ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମାଳ ମାଳ ନେତା ସରକାରୀ ଅଫିସର ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ବୁଡି ରହିଛନ୍ତି। ଆଉ ଇଡିର ତଦନ୍ତ ଦେଖି ଏବେ ଅନେକ ବଡ ବଡିଆ ଛାନିଆ ହୋଇଛନ୍ତି। ଏହାରି ଭିତରେ ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ବିରୋଧୀ କଂଗ୍ରେସ ଓ ବିଜେପି ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇଛନ୍ତି।

ଅଧିବେଶନର ପ୍ରଥମ ଦିନରେ ଆର୍ଥିକ ବଜେଟ ଅପରାହ୍ନ ୫ଟା ସମୟରେ ଉପସ୍ଥାପନ ହୋଇଥିବା ବେଳେ ବିରୋଧୀ କଂଗ୍ରେସ ଏବଂ ବିଜେପି ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇ ହୋ ହାଲ୍ଲା କରିଥିଲେ। ପରେ ସୋମବାର ଯାଏ ଗୃହ ମୁଲତବୀ ରହିଛି।

କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଗୃହରେ ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ଏହି ମାମଲାରେ ଇଡି ତଦନ୍ତ ଠିକ୍ ଭାବେ ଚାଲିଛି। ଯେଉଁମାନଙ୍କୁ ପୁଲିସ ଛାଡିଥିଲା ସେହିମାନଙ୍କୁ ଇଡି ନୋଟିସ୍ କରିଛି। ଆଉ ଏମାନଙ୍କୁ ଡାକି ଜେରା କରୁଛି। ଏହି ମାମଲାରେ ଏସଆଇଟି ମଧ୍ୟ ରିପୋର୍ଟ ମାଗିଛି। ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖିବା ଦରକାର। ହେଲେ ମୁଖ୍ୟମନ୍ତ୍ରୀ ନିରବ ରହି ଦଳୀୟ ନେତାଙ୍କୁ ଘଣ୍ଟ ଘୋଡାଉଛନ୍ତି। ସେହିପରି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ସମାନ କଥା କହି ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଥିଲେ।

ତେବେ ଏହାକୁ ନେଇ ରୋଚକ ଥିଲା ବିଜେଡିର ଜବାବ। ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏନେଇ କହିଛନ୍ତି ଯେ, ଜନସାଧାରଣମାନେ ଆମକୁ ପବିତ୍ର ବିଧାନସଭାକୁ ନିର୍ବାଚିତ କରି ପଠାଇଛନ୍ତି । ଆମେ ମାନେ ନିର୍ବାଚିତ ହୋଇ ଆସିଛୁ ସାଧାରଣ ଲୋକଙ୍କ ବହୁ ସମସ୍ୟା ଉପରେ ଆଲୋଚନା ପାଇଁ। କୃଷି ଠାରୁ ଆରମ୍ଭ କରି ରାସ୍ତା ଘାଟ ପାଣି ସମସ୍ୟା ରହିଛି ଆଲୋଚନା ପାଇଁ। ଲୋକେ ଅନେଇ ବସି ନାହାଁନ୍ତି ଅର୍ଚ୍ଚନା ନାଗ କଥା କୁ ଆଲୋଚନା କରି ଗୃହର ସମୟ ନଷ୍ଟ କରିବାକୁ। ସେମାନେ ଅର୍ଚ୍ଚନା ନାଗ ଭଳି ଅଯଥା ପ୍ରସଙ୍ଗ ଆଲୋଚନା କରିବାକୁ ବିଧାୟକଙ୍କୁ ପଠାଇ ନାହାନ୍ତି। ବିରୋଧୀ ଏପରି କରି ବିଧାନସଭା ସମୟ ବରବାଦ କରୁଛନ୍ତି। ଆମେ କେତେବେଳେ ବି ଭୟଭୀତ ନୁହେଁ। ସରକାର ସବୁବେଳେ ସବୁ କଥା ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।ବିରୋଧୀ ଠିକ୍ ଫୋରମ୍ ରେ ଆସନ୍ତୁ ବୋଲି ସେ କହିଛନ୍ତି।

ପ୍ରମିଳା ଆହୁରି କହିଛନ୍ତି ଯେ, ଏହି ମାମଲାରେ ବିଜେପି ନେତାଙ୍କର ସମ୍ପୃକ୍ତି ରହିଛି। ଇଡି ତଦନ୍ତ କରୁଛି ଠିକ୍ ସମୟରେ ସତ କଥା ସାମ୍ନାକୁ ଆସିବ। ବିଜେପି ନେତାଙ୍କ ସଂପୃକ୍ତି ଅଧିକ ବାହାରିବ ଅପେକ୍ଷା କରନ୍ତୁ। ଇଡି କୁ ସେମାନେ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି। କାହାର ଭାଇ ଙ୍କୁ ଇଡି ଜେରା କଲା କହିବାର ନାହିଁ। ଇଡି ତଦନ୍ତ କରୁଛି, ଯାହାର ସଂପୃକ୍ତି ଆସିବ ସେ ଦଣ୍ଡ ପାଇବ। ବିଧାନ ସଭା ସମୟର ଏଭଳି ପ୍ରସଙ୍ଗ ବାରମ୍ବାର ଆସୁଛି। ସମୟ ନଷ୍ଟ କରୁଛନ୍ତି ବିରୋଧୀ ଦଳ ବୋଲି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି।