କିଛି ବି ବେଆଇନ କାର୍ଯ୍ୟ ହୋଇନାହିଁ: OKCL

800 କୋଟିର e- ବିଦ୍ୟାଳୟ ଯୋଜନାରେ ଅନିୟମତତା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: 800 କୋଟି ଟଙ୍କାର ICT@school ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଖବର ସତ୍ୟପାଠରେ ପ୍ରକାଶ ପାଇବା ପରେ ଓଡ଼ିଶା ନଲେଜ କର୍ପୋରେସନ ବା (OKCL) ପକ୍ଷରୁ ଅଭିଯୋଗର ଜବାବ ରଖାଯାଇଛି । OKCL ପକ୍ଷରୁ କମ୍ପାନିର ଓକିଲ ଏକ ନୋଟିସ ଜରିଆରେ ଖବରରେ ଉଠାଯାଇଥିବା ଅଭିଯୋଗର ସ୍ପଷ୍ଟୀକରଣ ଦେବା ସହ ସତ୍ୟପାଠ ଓ ଏହାର ମୁଖ୍ୟ ସମ୍ପାଦକଙ୍କ ନାଁରେ ମାନହାନୀ ମକଦ୍ଦମାର ଧମକ ମଧ୍ୟ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ସତ୍ୟପାଠର ଫେସ୍‌କୁବ ପେଜ୍‌ରେ ଗତ ନଭେମ୍ବର 10ରେ 800 କୋଟି ଟଙ୍କା ପ୍ରକଳ୍ପରେ OKCLର ଘୋଟାଲା ସମ୍ପର୍କିତ ଖବର ପ୍ରସାରଣ କରାଯାଇଥିଲା । ଏହି ଖବରର ଅନେକ ତଥ୍ୟ ଉପରେ OKCL ପକ୍ଷରୁ ପ୍ରତିବାଦ କରାଯିବା ସହ ସତ୍ୟପାଠ ଦ୍ବାରା ପ୍ରସାରିତ ଖବର ତ୍ରୁତିପୂର୍ଣ୍ଣ, ଭ୍ରମାତ୍ମକ ଏବଂ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିବା କମ୍ପାନିର ଓକିଲଙ୍କ ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି । ଯେହେତୁ ଓକିଲ ନୋଟିସ ଜରିଆରେ କମ୍ପାନିର ଜବାବ ସତ୍ୟପାଠକୁ ଦିଆଯାଇଛି । ଯଦିଓ ସ୍ପଷ୍ଟୀକରଣରେ ଦିଆଯାଇଥିବା ତଥ୍ୟ ଭ୍ରମାତ୍ମକ ଏବଂ ସତ୍ୟ ଉପରେ ଆଧାରିତ ନୁହଁ ତଥାପି ମୂଲ୍ୟବୋଧ ଭିତ୍ତିକ ଏବଂ ଦାୟିତ୍ବ ସମ୍ପନ୍ନ ସାମ୍ବାଦିକତା ଦୃଷ୍ଟିରୁ OKCLର ସମସ୍ତ ସ୍ପଷ୍ଟୀକରଣକୁ ଆମେ ପାଠକଙ୍କ ଜାଣିବା ପାଇଁ ଏହି ଖବର ସ୍ଥାନିତ କରୁଛୁ ।

(1)- OKCL ପକ୍ଷରୁ କୁହାଯାଇଛି ଯେ ସତ୍ୟପାଠରେ ପ୍ରସାରିତ ଖବର ଭୁଲ, ଭିତ୍ତିହୀନ ଏବଂ ଖବରର ଅନୁସନ୍ଧାନ ଅତ୍ୟନ୍ତ ଦାୟିତ୍ବହୀନ ଭାବରେ କରାଯାଇଛି । ଏହାକୁ ଫେସ୍‌ବୁକ୍ ପେଜ୍‌ରେ www.satyapatha.com ୱେବସାଇଟ୍‌ରେ ବି ସ୍ଥାନିତ କରାଯାଇଛି । OKCLର ସୂଚନା ପାଇଁ ପ୍ରସାରିତ ଖବରଟି 23 ସେପ୍ଟେମ୍ବର 2020ରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ବିଭାଗୀୟ ପ୍ରମୁଖ ସଚିବଙ୍କୁ 800 କୋଟି ଟଙ୍କାର ICT@school ଯୋଜନାରେ ଚାଲିଥିବା e-ବିଦ୍ୟାଳୟ ପ୍ରକଳ୍ପରେ ବ୍ୟାପକ ଅନିୟମତତା ହୋଇଥିବା ସମ୍ପର୍କରେ ଏକ ବିସ୍ତ୍ରୁତ ରିପୋର୍ଟ ଦେଇଥିଲେ ଯେଉଁଥିରେ କାର୍ଯ୍ୟକାରୀ ସଂସ୍ଥା OKCLର ତ୍ରୁଟିପୂର୍ଣ୍ଣ ଭୂମିକା ସମ୍ପର୍କରେ ବିସ୍ତାର ଭାବରେ ରିପୋର୍ଟିଂ କରିବା ସହ ପ୍ରତିକୁଳ ମନ୍ତବ୍ୟ ଦେଇଛନ୍ତି । ଏକ ଦାୟିତ୍ବ ସମ୍ପନ୍ନ ଗଣମାଧ୍ୟମ ସଂସ୍ଥା ଭାବରେ ଏହି ସରକାରୀ ତଥ୍ୟକୁ ବୃହତର ଜନ ସ୍ବାର୍ଥ ଦୃଷ୍ଟିରୁ ପ୍ରକାଶ କରିଥିଲା । OKCL ପକ୍ଷରୁ ଯେଉଁ ପ୍ରତିବାଦ କରାଯାଇଛି ଯେ ସତ୍ୟପାଠରେ ପ୍ରକାଶିତ ଖବର ତ୍ରୁଟିପୂର୍ଣ୍ଣ ଓ ଭିତ୍ତିହିନ ଏହା ସମ୍ପୂର୍ଣ୍ଣ ଅଯଥାର୍ଥ । ଏହି ଖବର ଟି କେବଳ ଫେସ୍‌ବୁକ୍ ପେଜ୍‌ରେ ପ୍ରସାରିତ କରଯାଇଛି । ୱେବ୍‌ସାଇଟ୍‌ରେ ଏହା ସ୍ଥାନିତ ହୋଇନାହିଁ ।
(2)- OKCL ପକ୍ଷରୁ କୁହାଯାଇଛି ଯେ ପ୍ରକଳ୍ପ ସହ ଜଡ଼ିତ କୌଣସି କାର୍ଯ୍ୟକାରୀ ସଂସ୍ଥା ବା ଅଧିକାରୀଙ୍କ ସହ ଯୋଗାଯୋଗ କରାନଯାଇ ମନ୍ଦଉଦେଶ୍ୟ ରଖି କମ୍ପାନିକୁ ବଦନାମ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଛି । କମ୍ପାନି କର୍ତ୍ତୃପକ୍ଷଙ୍କ ସୂଚନାର୍ଥେ, ସତ୍ୟପାଠ ଏକ ନିରପେକ୍ଷ ଏବଂ ବିଶ୍ବସନୀୟ ଗଣମାଧ୍ୟମ ସଂସ୍ଥା । OKCLର ସୁନାମରେ ଆଞ୍ଚ ଆଣିବା ଏବଂ ଏହା ବିରୋଧରେ ଉଦ୍ଦେଶ୍ୟପୂର୍ଣ୍ଣ ଭୁଲ ଖବର ପ୍ରସାରିତ କରିବା ସତ୍ୟପାଠର କଦାଚିତ ଉଦେଶ୍ୟ ନୁହଁ । ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀଙ୍କ ଦ୍ବାରା ପ୍ରସ୍ତୁତ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ରିପେର୍ଟକୁ ଆଧାର କରି ସତ୍ୟପାଠ ପକ୍ଷରୁ ଉକ୍ତ ଖବରକୁ କେବଳ ଅବ୍‌ଜେକ୍ଟିଭ୍ ରିପୋର୍ଟଂ ଭାବରେ ପ୍ରସାରଣ କରାଯାଇଛି ।
