ଟଙ୍କିକିଆ ଚାଉଳ ଘୋଟାଲାର ସନ୍‌ସନୀ ଖୁଲାସା: ଆଦିବାସୀଙ୍କଠୁ ଲୁଟ୍ ହେଉଛି 2 କେଜି ଲେଖାଏ ଚାଉଳ

ଖଣି, ପାଣି, ଜମି ସବୁ ଲୁଟିବାରେ ପରେ ଏବେ ନଜର ଗରିବଙ୍କ ଟଙ୍କିକିଆ ଚାଉଳ ଉପରେ । ଏଥିରୁ ବାଦ୍‌ ପଡ଼ିନାହାନ୍ତି ଆଦିବାସୀ । ପିଡିଏସ୍‌ ଚାଉଳ ଘୋଟାଲା ନେଇ ସତ୍ୟପାଠରେ ସନ୍‌ସନି ଖୁଲାସା । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ତାଳଗଣ୍ଡା ଗାଁରୁ ବିଶ୍ବଜିତ ମହାନ୍ତିଙ୍କ Exclusive Report

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ଟଙ୍କିକିଆ ଚାଉଳରେ ଘୋଟାଲା । ସବୁଥିରୁ ପିସି ଖାଇବା ପରେ ବି ଆଦିବାସୀଙ୍କ ପେଟ କାଟିବାକୁ ଭୁଲିଲେନି ସରକାରୀ ବାବୁ ଏବଂ ଡିଲର । ହିନ୍ଦୋଳ ବ୍ଲକର ତାଳଗଣ୍ଡା ଗାଁରେ ଥିବା କନ୍ଧ ସମ୍ପ୍ରଦାୟ ଲୋକଙ୍କଠାରୁ ପ୍ରତି ମାସ 2 କେଜି ଚାଉଳ ମାରିକି ରଖୁଛନ୍ତି ଡିଲର । ମାସିକ 25 କେଜି ବଦଳରେ ମିଳୁଛି 23 କେଜି ଚାଉଳ । ଏଭଳି ଅଭିଯୋଗ କରିଛନ୍ତି ତାଳଗଣ୍ଡା ଗାଁରେ ଥିବା କନ୍ଧ ସମ୍ପ୍ରଦାୟର ଲୋକେ । ଗୋଦାମରୁ ଆଣି ଗାଁରେ ଚାଉଳ ପହଞ୍ଚାଉଥିବାରୁ ଭଡ଼ା ବାବଦକୁ 2 କେଜି ଚାଉଳ କାଟାଯାଉଥିବା କହି ଲୁଟୁଛନ୍ତି ଡିଲର ।

ସେପଟେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କହୁଛି ମୁଣ୍ଡପିଛା 5 କେଜି ହିସାବରେ ଗୋଟିଏ ଗରିବ ପରିବାରକୁ ଚାଉଳ ଦିଆଯାଇଥାଏ । ଯୋଗାଣ ପାଇଁ ହେଉଥିବା ଟ୍ରାନ୍ସପୋର୍ଟ ଖର୍ଚ୍ଚ ହିତାଧିକାରୀ କେବେ ଦେବେ ନାହିଁ । ଏହା ବଣ୍ଟନ ବ୍ୟବସ୍ଥାର ଆଉ ଏକ ଦିଗ ତେଣୁ ତାହାର ହିତାଧିକାରୀଙ୍କ ସହ କୌଣସି ସମ୍ପର୍କ ନାହିଁ । ହେଲେ ହିନ୍ଦୋଳରେ ଲୋକଙ୍କୁ ଭୂଆଁ ବୁଲାଇ ଟ୍ରାନ୍ସପୋର୍ଟ ନାଁରେ ଲୁଟୁଛନ୍ତି ଡିଲର । ଏହାଠାରୁ ଆହୁରି ସାଙ୍ଘାତିକ ଥା ହେଲା ଯେ ଏହି ଯୋଜନା କାର୍ଯ୍ୟକାରୀ ହେବା ଦିନଠାରୁ ହିଁ ଆଦିବାସୀଙ୍କ ଚାଉଳ ହଡ଼ପ କରୁଛନ୍ତି ଡିଲର ।

