ପାଣ୍ଡିଆନ ହେବେ ମୁଖ୍ୟମନ୍ତ୍ରୀ !

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ବିଜୁ ଜନତା ଦଳରେ ନବୀନ ବାବୁଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା । ବିଜେଡିରେ ଯେତେ ନୁହେଁ, ତାଠାରୁ ଅଧିକ ଚର୍ଚ୍ଚା ବିରୋଧୀ କ୍ୟାମ୍ପରେ । କିଏ ସିଏ, ତାକୁ ନେଇ ସମସ୍ତେ ଜାରି ରଖିଛନ୍ତି ଆକଳନ । କିଛି ଲୋକଙ୍କ କହିବା କଥା ବିଜୁ ପରିବାରର ସଦସ୍ୟ କେହି ଜଣେ ହେବ ଉତ୍ତରାଧିକାରୀ । କେତେକଙ୍କର ଯୁକ୍ତି ହେଉଛି ନବୀନଙ୍କ ଭଉଣୀ ଗୀତା ମେହେଟା କିନ୍ତୁ ନାଗରିକତ୍ବ ଆଉ ବୟସ ଏହି ଦୁଇଟି ପ୍ରସଙ୍ଗ ପାଇଁ ତାଙ୍କ ଦାୟିତ୍ବ ନେବା ଆଶା ବହୁତ କମ୍ । ଆଉ କେତେକଙ୍କର ଯୁକ୍ତି ନବୀନଙ୍କ ପୁତୁରା ବା ତାଙ୍କ ବଡ଼ ଭାଇଙ୍କ ପୁତ୍ର ନେଇପାରନ୍ତି ଦାୟିତ୍ବ । ସେହିଭଳି ଆଉ କିଛି ଲୋକଙ୍କ ଯୁକ୍ତି ହେଉଛି ଦଳ ଭିତରୁ ନବୀନ ବାବୁଙ୍କ ପସନ୍ଦର ଜଣେ ଯୁବ ନେତାଙ୍କୁ ଉତ୍ତରାଧିକାରୀ ଭାବେ ବଚ୍ଛା ଯାଇପାରେ । ଏସବୁ କଳ୍ପନାଜଳ୍ପନା ଭିତରେ ଆଉ ଜଣଙ୍କ ନାଁ ଏବେ ସାମ୍ନାକୁ ଆସୁଛି  । ସେ ହେଲେ ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ଅଧିକ ବିଶ୍ବସ୍ତ ଓ ପ୍ରିୟ ବ୍ୟୁରୋକାର୍ଟ ଭି.କେ. ପାଣ୍ଡିଆନ । ଏବଂ ସେହିଁ ହୋଇପାରନ୍ତି ବିଜୁ ଜନତା ଦଳର ପରବର୍ତ୍ତୀ ନେତା ଏବଂ ମୁଖ୍ୟମନ୍ତ୍ରୀ । ନବୀନଙ୍କ ଉତ୍ତରାଧିକାରୀ ଭାବରେ ପାଣ୍ଡିଆନଙ୍କ ନାଁ ପ୍ରାୟ ସମସ୍ତଙ୍କୁ ଅପ୍ରତ୍ୟାସିତ ଏବଂ ଅବିଶ୍ବାସ ଯୋଗ୍ୟ ଲାଗିପାରେ କିନ୍ତୁ ବିଜୁ ଜନତା ଦଳରେ ଏବଂ ଲୋକସଭା ଭବନରେ ସାମ୍ପ୍ରତିକ ରାଜନୈତକ ଓ ପ୍ରଶାସନିକ ସ୍ଥିତିକୁ ଯଦି କେହି ନିର୍ଦଳୀୟ ଓ ନିର୍ବିବାଦୀୟ ହୋଇ ଅନୁସରଣ କରେ ତାହା ହେଲେ ଏହା ‘ଗପ ହେଲେ ବି ସତ’ ପରି

କାହିଁକି ପାଣ୍ଡିଆନ ?

