ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଥିବାବେଳେ ସକାଳ ୯ଟା ସୁଦ୍ଧା ୮.୫୦ ପ୍ରତିଶତ ମତଦାନ ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି। ସେ କହିଛନ୍ତି ଯେ, ଏଯାଏଁ କୌଣସି ସ୍ଥାନରେ କିଛି ଅପ୍ରୀତିକର ପରିସ୍ଥିତି ଘଟିବାର ସୂଚନା ନାହିଁ। ସକାଳ ୭ଟାରୁ ୩୧୯ଟି ବୁଥରେ ମତଦାନ ଚାଲିଛି। ଏଥିପାଇଁ ପୁଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଅପରାହ୍ନ ୪ଟାରେ ମତଦାନ ଶେଷ ହେବ। ମତଦାନ ପ୍ରକ୍ରିୟା ସରିଲେ ପୋଲିଂ ପାର୍ଟିମାନେ କିପରି ସୁରକ୍ଷିତ ଭାବେ ଫେରିବେ ସେଥିଲାଗି ବି ବନ୍ଦୋବସ୍ତ ହୋଇଛି। ମକପୋଲ୍ ଲାଗି ଉଦ୍ଧିଷ୍ଟ ୪ଟି ଇଭିଏମ୍ ଅଚଳ ହୋଇଥିଲା। ଅନ୍ୟତ୍ର ସେଭଳି ସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ସିଇଓ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଆଜି ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଛି। ମୋଟ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିନି ବ୍ଲକର ମୋଟ ୨ ଲକ୍ଷ ୬୯ ହଜାରରୁ ଅଧିକ ମତଦାତା। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲିବ। ସୁରକ୍ଷା ଦୃଷ୍ଟିରୁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୋଲିଂ ଟିମ୍ଗୁଡ଼ିକ ଗତକାଲିଠାରୁ ନିଜ ନିଜ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପହଞ୍ଚି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛନ୍ତି। ପଦ୍ମପୁର ନିର୍ବାଚନମଣ୍ଡଳୀରେ ଏଥର ୩୧୯ଟି ବୁଥ୍ରେ ୨,୬୯,୩୨୬ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ। ଏଥିରେ ୧,୩୦,୩୩୧ ଜଣ ପୁରୁଷ, ୧,୨୮,୯୮୧ ଜଣ ମହିଳା ଓ ୧୪ ଜଣ ତୃତୀୟ ଲିଂଗୀ ଭୋଟର୍ ରହିଛନ୍ତି।
ନିର୍ବାଚନମଣ୍ତଳୀରେ ସମୁଦାୟ ୩୧୯ଟି ବୁଥ୍ରୁ ୪୬ଟି ମାଓ ଅଧ୍ୟୁଷିତ ଇଲାକାରେ ରହିଛି। ୧୫୨ଟି ସମ୍ବେଦନଶୀଳ ଓ କ୍ରିଟିକାଲ୍ ବୁଥ୍ ରହିଛି। ଏହି ବୁଥ୍ଗୁଡ଼ିକରେ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ପାଇଁ ସିସିଟିଭି ଓ ୱେବ୍ କ୍ୟାମେରା ବ୍ୟବହାର ସହ ବୁଥ୍ ପିଛା ଜଣେ ମାଇକ୍ରୋ ଅବଜର୍ଭର ରହିଛନ୍ତି। ମୋଟ ୩୧୯ଟି ବୁଥରେ ୧୨୭୬ ଜଣ ପୋଲିଂ ଅଧିକାରୀ ୧୨୮ ଜଣ ରିଜର୍ଭ ପୋଲିଂ ଅଧିକାରୀ ରହିଛନ୍ତି। ୩୮ ଜଣ ପୁଲିସ ଅଧିକାରୀ, ୩୪ ସେକ୍ସନ ସିଆର୍ପିଏଫ୍, ୩୧୯ ସୁରକ୍ଷା କର୍ମୀ, ୧୨୩ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ନିର୍ବାଚନମଣ୍ଡଳୀର ପ୍ରତି ବ୍ଲକରେ ୨ଟି ଲେଖାଏଁ ମୋଟ୍ ୬ଟି ପିଙ୍କ୍ ବୁଥ୍ ଓ ୧୫ଟି ଆଦର୍ଶ ଭୋଟ୍ ଗହଣ କେନ୍ଦ୍ର କରାଯାଇଛି।