ହିନ୍ଦୋଳରେ ଟଙ୍କିକିଆ ଚାଉଳ ଘୋଟାଲା ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଯାଇଛି ବଡ଼ ବିତର୍କ ।
ଟଙ୍କିକିଆ ଚାଉଳ ଘୋଟାଲା ନେଇ ମୁଖ୍ୟମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀ ଜାଣିଛନ୍ତି ନା ନାହିଁ ?
ହିତାଧିକାରୀଙ୍କଠାରୁ ମାସକୁ 2 କେଜି ନା ତାଠାରୁ ଅଧିକ ଚାଉଳ ଲୁଟ ହେଉଛି ?
ଏଭଳି ଘୋଟାଲା କେବଳ ହିନ୍ଦୋଳରେ ହୋଇଛି ନା ଏହା ସାରା ରାଜ୍ୟକୁ ବ୍ୟାପିଛି ?
ଯଦି ହିନ୍ଦୋଳନରେ ଲକ୍ଷ ଲକ୍ଷ ଟଙ୍କାର ଘୋଟାଲା ହେଉଛି ତେବେ ସାରା ରାଜ୍ୟରେ କେତେ ହେଉଥିବ ?
ଟ୍ରାନ୍ସପୋର୍ଟ ନାଁରେ ହିତାଧିକାରୀଙ୍କ ଚାଉଳ କାଟିବାକୁ ଡିଲରମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି କି ?
ଯଦି ନୁହେଁ ତେବେ ଡିଲରମାନଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ କି ?
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଣ୍ଟନ ବ୍ୟବସ୍ଥାରେ ଟ୍ରାନ୍ସପୋର୍ଟକୁ ସମ୍ପୂର୍ଣ୍ଣ ଅଲଗା କରିଥିବା ବେଳେ ଏଭଳି ଲୁଟ ହେଉଛି କାହିଁକି ?
ଡିଲରଙ୍କ ମୁଣ୍ଡ ଉପରେ ନେତା ଏବଂ ସରକାରୀ ବାବୁମାନଙ୍କ ହାତ ରହିଛି କି ?

କ’ଣ କହୁଛି PDS ଘୋଟାଲାର ପରିସଂଖ୍ୟାନ ?

1992 ମସିହାରେ ଆରମ୍ଭ ହୋଇଥିବା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଲିଛି ସାଂଘାତିକ ଘୋଟାଲା । ହିନ୍ଦୋଳ ବ୍ଲକରେ ମୋଟ 126 ଜଣ ଡିଲର ଥିବା ବେଳେ 13,866 ବିପିଏଲ ପରିବାର ଏବଂ 9600 ଏପିଏଲ ପରିବାର ଅଛନ୍ତି । ଯଦି ତାଳଗଣ୍ଡା ଗାଁର ଆଦିବାସୀଙ୍କ ଅଭିଯୋଗକୁ ହିସାବକୁ ନିଆଯାଏ ତେବେ 18,866 ଜଣ ବିପିଏଲ କାର୍ଡଧାରୀଙ୍କଠାରୁ ପ୍ରତିମାସ 2 କେଜି ଲେଖାଏଁ ମୋଟ 27,732 କେଜି ଚାଉଳ କାଟିକି ରଖାଯାଉଥିବା ଜଣାପଡ଼ୁଛି । ଏହି ଟଙ୍କିକିଆ ଚାଉଳ ଗରିବ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର 27 ଟଙ୍କା ଖର୍ଚ୍ଚ କରୁଥିବା ବେଳେ ରାଜ୍ୟ ସରକାର 2 ଟଙ୍କା ଏବଂ ହିତାଧିକାରୀ ଦେଇଥାନ୍ତି ଏକ ଟଙ୍କା । ସେଥିପାଇଁ ଏହି ଯୋଜନା ଟଙ୍କିକିଆ ଚାଉଳ ଯୋଜନା ନାଁରେ ବି ଗାଁ ଗଣ୍ଡାରେ ପରିଚୟ ।  ଅର୍ଥାତ ଏହି ଚାଉଳର ବଜାର ଦର ହେଉଛି 30 ଟଙ୍କା । ଯଦି 18,866 ହିତାଧିକାରୀଙ୍କଠାରୁ 2 କେଜି ଲେଖାଏ ଚାଉଳ ହଡ଼ପ ହେଉଥାଏ ତେବେ ମାସକୁ 5 ଲକ୍ଷ 65 ହଜାର 980 ଟଙ୍କା ସିଧା ସଳଖ ଡିଲର ଲୁଟ୍‌ କରୁଛନ୍ତି । ଏହି ଅର୍ଥ କେବଳ ଡିଲରଙ୍କ ପାଖରେ ନରହି ଏହାର ସିଂହ ଭାବ ସେଠାକାର ରାଜନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଯାଉଥିବା ଅଭିଯୋଗ ହୋଇଛି । କେବଳ ଚାଉଳ ନୁହେଁ ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗହମ, କିରୋସିନ ଏବଂ ଚିନି ଅଖାରେ ଦୁର୍ନୀତି କରାଯାଉଥିବା ଅଭିଯୋଗ ହୋଇଛି ।

