ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନର ବାଂଶଓ୍ବାରା ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ରୋଗୀଙ୍କୁ ନେଇ ହସ୍ପିଟାଲ ଯିବା ରାସ୍ତାରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମଝି ରାସ୍ତାରେ ରୋଗୀଙ୍କ ପରିବାର ଲୋକେ ଆମ୍ବୁଲାନ୍ସଟିକୁ ଠେଲିଠେଲି ନେଉଥିବାର ଭିଡ଼ିଓ ଭାଇରାଲ ହେଉଥିବା ବେଳେ ଏହି ହୃଦୟ ବିଦାରକ ଘଟଣା ସମସ୍ତଙ୍କୁ ଚକିତ କରିଛି । ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ବାଂଶଓ୍ବାରା ଜିଲ୍ଲା ଦାନପୁର ଅଞ୍ଚଳରେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନା ଅନୁସାରେ, ଦାନପୁର ଅଞ୍ଚଳର ୪୦ ବର୍ଷୀୟ ତେଜିୟା ହଠାତ୍‌ ଅଚେତ୍‌ ହୋଇଯିବାରୁ ପରିବାର ଲୋକେ ୧୦୮କୁ ଫୋନ୍‌ କରି ଆମ୍ବୁଲାନ୍ସ ଡକାଇଥିଲେ । କିଛି ସମୟ ମଧ୍ୟରେ ସେଠାରେ ଆମ୍ବୁଲାନ୍ସ ପହଞ୍ଚି ତାଙ୍କୁ ହସ୍ପିଟାଲ ବହାରିଥିଲା । ତେବେ ଯିବା ରାସ୍ତାରେ ହଠାତ୍‌ ଆମ୍ବୁଲାନ୍ସରୁ ତେଲ ସରିଯାଇଥିଲା । ଏପଟେ ତେଜିୟାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡିବାରେ ଲାଗିଥିଲା । ପରିବାର ଲୋକ ବାଧ୍ୟ ହୋଇ ଆମ୍ବୁଲାନ୍ସକୁ ଠେଲିଠେଲି ନେଇଥିଲେ ସୁଦ୍ଧା ରାସ୍ତାରେ ହିଁ ରୋଗୀଙ୍କ ଜୀବନ ଚାଲିଯାଇଥିଲା ।

ଘଟଣାକୁ ନେଇ ବାଂଶଓ୍ବାରାର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, ‘ଘଟଣା ବାବଦରେ ଆମେ ଅବଗତ ହୋଇଛୁ । ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆମେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବୁ ଏବଂ ଏଥିରେ କିଏ ଅବହେଳା କରିଛି ଖୋଜି ବାହାର କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ନିଆଯିବ । ୧୦୮ ମୁଖ୍ୟତଃ ବେସରକାରୀ ସଂସ୍ଥା ଦ୍ବାରା କାର୍ଯ୍ୟକାରୀ ହେଉଛି । ସେମାନେ ଆମ୍ବୁଲାନ୍ସର ରକ୍ଷଣାବେକ୍ଷଣ ଏବଂ ଚଳାଚଳ ପାଇଁ ଠିକା ନେଇଛନ୍ତି।’