗର ଥାନାରେ ଏତଲା ଦାୟର କରିଛନ୍ତି ।

ତେବେ ବିଜେପି, ବିଜେଡି ଏବଂ ରାଜ୍ୟ ପୁଲିସ ମୁଖିଆଙ୍କ ଭୂମିକା ଏବେ ସନ୍ଦେହରେ । ଏପରି ସ୍ଥଳେ କିଏ କିଏ ସତ କହୁଛି କିଏ ମିଛ କହୁଛି ଏ ନେଇ ଧୀରେ ଧୀରେ ସଂଶୟ ବଢିଲାଣି । ତାହେଲେ କଣ ସତରେ……

Related Posts