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳନ ବ୍ଲକରେ ହୋଉଥିବା ଲୁଟ୍‌କୁ ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି ଯେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସ୍ପଷ୍ଟ ଭାବେ ଲେଖା ହୋଇଛି ଯେ ହିତାଧିକାରୀଙ୍କ ସହ ଟ୍ରାନ୍ସପୋର୍ଟର କୌଣସି ସମ୍ପର୍କ ନାହିଁ । କିନ୍ତୁ ଡିଲରମାନେ ଟ୍ରାନ୍ସପୋର୍ଟ ନାଁରେ ହିତାଧିକାରୀଙ୍କୁ ଲୁଟୁଛନ୍ତି । ଏହା ପଛରେ ଏକ ବଡ଼ ରାକେଟ କାମ କରୁଥିବା ସେ ଅଭିଯୋଗ କରିଛନ୍ତି । କିଛି ବଡ଼ ବଡ଼ ଲୋକ ଏପରିକି ପ୍ରଶାସନିକ ଅଧିକାରୀଙ୍କ ଟ୍ରାନ୍ସପୋର୍ଟ ଦାୟିତ୍ବ ନେଉଛନ୍ତି । ଏହାର ବି ତଦନ୍ତ ହେବା ଆବଶ୍ୟକ । ଏହାଛଡ଼ା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ୱାନ ନେସନ, ୱାନ ରାସନ ନାଁରେ ଯେଭଳି ଭାବେ ଲୋକଙ୍କ ଆଧାର ଲିଙ୍କ୍‌ କଲେ । ତାହା ଦ୍ବାରା ଆହୁରି ସମସ୍ୟା ଅଧିକ ବଢିଗଲା । ଆଧାର ଲିଙ୍କରେ ଆଦିବାସୀ ଅଞ୍ଚଳରେ ବହୁ ପରିବାର ଏଥିରୁ ବଞ୍ଚିତ ହେଲେ । କାରଣ ସେମାନେ ଅଧିକାଂଶ ସମୟ ଜଙ୍ଗଲରେ ବିତାଉଥିବାରୁ ସେମାନଙ୍କ ମଧ୍ୟରୁ କିଛି ଆଧାର କରିପାରିନାହାନ୍ତି ଏବଂ ଆଉ ଯିଏ କରିଛନ୍ତି ସେମାନଙ୍କର ଆଧାର ମ୍ୟାଚ ହେଉନଥିବାରୁ ସେମାନଙ୍କୁ ବାଦ୍‌ ଦିଆଯାଉଛି । ଏଭଳି କ୍ଷେତ୍ରରେ ଡିଲରମାନେ ହିତାଧିକାରୀଙ୍କୁ ସେମାନଙ୍କ ତରଫରୁ ଚାଉଳ ଦିଆଯାଉଥିବା କହି ଅଧିକ ଠକେଇ କରୁଛନ୍ତି । ଆଧାର ନଥିବା ଉପଭୋକ୍ତାଙ୍କୁ ମନଇଛା କାଟିକି ପିଡିଏସ୍‌ ସାମଗ୍ରୀ ଦେଉଛନ୍ତି । କେବଳ ଚାଉଳ ବଣ୍ଟାରେ ଦୁର୍ନୀତି ହେଉନି, ଏହାଠାରୁ ଆହୁରି ଏକ ବଡ଼ ରାକେଟ ଚାଲିଛି ତାହା ହେଲା ଗମନାଗମନ ବା ଟ୍ରାନ୍ସପୋର୍ଟ ଗରିବ ଲୋକଙ୍କ ପେଟକୁ କାଟି ସାଧାରଣ ବଣ୍ଟନ ବିଭାଗରେ ଚାଲିଥିବା ଏଭଳି ଘୋଟାଲାର ତଦନ୍ତ ଫୁଡ କମିସନ କରିବା ