ପାଣ୍ଡିଆନଙ୍କ ନଜର ମାଗ୍‌ସେସେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: 2019 ନିର୍ବାଚନ ପରେ ଓଡ଼ିଶା ପ୍ରଶାସନରେ ପଛ ପଟିଆ ନୁହେଁ, ସାମ୍ନା ପଟରୁ ଯେଭଳି ଭାବେ ପାଣ୍ଡିଆନଙ୍କୁ ପ୍ରମୁଖ ଭୂମିକା, ଦାୟିତ୍ବ ଓ କ୍ଷମତା ଦିଆଯାଇଛି ତାକୁ ନେଇ ଚାରିଆଡେ ଚର୍ଚ୍ଚା । ପାଖାପାଖି 6 ବର୍ଷ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରିହିବା ପରେ କିଛି ଦିନ ପରଦା ପଛରେ ରହିଲେ । ଆଉ ଏହା ପରେ ଯେତେବେଳେ ପରଦା ବାହାରକୁ ଆସିଲେ ସେତେବେଳେ ପୂରା ସର୍ବ ଶକ୍ତିମାନ ହୋଇ ବାହାରିଲେ । 5-ଟି ସଚିବ ହେବା ପରେ ସବୁ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ ଯାଏ ସମସ୍ତେ ତାଙ୍କ ପଛରେ ଧାଉଁଛନ୍ତି । ପାଣ୍ଡିଆନଙ୍କ ଏଭଳି ଆର୍ବାଭାବ ପରେ ଅନେକ ଚର୍ଚ୍ଚା କରୁଛନ୍ତି ଯେ ସେ ବୋଧେ ରାଜନୀତି କରିବେ । ଆଉ କିଛି ଲୋକ ଚର୍ଚ୍ଚା କରୁଛନ୍ତି ଯେ ନବୀନ ବାବୁଙ୍କ ପରେ ବୋଧେ ପାଣ୍ଡିଆନ ସିଧାସଳଖ ବିଜୁ ଜନତା ଦଳର ମଙ୍ଗ ଧରିବେ । ଏଭଳି ଚର୍ଚ୍ଚା ଚାଲିଥିବା ବେଳେ ପ୍ରକୃତରେ ପାଣ୍ଡିଆନଙ୍କ ନଜର କାହା ଉପରେ ରହିଛି ତାକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି । ତୃତୀୟ ମହଲାର ମାନ୍ୟବରଙ୍କ ଚୌକୀ ଉପରେ ନା ପ୍ରଶାସନର ସବୁ ଦଉଡ଼ିକୁ ତାଙ୍କ ହାତରେ ରଖିବେ, ନା ଆଉ କ’ଣ ? ଏ ସମସ୍ତ ଚର୍ଚ୍ଚା ଭିତରେ ଯଦି ପାଣ୍ଡିଆନଙ୍କ କାର୍ଯ୍ୟକଳାପକୁ ଲକ୍ଷ୍ୟ କରାଯାଏ ତେବେ ଗୋଟିଏ ସନ୍ଦେସ ସାମ୍ନାକୁ ଆସୁଛି ତାହା ହେଲା, ଏସମସ୍ତ ଚର୍ଚ୍ଚା ଭିତରୁ କାହା ଉପରେ ବି ପାଣ୍ଡିଆନଙ୍କ ନଜର ନାହିଁ । ତାଙ୍କ ଆଖ ପାଖରେ ଥିବା କିଛି ଲୋକଙ୍କର ବିଶ୍ବାସ ଯେ ଏସିଆର ନୋବେଲ କୁହାଯାଉଥିବା ‘ରାମଣ ମାଗ୍‌ସେସେ ଆୱାର୍ଡ’ ଉପରେ ଏବେ 5-ଟି ସାର ନଜର ରଖିଛନ୍ତି । ଏହା କିଛି ଲୋକଙ୍କୁ ହଠାତ ବିଶ୍ବାସ ହେଲା ଭଳି ଲାଗୁ ନଥାଇପାରେ । କିନ୍ତୁ ପାଣ୍ଡିଆନଙ୍କ କାର୍ଯ୍ୟକଳାପକୁ ଦେଖିଲେ ଏହି ଭଳି ଏକ ସମ୍ମାନଜନକ ପୁରସ୍କାର ଉପରେ ତାଙ୍କର ନଜର ଥିବା ଜଣାପଡ଼ୁଛି ।

7ଟି କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ମିଳିଥାଏ ‘ରମଣ ମାଗ୍‌ସେସେ ଆୱାର୍ଡ’

1-ଏମରଜେଣ୍ଟ ଲିଡରସିପ୍, 2-ଅନ୍‌କାଟାଗୋରାଇଜ୍, 3- ସରକାରୀ ସେବା, 4- ଲୋକ ସେବା, 5-କମ୍ୟୁନିଟି ଲିଡରସିପ୍, 6-କଳା, ସାହିତ୍ୟ, ସାମ୍ବାଦିକତା, 7-ଶାନ୍ତି ଏବଂ ଅନ୍ତର୍ଜାତୀୟ ବୁଝାମଣା ପାଇଁ ଦିଆଯାଇଥାଏ ଏହି ପୁରସ୍କାର ।

ଏ ସମସ୍ତ କାଟେଗୋରୀ ଭିତରୁ ସରକାରୀ ସେବା କ୍ଷେତ୍ରରେ ‘ମାଗ୍‌ସେସେ ଆୱାର୍ଡ’ ପାଇବା ପାଇଁ ପାଣ୍ଡିଆନ ବାବୁ ଲକ୍ଷ୍ୟ ରଖିଛନ୍ତି । ଯେଭଳି ଭାବେ 2019 ନିର୍ବାଚନର କିଛି ଦିନ ପୂର୍ବରୁ ଏଯାଏ ସରକାର ଯେତେ ସବୁ କାର୍ଯ୍ୟକ୍ରମ କରୁଛନ୍ତି ସବୁଗୁଡ଼ିକର ନେତୃତ୍ବ ପାଣ୍ଡିଆନଙ୍କୁ ଦିଆଯାଉଛି । ନବୀନ ବାବୁ ସେଥିପାଇଁ ପାଣ୍ଡିଆନଙ୍କୁ 5-ଟି ସଚିବ କଲେ । ମୋ ସରକାର, 5-ଟି, ପିଠା, କାଳିଆ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଭଳି ସମସ୍ତ ଯୋଜନାର ଶ୍ରେୟ ପାଣ୍ଡିଆନଙ୍କୁ ଦିଆଯାଉଛି । ସାରା ବିଶ୍ବରେ ସରକାରୀ ସେବା ବା ପ୍ରଶାସନିକ ସେବାକୁ ସରଳ ଓ ଲୋକାଭିମୁଖୀ କରିବାକୁ ସବୁ ବେଳେ ନୂଆ ନୂଆ ଉପାୟ ଓଡ଼ିଶାରୁ ବାହାର କରାଯାଉଛି ବୋଲି ଏକ ଛବି ତିଆରି କରିବାକୁ ଚେଷ୍ଟା କରାଯାଉଛି । ଏସବୁକୁ ନଜରରେ ରଖି ହଠାତ୍ 5-ଟି ସଚିବଙ୍କୁ ଯେଭଳି ଭାବେ ନିଯୁକ୍ତି ଦିଆଗଲା । ଯାହାକୁ ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କଠାରୁ ଆରମ୍ଭ କରି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଯାଏ ସମସ୍ତେ ପ୍ରଶ୍ନ ଉଠାଇଥିଲେ । ଓଡ଼ିଶା ସରକାରଙ୍କ ରୁଲ୍‌ସ ଅଫ ବିଜ୍‌ନେସ ଅନୁସାରେ ବିଧିବଦ୍ଧ ଭାବେ ଗୋଟିଏ ବିଭାଗ ନଥାଇ କିଭଳି ଜଣେ ସଚିବ ନିଯୁକ୍ତି ହେଲେ ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ନାୟକ । ସରକାରଙ୍କ କାର୍ଯ୍ୟକ୍ରମରେ କ’ଣ 5-ଟି ନାହିଁ , ଯେଉଁଥି ପାଇଁ 5-ଟିର ନାଟକ ରଚାଗଲା ବୋଲି ସରକାରଙ୍କୁ ପାଲଟା ପ୍ରଶ୍ନ କରିଥିଲେ ସତ୍ୟ ପ୍ରକାଶ ।

ଯେଭଳି ଭାବେ ନିର୍ବାଚନ ପୂର୍ବରୁ ପ୍ରଶାସନିକ କଳରେ ଥିବା 3-ଟିକୁ ନିର୍ବାଚନ ପରେ ବିଧିବଦ୍ଧ ଭାବେ ପ୍ରଶାସନିକ ପରିଚାଳନାର ସୂତ୍ର ହିସାବରେ 5-ଟି କରାଗଲା । ଆଉ ସବୁ ବିଭାଗୁ ନିର୍ଦ୍ଦେଶ ଦିଆଗଲା ଯେ 5-ଟି ଅନୁଯାୟୀ କାର୍ଯ୍ୟ କର । ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ 5-ଟିର ସଚିବ ଭାବେ ନିଯୁକ୍ତି କରାଗଲା । ଯାହାକୁ ନେଇ ସେତେବଳେ ଅନେକ ପ୍ରଶ୍ନ ମଧ୍ୟ ଉଠିଲା ଯେ ଏହି 5-ଟି କାହିଁକି କରାଗଲା ? ସରକାର ନିଜର ପ୍ରଶାସନିକ କୁଶଳତାରେ ଥିବା ତ୍ରୁଟିକୁ ଲୁଚାଇ ଲୋକଙ୍କୁ ଭୁଆଁ ବୁଲାଇବାକୁ ଏଭଳି ଏକ ଫଣ୍ଡା ବାହାର କରିଛନ୍ତି ବୋଲି ବିରୋଧୀ ଅଭିଯୋଗ ହେଲା । କିନ୍ତୁ ଏବେ ଯାହା ଜଣାପଡ଼ିଛି, 2ଟି ଉଦ୍ଦେଶ୍ୟକୁ ନେଇ 5-ଟି କରାଯାଇଛି । ପ୍ରଥମଟି ହେଲା ଲଗାତର ୨୦ ବର୍ଷ ଧରି ନବୀନ ବାବୁ ମୁଖ୍ୟମନ୍ତ୍ରୀ ହୋଇ ରହିଥିବାରୁ ଉଭୟ ରାଜନୈତିକ ଏବଂ ପ୍ରଶାସନିକ ସ୍ତରରେ ଥିବା ଦୃବଳତା ଏବଂ ନେତା ମନ୍ତ୍ରୀମାନଙ୍କ ଅପରାଗତାକୁ ଲୋକଙ୍କ ନଜରରୁ ହଟାଇବା । ଅନ୍ୟଟି ହେଲା ଆନ୍ତର୍ଜାତୀୟସ୍ତରରେ ନିଜର ଉପଯୋଗୀତା ଓ ଉତ୍କୃଷ୍ଠତାକୁ ଦେଖାଇବା ପାଇଁ ପାଣ୍ଡିଆନ ବାବୁ ବ୍ରାଣ୍ଡିଂ କରିବା । ଏଥିପାଇଁ ନବୀନ ବାବୁ ମଧ୍ୟ ତାଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ଦେଇଛନ୍ତି । ତେଣୁ 5-ଟି କହିଲେ କେବଳ ପାଣ୍ଡିଆନଙ୍କୁ ବୁଝାଉଛି । ତାଙ୍କୁ ସମସ୍ତେ ରିପୋର୍ଟ କରୁଛନ୍ତି । 