
ରାଜନେତା, ସମାଜସେବୀ, ଉଦ୍ୟୋଗପତି ଓ ଦୈନିକ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଲେଖାର ଶୈଳୀ ଖୁବ୍ ସରଳ ଏବଂ ସୂଚନାଭରା। ତାଙ୍କର ଲୋକପ୍ରିୟ ସଂପାଦକୀୟ ” ଆମ ଘରର ହାଲଚାଲ ” ରେ ସୌମ୍ୟ ବାବୁ (ଥରେ ଅଧେ ଛାଡ଼ିଦେଲେ) ନିଜର ମତକୁ ବିଶ୍ଵାସର ସହ ଦୃଢ଼ ଭାବରେ ରଖିଥାନ୍ତି। ଥରୁଟିଏ ପଢିଦେଲେ ତାଙ୍କ ଇସାରାକୁ ଠିକ୍ ଭାବରେ ବୁଝି ହେବ। ମାତ୍ର ଆଜି ( ୧୮ ଜୁନ) ର ଲେଖାକୁ ପ୍ରଥମ ଥର ପାଇଁ ଦୁଇଥର ପଢିବାକୁ ପଡ଼ିଲା। ଏମିତି ବୁଲେଇ ବଙ୍କେଇ ମୋଡ଼ି ମକଚି କଥାଟିକୁ କହିଛନ୍ତି ଯେ ସାଧାରଣ ପାଠକ ଦୂରର କଥା ସୌମ୍ୟ ବାବୁଙ୍କୁ ଅଳ୍ପ ବହୁତ ଜାଣିଥିବା ଲୋକର ବି ମୁଣ୍ଡ ବୁଲେଇଦେବ।
ଆଜିର ଆମ ଘରର ହାଲଚାଲ ଲେଖା ଦେଖି ଲାଗିଲା ସୌମ୍ୟ ବାବୁ ମାସ୍କ ଘୋଟାଲା ବା କୋଭିଡ ପ୍ରୋକ୍ୟୁରମେଣ୍ଟ ଉପରେ ନିଶ୍ଚୟ କିଛି ଆଖି ଖୋଲିଯିବା ଭଳି କଥା ଲେଖିଥିବେ। ଆଶ୍ଚର୍ଯ୍ୟର କଥା, ଯେଉଁ ପ୍ରସଙ୍ଗ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ସେ ବାବଦରେ ସେ ପଦୁଟିଏ ବି ଲେଖି ନାହାନ୍ତି। ଆଉ ଯାହା ଲେଖିଛନ୍ତି ତାକୁ ଧରିବାକୁ ଏ ପ୍ଲସ ବୁଦ୍ଧି ଦରକାର।