1-ବିଜୁ ଜନତା ଦଳର ସବୁଠାରୁ ବଡ଼ ପୁଞ୍ଜି ହେଉଛି ସଭାପତି ପଦାଶିକ୍ତ ନେତା ନବୀନ ବାବୁ । ଦଳର ମୂଳଦୁଆ ଯେବେଠାରୁ ପଡ଼ିଛି ଏ ଦଳର ନେତା ଓ କର୍ମୀମାନଙ୍କର ଶିକ୍ଷାଦିକ୍ଷା ଆଉ ଚରିତ୍ର ହେଉଛି ଏକେଶ୍ୱରବାଦରେ ବିଶ୍ୱାସ । ଅର୍ଥାତ ସଭାପତି ନବୀନ ବାବୁ ହେଉଛନ୍ତି ଏକମାତ୍ର ସର୍ବଶକ୍ତିମାନ ନେତା । ଦଳପତିଙ୍କ ବିକଳ୍ପ ସମ୍ପର୍କରେ ବିଜେଡି ନେତାଏ ସ୍ବପ୍ନରେ ମଧ୍ୟ ଚିନ୍ତା କରନ୍ତି ନାହିଁ । ତେଣୁ ସାଂଗଠନିକ ନିର୍ବାଚନ ବିଗତ 22 ବର୍ଷରେ କେବଳ ଧର୍ମକୁ ଆଖିଠାର ଭାବେ ଚାଲିଛି । ସେ ଦୃଷ୍ଟିରୁ ନବୀନଙ୍କ ଉତ୍ତରାଧିକାରୀ ଏଭଳି ବ୍ୟକ୍ତି ହୋଇଥିବା ଦରକାର ଯିଏ ବିଜେଡି କ୍ୟାଡରରେ ସର୍ବମାନ୍ୟ ହୋଇଥିବ । ନବୀନଙ୍କ ଭଳି କଥା କମ କହୁଥିବ ଆଉ ନେତାମାନଙ୍କର ତାଙ୍କ ପ୍ରତି ଭୟ ଥିବ । ଯିଏ ପ୍ରତ୍ୟେକ ନେତାଙ୍କର ଶକ୍ତି ଓ ଦୁର୍ବଳତାକୁ ଭଲ ଭାବେ ଚିହ୍ନିଥିବେ । ନବୀନଙ୍କ ଭଳି ନେତାଙ୍କ ପାଇଁ ଯିଏ ଦୁର୍ବୋଧିୟ ହେଉଥିବ । ଯାହାଙ୍କ ପିଣ୍ଡା ଉପରକୁ ନେତା ଚାହିଁଲେ ଚଢ଼ିପାରୁନଥିବେ । ଏସବୁକୁ ହିସାବକୁ ନେଲେ ଯେଉଁ ବ୍ୟକ୍ତିର ଯୋଗ୍ୟତା ସାମ୍ନାକୁ ଆସୁଛି ସିଏ ହେଉଛନ୍ତି ‘ଗପ ହେଲେ ବି ସତ’ର ନାୟକ ପାଣ୍ଡିଆନ ବାବୁ । ପାଠକଙ୍କ ହୃଦବୋଧ ପାଇଁ ଏଠାରେ ଗୋଟିଏ ଉଦାହରଣ ଅବତାରଣା କରୁଛୁ । ତାହା ହେଲା ଆଠଗଡ଼ରୁ ସାତ ସାତ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେଡିର ହେଭିୱେଟ ନେତା ଭାବେ ପରିଚିତ ଓ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓରଫ (ରାଜା ଭାଇ)ଙ୍କ ଟ୍ବିଟ୍‌ । ମାସକ ତଳେ ରାଜା ଭାଇ କରିଥିବା ଟ୍ବିଟ୍‌ରେ ପାଣ୍ଡିଆନଙ୍କୁ ଅନରେବଲ ସେକ୍ରେଟାରୀ ବୋଲି କହି ସମ୍ବୋଧିତ କରିଥିଲେ । ଏହା ଦର୍ଶାଉଛି ପାଣ୍ଡିଆନ ବାବୁଙ୍କ ପ୍ରତି ଆଛା ଆଛା ନେତାମାନଙ୍କର ସମର୍ପଣ ଭାବ ।