5-ଟି ଅଧୀନକୁ ସବୁ ବିଭାଗକୁ ଆଣି ଏହା ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ଯେଉଁ ମେସେଜ ଦିଆଯାଉଛି ତାହା ହେଲା ଭାରତ ବର୍ଷରେ ଓଡ଼ିଶା ଏକ ଗରିବ ଏବଂ ପ୍ରକୃତିକ ଦୁର୍ବିପାକରେ ପୀଡ଼ିତ ରାଜ୍ୟ ହୋଇଥିଲେ ବି ସେଠି ଏଭଳି ଏକ ସୁଦୂର ପ୍ରସାରୀ ପ୍ରଶାସନିକ ପରିଚାଳନା କାର୍ଯ୍ୟକ୍ରମଟି ଆରମ୍ଭ କରାଯାଇଛି । ଏମାନଙ୍କର ଜାତୀୟସ୍ତରରେ ଥିବା ମୁଖପାତ୍ରମାନେ ଏବେ ଏହି ଯୋଜନାର ଯେଭଳି ଭାବେ ପ୍ରଚାର ପ୍ରସାର କରୁଛନ୍ତି ସେଥିରୁ ଶୁଣାଯାଉଛି ଯେ କିଛି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ଲେଖକ, ସ୍ତମ୍ଭକାର, ଅର୍ଥନୀତି ବିସାରଦ ଏବଂ ପ୍ରଶାସନିକ ବିସାରଦଙ୍କୁ ବି କୁହାଯାଇଛି ଯେ ସେମାନେ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଜୋର୍ନାଲରେ 5-ଟିର ପ୍ରଚାର ପ୍ରସାର ପାଇଁ ଲେଖିବେ ।

କିଭଳି ନବୀନ ବାବୁଙ୍କ ସରକାର 5-ଟି ଭଳି ବିରାଟ ସୂତ୍ରଟିଏ ବାହାର କରି ଓଡ଼ିଶା ଭଳି ଏକ ଗରିବ ରାଜ୍ୟରେ ପ୍ରଶାସନକୁ କ୍ରିୟାଶୀଳ କରୁଛନ୍ତି ତାହାର ପ୍ରସାର ପ୍ରଚାର ପାଇଁ ଅନ୍ତର୍ଜାତୀୟ ସ୍ତରରେ ଲେଖା ବାହାର କରିବାକୁ ପ୍ରୟାସ ଚାଲିଛି । ବିଶେଷ କରି ସାମାଜିକ ଗଣମାଧ୍ୟରେ ପ୍ରଚାର ପ୍ରସାର ପାଇଁ କିଛି ବିଶ୍ବସ୍ତରରେ ସୁନାମ ଥିବା କିଛି ନିର୍ଦ୍ଦିଷ୍ଠ ଲୋକଙ୍କୁ ବ୍ୟବହାର କରାଯାଉଛି । ସେମାନଙ୍କର ଟ୍ବିଟ୍‌ରେ କିମ୍ବା ବ୍ଲଗ୍‌ରେ ଲେଖା ଲେଖାଯାଉଛି । ଏହାର ଉଦ୍ଦେଶ୍ୟ କେବଳ ଗୋଟିଏ ତାହା ହେଲା ‘ମାଗ୍‌ସେସେ ଆୱାର୍ଡ’ ପ୍ରଦାନ ପାଇଁ ଥିବା ଜୁରି ମେମ୍ବରଙ୍କ ନଜରରେ ଯେମିତି 5-ଟି କଥା ପହଞ୍ଚିବ । ଆଉ ତାର ଫଳାଫଳ ପାଣ୍ଡିଆନଙ୍କ ନାଁରେ ମାଗ୍‌ସେସେ ପୁରସ୍କାର ଆସିବ । ଏଥିପାଇଁ ମୋ ସରକାର, କାଳିଆ, ପିଠା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ ଯୁବ ବାହିନୀ ଏସବୁ କରାଯାଉଛି ।
ଶାସନରେ ରହିବାରେ ଏତେ ବର୍ଷ ଯାଏ ରାଜ୍ୟ ସରକାର ଏସବୁ ଯୋଜନା କରୁନଥିଲେ । ଏବେ ଏଭଳି କରିବାର ଏକମାତ୍ର କାରଣ ହେଲା ଯେ ଦେଶ ଏବଂ ବିଶ୍ବ ଆଗରେ ନିଜର ପାରିବା ପଣିଆ ଦେଖାଇବା ଯେ ଓଡ଼ିଶା ଭଳି ଗୋଟିଏ ରାଜ୍ୟ ଯେଉଁଠି ଲୋକଙ୍କୁ ସବୁ ପ୍ରକାର ସୁବିଧା ନିଜେ ସରକାର ଯୋଗାଇ ଦେଉଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ଯେତେ ଯୋଜନା ଥିଲା ସବୁ ଧୀରେ ଧୀରେ 5-ଟି ଅଧୀନକୁ ନିଆଯାଉଛି । ସେଥିପାଇଁ କେନ୍ଦ୍ର ସରକାରଙ୍କ ଆୟୁସ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ ନକରି ନିଜେ ସବୁ କରିଦେଉଛୁ ବୋଲି ଦେଖାଇବାକୁ ପ୍ରୟାସ ଚାଲିଛି ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ‘ମାଗସେସେ ପୁରସ୍କାର’ ପାଇଁ ସବୁଠୁ ଅଧିକ ଗୁରୁତ୍ବ ଯେଉଁ ବିଭାଗକୁ ଦିଆଯାଏ ଇଏ ସେହି ବିଭାଗରୁ 5-ଟି କାର୍ଯ୍ୟକ୍ରମ ଆରମ୍ଭ କଲେ । ବିଶେଷ କରି ଯେଉଁମାନେ ଆଇନ ଶୃଙ୍ଖଳା ଏବଂ ଲୋକଙ୍କୁ ସେବା ଯୋଗାଇବା କାର୍ଯ୍ୟକୁ ପ୍ରଭାବିତ କରିଛନ୍ତି ସେହି ବ୍ୟକ୍ତିମାନେ ଏହି ପୁରସ୍କାର ପାଇଛନ୍ତି । ସେଥିରେ ସ୍ବାସ୍ଥ୍ୟ ସେବା ଏବଂ ଆଇନ ଶୃଙ୍ଖଳା ପାଇଁ ପୋଲିସର ଦାୟିତ୍ବବୋଧ ସବୁଠୁ ବଡ଼ ପ୍ରସଙ୍ଗ ହୋଇଥାଏ । ବିଶ୍ବ ସ୍ତରରେ ପୋଲିସର କାମ ସବୁବେଳେ ସମାଲୋଚନା ଭିତରେ ରହିଥାଏ । ସେଥିପାଇଁ ନବୀନ ବାବୁ ଚତୁରତାର ସହ ଥାନା ଆଉ ଡାକ୍ତରଖାନାରୁ 5-ଟି ଆରମ୍ଭ କଲେ ।

ଓଡ଼ିଶା ଭଳି ରାଜ୍ୟରେ ମାନବାଧିକାର ଉଲ୍ଲଘଂନ ସବୁଠୁ ଅଧିକ ଅଛି, ଭାରତ ବର୍ଷରେ ନାବାଳିକାଙ୍କ ପ୍ରତି ଯୌନ ନିର୍ଯାତନାରେ ଓଡ଼ିଶା ଆଗରେ ରହିଛି । ଦୁଷ୍କର୍ମରେ ଦେଶରେ ଚତୁର୍ଥ ସ୍ଥାନରେ ଅଛି ଓଡ଼ିଶା । କ୍ରାଇମ ବ୍ୟୁରୋର ପରିସଂଖ୍ୟାନ କହୁଛି ଆଇନ ଶୃଙ୍ଖଳାରେ ଓଡ଼ିଶାର ସ୍ଥିତି ସାଙ୍ଘାତିକ। ବିଶେଷ କରି ଓଡ଼ିଶାର ଥାନା ଆଉ ପୋଲିସର ବ୍ୟବହାର ଅତ୍ୟନ୍ତ ଖରାପ ବା ବିପଜ୍ଜନକ ସ୍ଥିତିରେ ଅଛି । ତେଣୁ 5-ଟି ମାଧ୍ୟମରେ ଏହି ବିଭାଗରେ ସଂସ୍କାର ଆଣିବା କଥା କହିଲେ ଏହାର ଭଲ ବ୍ରାଣ୍ଡିଂ ହେବ ଏବଂ ମାଗ୍‌ସେସେର ଜୁରୀ ମେମ୍ବରମାନେ ଏହାକୁ ଗ୍ରହଣ କରିବେ ।

ସେପଟେ ସ୍ବାସ୍ଥ୍ୟ ସେବାରେ ଓଡ଼ିଶାର ପ୍ରତ୍ୟେକ ସୂଚକାଙ୍କ ଅତ୍ୟନ୍ତ ଦହନୀୟ ଏବଂ ବିପଜ୍ଜନକ ସ୍ଥିତିରେ ଅଛି । ମ୍ୟାଲେରିଆାରେ ଭାରତ ବର୍ଷରେ ଓଡ଼ିଶା ଏକ ନମ୍ବର, ଡାଏରିଆରେ ଦେଶ ତୁଳନାରେ ଓଡ଼ିଶାରେ ବହୁ ଅଧିକ ସଂଖ୍ୟାରେ ଲୋକଙ୍କ ଜୀବନ ଯାଏ । ମାତୃ ମୃତ୍ୟୁହାର ଏବଂ ଶିଶୁ ମୃତ୍ୟୁ ହାର କଥା ନକହିବା ଭଲ । ତେଣୁ ଯଦି ଜଣେ ଅଧିକାରୀ 5-ଟି ଜରିଆରେ ଡାକ୍ତରଖାନା ଏବଂ ଥାନାର ସ୍ଥିତିକୁ ସୁଧାରିବାରେ ସଫଳ ହେଉଛନ୍ତି ତେବେ ତାଙ୍କୁ ଏହି ସମ୍ମାନଜନକ ମାଗ୍‌ସେସେ ପୁରସ୍କାର ପାଇବାକୁ ସହଜ ହେବ ।

ଓଡ଼ିଶାର ୧୧୦ ପ୍ରାଥମିକ ଚିକିତ୍ସାଳୟରେ ଜଣେ ହେଲେ ବି ଡାକ୍ତର ନାହାନ୍ତି । ୨୯ ହଜାର ପାରାମେଡିକାଲ ଷ୍ଟାଫ ପଦବୀ ଫାଙ୍କା ପଡ଼ିଛି । ୩୦ଟି ଜିଲ୍ଲାରୁ ମାତ୍ର ୧୩ଟି ଜିଲ୍ଲାରେ ଡାଏଲିସିସି ସେଣ୍ଟର ଅଛି, ସେଥିପାଇଁ ରାଜ୍ୟରେ କିଡ଼ନୀ ରୋଗୀ କୁକୁର ମାଝି ଭଳି ମରୁଛନ୍ତି । ଦୁଃଖର ବିଷୟ ସାମାନ୍ୟ କୁକୁର କାମୁଡ଼ା ଇଞ୍ଜେକ୍ସନ ମିଳୁନି । କିନ୍ତୁ 5-ଟି, ମୋ ସରକାର ଜରିଆରେ ଥାନା ଆଉ ଡାକ୍ତରଖାନାର ସ୍ଥିତି ସୁଧାରିଥିବା ନେଇ ଯେଭଳି ଏହାକୁ ବ୍ରାଣ୍ଡିଂ କରାଯାଉଛି ଏହା ସ୍ପଷ୍ଟ କରୁଛି ଯେ ବାବୁଙ୍କ ନଜର ବହୁ ଆଗକୁ ଅଛି । ତାହା ହେଲା ରମଣ ମାଗ୍‌ସେସେ ପୁରସ୍କାର । ଯାହା ବାବୁଙ୍କର ବିରୋଧୀଙ୍କ ପାଟି ଚୁପ୍ କରିବାକୁ ଏହି ପୁରସ୍କାର କାମ କରିବ ।

ପୂର୍ବତନ ସରକାରୀ ଅଧିକାରୀ ବି ପାଇଛନ୍ତି ମାଗ୍‌ସେସେ ଆୱାର୍ଡ

2006ରେ ଅରବିନ୍ଦ କେଜରୀୱାଲ ସରକାରୀ ଚାକିରି ଛାଡ଼ିବା ପରେ ଦୁର୍ନୀତି ବିରୋଧରେ ସୂଚନା ଅଧିକାର ଆଇନକୁ ବ୍ୟବହାର କରି ସରକାରୀ ବ୍ୟବସ୍ଥାରେ ଏକ ବିରାଟ ପରିବର୍ତ୍ତନ କରିଥିଲେ। ଏଥିପାଇଁ ତାଙ୍କୁ ସେହି ବର୍ଷ ଅର୍ଥାତ 2006ରେ ଏମରଜିଙ୍ଗ ଲିଡରସିପ୍‌ ପାଇଁ ମାଗ୍‌ସେସେ ପୁରସ୍କାର ମିଳିଥିଲା । ଏହା ପରେ ସେ 2013ରେ ପ୍ରଥମେ 49 ଦିନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେଲେ । ସେହି ଭଳି ଦେଶର ପ୍ରଥମ ମହିଳା IPS ଅଫିସର କୀରଣ ବେଦି 1994ରେ ତିହାର ଜେଲ୍‌ରେ ବିଭିନ୍ନ ଉନ୍ନତିମୂଳକ କାମ ପାଇଁ ସରକାରୀ ସେବା କାଟେଗୋରୀରେ ପାଇଥିଲେ ରମଣ ମାଗସେସେ ପୁରସ୍କାର । ଏହା ପରେ 2015 ମସିହାରେ ବିଜେପି ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପାଇଁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ପୁଡୁଚେରୀର ରାଜ୍ୟପାଳ ହେଲେ । ଏବେ ପାଣ୍ଡିଆନ ବାବୁଙ୍କ ଲକ୍ଷ୍ୟ କିଛି ସେହିଭଳି ଥିଲା ଭଳି ଲାଗୁଛି । ଓଡ଼ିଶାରୁ ଏଯାଏ କେହି ଜଣେ ବି ଏହି ପୁରସ୍କାର ପାଇନଥିବା ବେଳେ ଯଦି ପାଣ୍ଡିଆନ ଏହି ସମ୍ମାନଜନକ ପୁରସ୍କାର ପାଇବାରେ ସଫଳ ହେଉଛନ୍ତି ତାହା କେବଳ ଓଡ଼ିଶା ପାଇଁ ନୁହେଁ ତାମିଲନାଡୁ ପାଇଁ ବି ଗର୍ବର ବିଷୟ ହେବ । ତେଣୁ ଏବେ କୁହାଯାଉଛି ଯେ 5-ଟିର କୁମୁଟ ପିନ୍ଧିବା ପଛରେ ପାଣ୍ଡିଆନଙ୍କ ଆଖି ରମଣ ମାଗ୍‌ସେସେ ଆୱାର୍ଡ ଉପରେ ରହିଛି ।

Related Posts