ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ପାକିସ୍ତାନ ଅଶାନ୍ତ; ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ସାରା ଦେଶରେ ୟୁଟ୍ୟୁବ୍, ଫେସବୁକ୍ ଓ ଟ୍ବିଟର ସେବା ଠପ୍

ଭୁବନେଶ୍ୱର,୧୦/୫(ସତ୍ୟପାଠ ବ୍ୟୁରୋ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ପରେ ଅଶାନ୍ତ ହୋଇପଡ଼ିଛି ପୂରା ଦେଶ । ପାକିସ୍ତାନର ବିଭିନ୍ନ ସ୍ଥାନରେ ସ୍ଥିତି ଅଣାୟତ ହୋଇପଡିଛି । ଇମ୍ରାନଙ୍କ ସମର୍ଥକମାନେ ଗିରଫଦାରୀକୁ ତୀବ୍ର ବିରୋଧ କରିବା ସହିତ ହିଂସାକାଣ୍ଡ ଆରମ୍ଭ କରିଦେଇଛନ୍ତି । ରାଓ୍ବଲପିଣ୍ଡିରେ ଥିବା ସେନା ମୁଖ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।ଫଳରେ ବାଧ୍ୟ ହୋଇ ପାକିସ୍ତାନର କିଛି ସ୍ଥାନରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଥିବା ବେଳେ ପୂରା ଦେଶରେ ଫେସବୁକ୍, ୟୁଟ୍ୟୁବ ଓ ଟ୍ବିଟର୍‌ ବନ୍ଦ କରାଯାଇଛି ।

ସେପଟେ ଇସଲାମାବାଦ ହାଇକୋର୍ଟ ଇମ୍ରାନ ଖାନଙ୍କୁ ଏକ ବଡ ଝଟକା ଦେଇଛନ୍ତି। ଇମ୍ରାନ ଖାନଙ୍କ ଗିରଫଦାରୀକୁ ହାଇକୋର୍ଟ ସମର୍ଥନ କରିଛନ୍ତି। ଅନ୍ୟପଟେ ହିଂସାକାଣ୍ଡ ତୀବ୍ର ହେବା ଆଶଙ୍କାରେ ବୁଧବାର ପାକିସ୍ତାନରେ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ କରାଯିବା ସହିତ ଘରୋଇ ସ୍କୁଲ ଗୁଡିକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଛୁଟି ଘୋଷଣା କରାଯାଇଛି । ମଙ୍ଗଳବାର ଇମ୍ରାନ ଖାନଙ୍କୁ ପାକିସ୍ତାନୀ ରେଞ୍ଜର୍ସ ଗିରଫ କରିବା ପରେ ବିଭିନ୍ନ ସ୍ଥାନରେ ତୀବ୍ର ବିରୋଧ ପ୍ରଦର୍ଶନ କରିଛନ୍ତି ପାକିସ୍ତାନ ତେହରିକ୍-ଇ-ଇନସାଫ୍‌ ଦଳର କର୍ମୀ । ରାଓ୍ବଲପିଣ୍ଡି ସେନା ମୁଖ୍ୟାଳୟରେ ପୋଡାଜଳା ଓ ଭଙ୍ଗାରୁଜା କରିବା ସହିତ ଫୈସଲାବାଦରେ ଥିବା ଆଇଏସଆଇ ଓ ଗୁଇନ୍ଦା କାର୍ଯ୍ୟାଳୟରେ ମଧ୍ୟ ବ୍ୟାପକ ମାତ୍ରାରେ ଭଙ୍ଗାରୁଜା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପିଟିଆଇ ମୁଖ୍ୟ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଦୀର୍ଘ ଦିନ ହେଲା ପ୍ରୟାସ କରାଯାଉଥିଲା । ଏପରିକି ଅନେକ ଥର ଇମ୍ରାନଙ୍କ ବାସଭବନକୁ ଘେରାଉ କରାଯାଇ ଗିରଫ କରିବାକୁ ପ୍ରୟାସ କରାଯାଇଥିଲା । କିନ୍ତୁ ଦଳୀୟ ସମର୍ଥକ ତାହା କରାଇ ଦେଇନଥିଲେ । ହେଲେ ମଙ୍ଗଳବାର ଇମ୍ରାନ ଖାନ କୋର୍ଟରେ ହାଜର ହୋଇଥିବା ବେଳେ ତାଙ୍କୁ ଉଠାଇ ନେଇଥିଲେ ପାକିସ୍ତାନୀ ରେଞ୍ଜର୍ସ । ଏହାପରେ ପାକିସ୍ତାନ ଏକ ପ୍ରକାର ଅଶାନ୍ତ ହୋଇପଡ଼ିଛି।

Related Posts