(3) ସତ୍ୟପାଠରେ କୁହାଯାଇଥିଲା ‘OKCLରେ କ’ଣ କେଳେଙ୍କାରୀ ରହିଛି ଓଡ଼ିଶାରେ ତାକୁ ଗୋଟିଏ ଅଧ୍ୟାୟରେ କହିବା ଅସମ୍ଭବକ୍’ ଯାହାକୁ କର୍ତ୍ତୃପକ୍ଷ ପ୍ରତିବାଦ କରିବା ସହ ଭିତ୍ତିହୀନ ଏବଂ ବିନା ତଥ୍ୟରେ ଏହା କୁହାଯାଇଛି ଯାହାକି କ୍ଷତିକାରକ ବୋଲି କମ୍ପାନି କହିଛି । ସତ୍ୟପାଠରେ ପ୍ରସାରିତ ଖବର ସମସ୍ତ ସରକାରୀ ତଥ୍ୟ ଓ ପ୍ରମାଣକୁ ଆଧାର କରି କରାଯାଇଛି ।
(4)- OKCL ପକ୍ଷରୁ କୁହାଯାଇଛି ଯେ ସତ୍ୟପାଠରେ 800 କୋଟି ଟଙ୍କାର ଘୋଟାଲାରେ କମ୍ପାନିର ନାଁକୁ ଯୋଡ଼ା ଯାଇଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏହି ପ୍ରକଳ୍ପରେ କୌଣସି ସ୍କାମର ପ୍ରଶ୍ନ ମଧ୍ୟ ଉଠିବାର ଅବକାଶ ନାହିଁ । କମ୍ପାନିର ସୂଚନା ପାଇଁ ସମ୍ପୃକ୍ତ ଖବରରେ 800 କୋଟି ଟଙ୍କାର ପ୍ରକଳ୍ପରେ ଘୋଟାଲା ହୋଇଛି ବୋଲି କୁହାଯାଇଛି ନା ତ 800 କୋଟି ଟଙ୍କାର ଘୋଟାଲା ବୋଲି କୁହାଯାଇଛି ।
(5)- ସତ୍ୟପାଠରେ କୁହାଯାଇଥିଲା OKCLକୁ ସୁନ୍ଦର ଭାବରେ ସରକାରୀ ପ୍ରୋତ୍ସାହନରେ ସମସ୍ତ ବେଆଇନ ଓ ବେନିୟମ କାମ କରିବାରେ ବ୍ୟବସ୍ଥା କରାଯାଉଛି ଏବଂ ଯିଏ ଅନୁଚିତ ଅନୁକମ୍ପା ପାଉଛନ୍ତି ତାହା ହେଉଛନ୍ତି ନିଜେ ସରକାର । OKCL ପକ୍ଷରୁ କୁହାଯାଇଛି ଯେ ସମ୍ପୃକ୍ତ ଖବର ତ୍ରୁଟିପୂର୍ଣ୍ଣ ଏବଂ ଏଭଳି ବିବୃତି କମ୍ପାନୀର ଭାବମୂର୍ତ୍ତିକୁ ନଷ୍ଟ କରିବା ପାଇଁ ପ୍ରଣୋଦିତ । କମ୍ପାନିର ସୂଚାର୍ଥେ, ସତ୍ୟପାଠରେ ପ୍ରସାରିତ ଉକ୍ତ ପ୍ରସଙ୍ଗ ମଧ୍ୟ ସରକାରୀ ତଥ୍ୟ ଓ ଦସ୍ତାବିଜ୍ ଆଧାରରେ ହୋଇଛି ।
(6)- ସତ୍ୟପାଠରେ କୁହାଯାଇଥିଲା ଯେ OKCLକୁ ଏଥିପାଇଁ ଆମେ କହୁଛୁ କି ପେଷାଦାରି ଢଙ୍ଗରେ କରାଯାଉଛି, ଯଦି OKCLର ସାର୍ଟିଫିକେଟ୍‌ ଅଫ ଇନ୍‌କର୍ପୋରେସନରେ ରେଜିଷ୍ଟର ଠିକଣାଟି ଦିଆଯାଇଛି…ଏହା ଉପରେ OKCL ପକ୍ଷରୁ ବିରୋଧ ବ୍ୟକ୍ତ କରାଯାଇଛି ଏବଂ କୁହାଯାଇଛି ଯେ OKCL ଏକ ପ୍ରାଇଭେଟ୍ କମ୍ପାନି ନୁହଁ । OKCLକୁ ଏକ ପ୍ରାଇଭେଟ୍‌ ସଂସ୍ଥା କହିବା ଅର୍ଥ କମ୍ପାନି ଆକ୍ଟ ବାବଦରେ ସମ୍ପୃକ୍ତ ସଂସ୍ଥା ଓ ବ୍ୟକ୍ତିର କୌଣସି ଜ୍ଞାନ ନଥିବା ସହ ସମାନ ।
OKCLର ସୂଚନାର୍ଥେ, ସତ୍ୟପାଠ ପକ୍ଷରୁ OKCL ବାଦରେ କୁହାଯାଇଥିଲା ଯେ ଏହା ଏକ ସରକାରୀ ସଂସ୍ଥା ନୁହଁ ଏବଂ ଏହା ଏକ ଘରୋଇ ସଂସ୍ଥା । ଯେଉଁଥିରେ ସରକାରଙ୍କର କିଛି ଅଂଶଧନ ଅଛି ଏପରିକି 5 ଅଗଷ୍ଟ 2016ରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଥିଲା ଏହା ଏକ ସରକାରୀ ବା ସରକାରୀ ଉଦ୍ୟୋଗ ନୁହଁ । ତେଣୁ ସତ୍ୟପାଠର ଉଦ୍ଦେଶ୍ୟ ନୁହଁ OKCLକୁ ବଦନାମ କରିବା ଏହା କେବଳ ତଥ୍ୟକୁ ବୃହତର ଜନସ୍ବାର୍ଥ ଦୃଷ୍ଟିରୁ ପ୍ରସାର କରିବା ।
(7)-ସତ୍ୟପାଠରେ କୁହାଯାଇଥିଲା ଯେ କଣ୍ଟ୍ରାକ୍ଟ ସର୍ତ୍ତାବଳିକୁ ଉଲ୍ଲଂଘନ କରାଯାଇଛି ଏବଂ ଯନ୍ତ୍ରାଂଶର ସ୍ପେସିଫିକେସନରେ ମଧ୍ୟ ବୁଝାମଣା କରାଯାଇଛି । ଏହା ଉପରେ ମଧ୍ୟ OKCL ପକ୍ଷରୁ ପ୍ରତିବାଦ କରାଯାଇଛି । କମ୍ପାନି ପକ୍ଷରୁ କହାଯାଇଛି ଯେ ଭେଣ୍ଡର ମ୍ୟାନେଜମେଣ୍ଟ କୌଣସି ଭୁଲ କାର୍ଯ୍ୟ କରାଯାଇ ନାହିଁ । OKCLର ସୂଚନାର୍ଥେ ଏ ସମସ୍ତ ଅଭିଯୋଗ ରାଜ୍ୟ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ତାଙ୍କର ଅତିଗୁରୁତ୍ବପୂର୍ଣ୍ଣ ରିପୋର୍ଟରେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି । ସତ୍ୟପାଠ କେବଳ ସେହି ତଥ୍ୟକୁ ପ୍ରସାରଣ କରିଛି ।
(8)- ସତ୍ୟପାଠରେ କୁହାଯାଇଥିଲା ଯେ କରୋନା ମହାମାରୀ ସମୟରେ ଯେଉଁ ସପ୍ଟୱୟାରର ଆବଶ୍ୟକତା ନାହିଁ ତାହାକୁ 12 କୋଟି ଟଙ୍କା ଦେଇ କିଣାଯାଇଛି, ଯେତେବେଳେ ସମାନ ସଫ୍ଟୱୟାର କିଣାସରିଥିଲା । ଏହା ଉପରେ OKCLର ପ୍ରତିବାଦ ହେଲା ଯେ କମ୍ପାନି ପକ୍ଷରୁ 12 କୋଟି ଟଙ୍କା ମୂଲ୍ୟରେ କୌଣସି ସଫ୍ଟୱୟାର କରୋନା ସମୟରେ କିଣାଯାଇ ନାହିଁ । ସତ୍ୟପାଠରେ କୁହାଯାଇଥିବା ବିବୃତି ସମ୍ପୂର୍ଣ୍ଣ ଭିତ୍ତିହୀନ ।
