ସଂସଦର ଷ୍ଟାଣ୍ଡିଂ କମିଟି ବୈଠକ ଡାକିବାକୁ ଅନୁମତି ଦେଲେନି ଉପ ରାଷ୍ଟ୍ରପତି ଓ ବାଚସ୍ପତି : ପ୍ରଶ୍ନ ଉଠାଇଲେ ବିରୋଧୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : କରୋନାର ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ସଂସଦୀୟ କମିଟିର ବୈଠକ କରିବାକୁ ବିରୋଧୀ ଦଳ ଗୁଡ଼ିକ ଦାବି କରିଥିଲେ। ଏହି ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି। ବିରୋଧୀ ଦଳ ସମେତ କିଛି ଏନଡିଏ ସହଯୋଗୀ ଦଳ ମଧ୍ୟ ଏହି କଥାରେ ସହମତି ଜଣାଇଥିଲେ। କିନ୍ତୁ କରୋନା ସଂକ୍ରମଣ ଆଳ ଦେଖାଇ ଉପରାଷ୍ଟ୍ରପତି ଓ ଲୋକସଭା ବାଚସ୍ପତି ଭର୍ଚୁଆଲ ବୈଠକ ପାଇଁ ଅନୁମତି ଦେବାକୁ ମନା କରିଦେଛନ୍ତି। ବୈଷୟିକ ଏବଂ ଗୋପନୀୟତା ବ୍ୟବସ୍ଥାକୁ ଉଲ୍ଲେଖ କରି ସଂସଦର ଉଭୟ ଗୃହର ଅଧ୍ୟକ୍ଷମାନେ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ବିରୋଧୀ ଦଳ ଏହି ପଦକ୍ଷେପକୁ ଦୃଢ ବିରୋଧ କରିଛନ୍ତି। ବିରୋଧୀଙ୍କ କହିବା କଥା ହେଉଛି ଯେତେବେଳେ କ୍ୟାବିନେଟ୍ ଏବଂ ନ୍ୟାୟପାଳିକା ଏକ ଭର୍ଚୁଆଲ୍ ବୈଠକରେ କାର୍ଯ୍ୟ କରିପାରିବେ, ସେତେବେଳେ ସଂସଦୀୟ କମିଟି କାହିଁକି ନୁହେଁ ?।ରାଜ୍ୟସଭା ସଚିବ ଏକ ବିବୃତ୍ତିରେ କହିଛନ୍ତି ଯେ ଯେତେବେଳେ ସ୍ଥିତିରେ ସୁଧାର ଆସିବ , ଫିଜିକାଲ ମିଟିଂ ହୋଇପାରିବ। ନଚେତ ନିୟମରେ ସଂଶୋଧନ କରିବାକୁ ପଡ଼ିବ। ବିରୋଧୀ ଦଳ ଯୁକ୍ତି କରିଛନ୍ତି ଯେ ସରକାର ନୂତନ ସଂସଦ ଭବନ ନିର୍ମାଣକୁ ଏକ ଆବଶ୍ୟକୀୟ ସେବା ଭାବରେ ଜାରି ରଖିବାକୁ ଅନୁମତି ଦେଇପାରିବେ, କିନ୍ତୁ ସଂସଦ କାର୍ଯ୍ୟର ତଦାରଖ କରୁଥିବା ସଂସଦୀୟ କମିଟିର ବୈଠକ କରିବା ଗୁରୁତ୍ୱପୂର୍ଣ୍ଣ ନୁହେଁ ।

କଂଗ୍ରେସ ସାଂସଦ ଜୟରାମ ରମେଶ କହିଛନ୍ତି , “ଏହି ନିଷ୍ପତ୍ତିରେ ମୁଁ ଆଦୌ ଆଶ୍ଚର୍ଯ୍ୟ ନୁହେଁ। କାରଣ ସଂସଦର ଷ୍ଟାଣ୍ଡିଂ କମିଟି ବୈଠକ ଭିଡଓ କନଫରେନ୍ସିଂ ଜରିଆରେ କରିବାକୁ ଅନୁରୋଧ ବର୍ଷେ ହେଲା କରାଯାଉଥିଲେ ମଧ୍ୟ ଏଥିପାଇଁ ଅନୁମତି ମିଳୁନାହିଁ ।ପ୍ରଧାନମନ୍ତ୍ରୀ ତାଙ୍କର ସବୁ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ କରୁଛନ୍ତି। କିନ୍ତୁ ମାତ୍ର ୩୦ ଜଣ ସାଂସଦଙ୍କୁ ନେଇ ଭିଡିଓ କନଫରେନ୍ସିଂରେ ବୈଠକ କରିବାକୁ ଅନୁମତି ମିଳୁନି। ଭାରତକୁ ବାଦ୍ ଦେଲେ କୌଣସି ଦେଶରେ ସଂସଦ ନିଜର କର୍ତ୍ତବ୍ୟ ଠାରୁ ଦୂରେଇ ନାହାନ୍ତି । ଏତେ ବଡ଼ ବିପର୍ଯ୍ୟୟ ସତ୍ତ୍ବେ ମୂଲ୍ୟହୀନ ନୂଆ ସଂସଦ ଭବନ କାର୍ଯ୍ୟକୁ ଅତ୍ୟାବଶ୍ୟକୀୟ ତାଲିକାରେ ସ୍ଥାନ ଦେଇ କରାଯାଉଛି। କିନ୍ତୁ ଷ୍ଟାଣ୍ଡିଂ କମିଟିର ବୈଠକ ଭିଡିଓ କନଫରେନ୍ସିଂରେ କରିବାକୁ ଗୋଟିଏ ଛୋଟିଆ ନିୟମରେ ପରିବର୍ତ୍ତନ କରାଯାଇ ପାରୁନାହିଁ।”

Related Posts