  • 2-ବିଜୁ ଜନତା ଦଳର ଅନ୍ୟ ପୁଞ୍ଜିଟି ହେଲା ରାଜ୍ୟ ପ୍ରଶାସନର ମୁଷ୍ଟିମେୟ ବ୍ୟୁରୋକ୍ରାଟମାନଙ୍କର ଏକ ଦୁର୍ଦ୍ଦସ ସେନାପତିମଣ୍ଡଳୀ । ଯେଉଁଠି ବିଧାୟକ, ସାଂସଦ ଓ ମନ୍ତ୍ରୀ କେବଳ ନାଁକୁ ମାତ୍ର ସେନାପତି । କିନ୍ତୁ ଅସଲ ଲଢ଼େଇର ରଣନୀତିଠାରୁ ଆରମ୍ଭ କରି କେଉଁ ତୋପ, କେଉଁ ବନ୍ଧୁକ, କେଉଁ ନେତା ଚଲାଇବେ ଆଉ କାହାକୁ ଚଳାଇବେ ବାସ୍ତବରେ ନେପଥ୍ୟରେ ଏହି ସମସ୍ତ ନିଷ୍ପତ୍ତି ନେଇଥାନ୍ତି ମୁଷ୍ଟିମେୟ ବ୍ୟୁରୋକ୍ରାଟ ଛାୟା ସେନାପତିମାନେ । ବିଜୁ ଜନତା ଦଳର ନେତୃତ୍ବ ନେବା ଅର୍ଥ ସେ ବ୍ୟକ୍ତିଙ୍କର ପ୍ରଭାବ ପ୍ରଶାସନର ଏ ଦୁର୍ଦ୍ଦସ ବ୍ୟୁରୋକ୍ରାଟ ସେନାପତିମାନଙ୍କୁ ନିୟନ୍ତ୍ରଣ କରିବାର ଯଥେଷ୍ଟ ଶକ୍ତି ଥିବା ଆବଶ୍ୟକ । ସେ ଦୃଷ୍ଟିରୁ ଆଜିକା ଦିନରେ ନବୀନ ବାବୁଙ୍କର ଆବିର୍ଭାବ ପରଠାରୁ ଦଳରେ ଦ୍ବିତୀୟ ଏଭଳି କୌଣସି ନେତା ସୃଷ୍ଟି ହୋଇନାହାନ୍ତି ଯାହାକଙ୍କୁ ବ୍ୟୁରୋକ୍ରାଟମାନେ ମାନିବେ ବା ପ୍ରଶାସନରେ ମଧ୍ୟ ଏଭଳି ବ୍ୟୁରୋକ୍ରାଟ ନାହାନ୍ତି ଯିଏକି ଦଳର ନେତାଙ୍କୁ ଚରାଉଥିବ ଆଉ ସମଗ୍ର ପ୍ରଶାସନର ‘ରାଙ୍କ ଆଣ୍ଡ ଫାଇଲ’ ତାଙ୍କ ନିର୍ଦ୍ଦେଶକୁ ବିନା ପ୍ରଶ୍ନରେ ମାନୁଥିବ । ଏଭଳି ଚରିତ୍ରଟିଏ ଖୋଜିଲେ ଯେଉଁ ଜଣେ ଲୋକ ନାଁ ଭିଡ଼ ଭିତରୁ ସାମ୍ନାକୁ ଆସୁଛି ସିଏ ହେଉଛନ୍ତି ଏହି ‘ଗପ ହେଲେ ବି ସତ’ର ଅଧିନାୟକ ପାଣ୍ଡିଆନ ବାବୁ ।
  • 3-ନବୀନ ବାବୁ ଆସିବା ପରଠାରୁ ଦଳର ନେତା ଓ କର୍ମୀମାନଙ୍କ ଭିତରେ ଦଳପତିଙ୍କ ଗ୍ରହଣୀୟତାକୁ ନେଇ ଯେଉଁ ଆଦତଟିଏ ସୃଷ୍ଟି କରାଇଛନ୍ତି ତାହା ହେଲା, ସେ ବ୍ୟକ୍ତିଟି ପାଖରେ ସମସ୍ତ ଅଣଓଡ଼ିଆର ଗୁଣ ଥିବ, ଖଣ୍ଡି ଓଡ଼ିଆ କହୁଥିବ ବା ଓଡ଼ିଆ ନକହିଲେ ବି ଦଳରେ ସମସ୍ତେ ଖୁସ୍ । ଏଠି ପ୍ରଶ୍ନ ଉଠୁଛି ପାଣ୍ଡିଆନ ବାବୁଙ୍କର ଅଣଓଡ଼ିଆ ଏବଂ ତାମିଲବାସୀ ଭାବେ ଏଠି ଯେଉଁ ଗୋଟିଏ ପ୍ରସଙ୍ଗ ପାଣ୍ଡିଆନ ବାବୁଙ୍କ କ୍ଷେତ୍ରରେ ଅନ୍ତରାଏ ସୃଷ୍ଟି କାରିବାର ସମ୍ଭାବନା ରହୁଛି ତାହା ହେଲା ସିଏ ଓଡ଼ିଆ ନୁହଁନ୍ତି, ଜଣେ ତାମିଲ । ଏଠି ନବୀନ ବାବୁ ଏବଂ ସୋନିଆ ଗାନ୍ଧିଙ୍କର ଫର୍ମୁଲା ପାଣ୍ଡିଆନ ବାବୁଙ୍କ ପାଇଁ ଏ ସମସ୍ୟାରୁ ଦୂରେଇ ଦେବାରେ ସହାୟକ ହେବ । ନବୀନ ବାବୁ ନାମକୁ ମାତ୍ର ଓଡ଼ିଆ । ନା ଓଡ଼ିଆ କୁହନ୍ତି, ନା ଲେଖନ୍ତି, ଯାହା ଖଣ୍ଡି ବୁଝନ୍ତି । ସୋନିଆ ଗାନ୍ଧିଙ୍କ କଥାକୁ ବିଚାର କଲେ ସେ ଇଟାଲୀରେ ଜନ୍ମ, ବିବାହ କଲେ ଭାରତୀୟଙ୍କୁ ହିନ୍ଦୀ କହିବା ଶିଖିଲେ ଓ ଭାରତର ସର୍ବପୁରାତନ ରାଜନୈତିକ ଦଳର ସଭାପତି ହେଲେ । ସେ ଦୃଷ୍ଟିରୁ ପାଣ୍ଡିଆନ ବାବୁ ତାମିଲନାଡୁରେ ଜନ୍ମ, ବିବାହ କଲେ ଓଡ଼ିଶାର ଝିଅଙ୍କୁ । ଓଡ଼ିଶାରେ ଚାକିରି କରୁଛନ୍ତି ଆଉ ଓଡ଼ିଆ ମଧ୍ୟ କହିବା ଶିଖିଯାଇଛନ୍ତି । ତେଣୁ ଦଳଭାଇମାନଙ୍କ ଯୁକ୍ତି ହେବ ଯେ ପାଣ୍ଡିଆନ ବାବୁ ଓଡ଼ିଶାର ଜ୍ବାଇଁ । ତେଣୁ ଉତ୍ତରାଧିକାରୀ ହେବାରେ ଅସୁବିଧା କିଛି ନାହିଁ ।
  • 4-ଖାସ୍‌ କରି ଉତ୍ତରାଧିକାରୀର ଚର୍ଚ୍ଚା ଡିସେମ୍ବର 26 ବିଜେଡିର ପ୍ରତିଷ୍ଠା ଦିବସରୁ ହିଁ ଅଧିକ ହେଉଛି । କାରଣ ରାଜ୍ୟବାସୀଙ୍କ ଆଗରେ ମୁଖ୍ୟମନ୍ତ୍ରୀ ଖୁଲମଖୁଲା ଘୋଷଣା କରିଥିଲେ ଯେ ଦଳ ଗୁରୁତ୍ବପୂର୍ଣ୍ଣ କୌଣସି ବ୍ୟକ୍ତି ନୁହେଁ । ଏପରିକି ମୁଁ ବି ନୁହେଁ ବୋଲି କହିଥିଲେ ନବୀନ । ବିଜେଡିର ଉତ୍ତରାଧିକାରୀ ଲୋକେ ବାଛିବେ, ବାହାରୁ କେହି ଆସିବେ ନାହିଁ, ଏଇଠୁ ହିଁ ବଛାଯିବ ବୋଲି କହିଥିଲେ ନବୀନ । ଏଠି ପ୍ରଶ୍ନ ଉଠୁଛି ଯଦି ବାହାରୁ କେହି ନଆସିବେ ତେବେ ଭିତରେ କିଏ ? ଦଳ ଭିତରେ ହୁଅନ୍ତୁ ବା ପ୍ରଶାସନରେ ଯେତେ ବ୍ୟକ୍ତି ଅଛନ୍ତି ସେମାନଙ୍କ ଭିତରେ ପାଣ୍ଡିଆନ ବାବୁ ଅଛନ୍ତି । ତେଣୁ ଉତ୍ତରାଧିକାରୀ ଭାବେ ପାଣ୍ଡିଆନଙ୍କୁ ଦେଖାଯାଇପାରେ କାରଣ ସେ ସବୁବେଳେ ଭିତରେ ଅଛନ୍ତି ବାହାରେ ନୁହେଁ ।

ସେପଟେ ଦଳ ଚଳାଇବା ପାଇଁ ବିଜୁ ଜନତା ଦଳର ଆଉ ଏକ ବଡ଼ ଶକ୍ତି ହେଲା ଏହାର ଆର୍ଥିକ ସମ୍ପନ୍ନତା । ନିକଟରେ ପ୍ରକାଶିତ ଏଡଇଆର ରିପୋର୍ଟରୁ ଜଣାଯାଏ ଯେ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟରୁ ବିଜେଡିକୁ ମିଳିଛି ସବୁଠୁ ଅଧିକ ଟଙ୍କା । ଅର୍ଥାତ ବିଜୁ ଜନତା ଦଳ ଆର୍ଥିକ ଦୃଷ୍ଟି କୋଣରୁ ବେସ୍ ବଜଭୁତ । କୁହାଯାଉଛି ଯେ ବିଜେଡିର ଆର୍ଥିକ ସମ୍ପନ୍ନତାଳ ପଛରେ ପାଣ୍ଡିଆନଙ୍କର ଗାଇଡାନ୍ସ ଅନେକାଂଶରେ ରହିଛି । ବିଜେଡିକୁ ଏକ କ୍ୟାପ୍ ରିଚ୍ ଦଳରେ ପରିଣତ କରିବାରେ ପାଣ୍ଡିଆନଙ୍କ ବହୁ ଅବଦାନ ରହିଛି । ତେଣୁ ଦଳକୁ ଚଳାଇବାକୁ ଆଗାମୀ ଦିନରେ ଏଭଳି ଜଣେ ବ୍ୟକ୍ତି ଆବଶ୍ୟକ ଯିଏ ଦଳ ପାଇଁ ଫଣ୍ଡ ଯୋଗାଡ଼ କରିପାରିବ । ତେଣୁ ଉତ୍ତରାଧିକାରୀ ବାଛିବା ବେଳେ ବିଜେଡି ପାଇଁ ବା ନବୀନ ବାବୁଙ୍କ ପାଇଁ ଯେଉଁ କଥାଟା ସବୁଠାରୁ ଅଧିକ ଗୁରୁତ୍ବ ରଖିବ ତାହା ହେଲା ଦଳ ଚଳାଇବା ପାଇଁ ଅର୍ଥ ଯୋଗାଡ଼ କରିବା । ଏହାକୁ ବି ଯଦି ହିସାବକୁ ନିଆଯାଏ ତେବେ ପାଣ୍ଡିଆନ ବାବୁ ବିଜେଡିକୁ ଆର୍ଥିକ ସଫଳତା ଦେବାରେ ସକ୍ଷମ ହୋଇଛନ୍ତି ।

5-ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯିଏ ଉତ୍ତରାଧିକାରୀ ହେବ ତାଙ୍କୁ ନବୀନ ବାବୁ କେତେ ଗ୍ରହଣ କରୁଛନ୍ତି ଆଉ ଭଲ ପାଉଛନ୍ତି । ସେ ବ୍ୟକ୍ତିଙ୍କୁ ନବୀନ ବାବୁ ସବୁଠାରୁ ଅଧିକ ବିଶ୍ବାସ କରୁଥିବା ଆବଶ୍ୟକ । ସବୁଠାରୁ ଅଧିକ ଭରସା କରୁଥିବା ଆବଶ୍ୟକ ଆଉ ତାଙ୍କ ଉପରେ ସବୁଠୁ ଅଧିକ ନିର୍ଭରଶୀଳ ହେଉଥିବା ଆବଶ୍ୟକ । ଏସବୁକୁ ବିଚାରକୁ ନେଲେ ପାଣ୍ଡିଆନଙ୍କ ଛଡ଼ା ଆଉ କେହି ବ୍ୟକ୍ତି ନବୀନ ବାବୁଙ୍କ ଆଖପାଖରେ ଆତ୍ମବିଶ୍ବାସର ସହ ଛିଡ଼ା ହେବାର ଯୋଗ୍ୟତା ରଖୁଥିବା ନେତା ଦେଖାଯାଉ ନାହାନ୍ତି ।

5-ଟି ଓ ମୋ ସରକାର ଆଳରେ ନବୀନ ବାବୁ ପ୍ରଶାସନର ଆପାତହଃ ସବୁ କ୍ଷମତା ଭିତିରିଆ ପାଣ୍ଡିଆନଙ୍କୁ ହସ୍ତାନ୍ତର କରିସାରିଲେଣି । ଯେଭଳି ଠାଣିରେ ପାଣ୍ଡିଆନ ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି ତାହା ଠିକ୍ ନବୀନ ବାବୁଙ୍କର ଅନୁପସ୍ଥିତିରେ ତାଙ୍କର ଚଳନ୍ତି ପ୍ରତିମା ଭଳି । ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ମନ୍ତ୍ରୀ ବି ତାଙ୍କ ଆଗରେ ନିଷ୍ପ୍ରଭ । ବାକି ରହିଲା ସାଧାରଣ ଓଡ଼ିଶାବାସୀଙ୍କ ଗ୍ରହଣୀୟତା । ସେଥିପାଇଁ ଅତି ଚତୁରତାର ସହ PR କ୍ୟାମ୍ପେନ କରାଯାଉଛି । ଏଭଳି ଢଙ୍ଗରେ ଭାବଭୂର୍ତ୍ତି ନିର୍ମାଣର କ୍ୟାମ୍ପେନ କରାଯାଉଛି ଯାହାକୁ ସାଧାରଣ ଲୋକଟିଏ ଧରିପାରିବା ଅସମ୍ଭବ । 2019 ନିର୍ବାଚନ ପୂର୍ବରୁ ପାଣ୍ଡିଆନ ବାବୁଙ୍କର IT କନସଲଟାଣ୍ଟ ତାଙ୍କର ପ୍ରୋଫାଇଲକୁ ଏଭଳି ମେଣ୍ଟେନ କରୁଥିଲେ ଯେ ଗୁଗୁଲଠାରୁ ଫେସବୁକ ପର୍ଯ୍ୟନ୍ତ କୌଣସି ଡିଜିଟାଲ ପ୍ଲାଟଫର୍ମରେ ଖୋଜିଲେ ପାଣ୍ଡିଆନଙ୍କ ଫଟୋ ଟିଏ ମିଳୁନଥିଲା । ଏବେ କିନ୍ତୁ ଓଲଟା । ଲୋକଙ୍କର ଉତ୍ସୁକତା ଆଉ ମିଡିଆକୁ ଭିନ୍ନ ସ୍ବାଦର ସିରୋନାମା ଦେବା ପାଇଁ ହଠାତ ପାହାନ୍ତିଆରେ ଗସ୍ତ ହେଉଛି, କେତେବେଳେ ଆହର କେନ୍ଦ୍ରରେ ଖାଇବା ଫଟୋ ତ ଆଉ କେତେବେଳେ ଦିବ୍ୟାଙ୍ଗ ପିଲାଙ୍କ ସହ ଦିପାବଳୀ ପାଳନ କରାଯାଉଥିବା ଫଟୋ । ତା’ ଛଡ଼ା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଯେଉଁ ପ୍ରେସ୍‌ନୋଟ ଗଣମାଧ୍ୟମକୁ ଦିଆଯାଉଛି ସେଥିରେ ସରକାରର ଯେତେ ଭଲ କାମ ଅଛି ତାର ଶ୍ରେୟ ପାଣ୍ଡିଆନକୁ ଦିଆଯାଉଛି । ଯେପରିକି କଟକ ଡାକ୍ତରଖାନା, ଭଦ୍ରକ ଡାକ୍ତରଖାନା, ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ଇତ୍ୟାଦି ଇତ୍ୟାଦି । ଏହା ଦ୍ବାରା ସନ୍ଦେସ ଯାଉଛି ଯେ ଏହି ବ୍ୟକ୍ତିଟି ଓଡ଼ିଶାବାସୀଙ୍କ ବିକାଶ ପାଇଁ ଅହରହ ଚିନ୍ତା କରୁଛି । ତା’ ଛଡ଼ା ଶ୍ରୀକ୍ଷେତ୍ର, ଏକାମ୍ରକ୍ଷେତ୍ର ଓ ଅର୍କକ୍ଷେତ୍ରର ସଂସ୍କାର ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାରୀ ସ୍ତରରେ ମଧ୍ୟ ଖବର ବାହାରକୁ ଦିଆଯାଉଛି ଯେ ଏଥିପାଇଁ ସବୁଠୁ ଅଧିକ ଚେଷ୍ଟିତ ବ୍ୟକ୍ତି ହେଉଛନ୍ତି ପାଣ୍ଡିଆନ ବାବୁ । ଓଡ଼ିଆବାସୀଙ୍କ ପ୍ରାଣ ହେଲେ ମହାପ୍ରଭୁ ତେଣୁ ସନ୍ଦେସ ଯିବ ଯେ ମହାପ୍ରଭୁଙ୍କ ପାଇଁ ଯିଏ କାର୍ଯ୍ୟ କରୁଛି ସେହିଁ ପ୍ରିୟ ଓଡ଼ିଆ । ଅର୍ଥାତ ନବୀନଙ୍କ ଉତ୍ତରାଧିକାରୀ ପାଣ୍ଡିଆନ, ଏ ‘ଗପ ହେଲେ ବି ସତ’ ।

ତେବେ ଏସବୁ କଳ୍ପନାଜଳ୍ପନା ଗୋଟେ ପଟେ ଅନ୍ୟପଟେ ପାଣ୍ଡିଆନଙ୍କ ନିଜସ୍ବ ନିଷ୍ପତ୍ତି । ସେ ଏହିଭଳି ନେପଥ୍ୟରେ ନାୟକ ହେବେ ନା ନବୀନଙ୍କ ଅନ୍ତେ ନେତା ହେବେ ।

Related Posts