OKCLର ସୂଚନାର୍ଥେ, ଏହା ସରକାରୀ ତଥ୍ୟ ଆଉ ରିପୋର୍ଟ ଆଧାରରେ ସତ୍ୟପାଠରେ ପ୍ରକାଶ କରାଯାଇଛି ।
(9) – ସତ୍ୟପାଠରେ କୁହାଯାଇଛି ଯେ କମ୍ପ୍ୟୁଟର ହାର୍ଡୱେୟାର OKCL ସପ୍ଲାଏ ଦେଲା ସେହି OKCL ନିଜେ ଭେରିଫିକେସନ କଲା ଆଉ ସେ ନିଜେ ସାର୍ଟିଫିକେଟ୍‌ ଦେଲା ଯେ ସବୁ ଠିକ୍ ଅଛି । କମ୍ପାନିର ପ୍ରତିବାଦ ହେଲା କି ଏହା ସମ୍ପୂର୍ଣ୍ଣ ଭୁଲ । OKCL କୌଣସି ସାମଗ୍ରୀ ସପ୍ଲାଏ କରିନାହିଁ ।
OKCLର ସୂଚନାର୍ଥେ, ଏହି ପ୍ରକଳ୍ପରେ OKCLର ଭୂମିକା ହେଲା ପ୍ରୋଜେକ୍ଟ ମନିଟରିଂ ଏଜେନ୍ସି ଏବଂ OKCL ନିଜେ ଦୁଇଟି ସଂସ୍ଥା IL&FS ଏବଂ TCILକୁ କାର୍ଯ୍ୟକାରୀ ସଂସ୍ଥା ଭାବେ ବାଛିଥିଲା । ତେଣୁ ଏହି ଦୁଇଟି ସଂସ୍ଥା ଯେଉଁ ହାର୍ଡୱେର ସପ୍ଲାଏ କରିଥିଲେ ତାହାର ଭେରିଫିକେସନ ପାଇଁ ଜିଲ୍ଲା ସ୍ତରରେ କମିଟି କରିବା କଥା କିନ୍ତୁ ତାହା କରାନଯାଇ ଯେଉଁମାନେ ସପ୍ଲାଏ ଦେଇଥିଲେ ସେଇମାନେ ନିଜେ ନିଜର ରିପୋର୍ଟ ଦେଲେ ଆଉ ପରବର୍ତ୍ତୀ ସମୟରେ ଯାହାକୁ OKCL କ୍ଲିନ୍‌ଚିଟ୍ ଦେଇଥିଲା ।

ସୁତରାଂ ସମ୍ପୃକ୍ତ ICT@School ଯୋଜନାରେ ହୋଇଥିବା ଅନିୟମିତତା ସମ୍ପର୍କିତ ଖବର ପ୍ରସାରଣ ପଛରେ ଏକମାତ୍ର ଉଦେଶ୍ୟ ହେଉଛି ବୃହତର ଜନସ୍ବାର୍ଥ । OKCL ବା ଅନ୍ୟ କୌଣସି ସରକାର କିମ୍ବା ବେସରକାରୀ ଅଧିକାରୀଙ୍କୁ ବଦନାମ କରିବା ବା କମ୍ପାନିର ସୁନାମରେ ଆଞ୍ଚ ଆଣିବା ସତ୍ୟପାଠର ଆଦୋଉଁ ଉଦେଶ୍ୟ ନୁହେଁ । ସେ ଦୃଷ୍ଟିରୁ ସ୍ବଚ୍ଛ ଏବଂ ଦୁର୍ନୀତି ମୁକ୍ତ ପ୍ରଶାସନକୁ ଯଦି OKCL ସମର୍ଥନ କରୁଥାଏ ତେବେ ସରକାରୀ ତଥ୍ୟ ଓ ସତ୍ୟ ଆଧାରରେ ଖବର ପ୍ରସାରଣ କରୁଥିବା ସଂସ୍ଥା ଏବଂ ସାମ୍ବାଦିକଙ୍କ ବିରୋଧରେ ମାନହାନି ମକଦ୍ଦମା ଓ ଫୌଜଦାରି ମାମଲା ଦାଏର କରିବାର ଧମକ ଅଗଣାତାନ୍ତ୍ରିକ ଏବଂ ଗଣମାଧ୍ୟମକୁ ଭୟଭୀତ କରିବା ଉଦେଶ୍ୟ ପ୍ରଣୋଦିତ ବୋଲି ବିବେଚନା କରାଯିବ ।

Related Posts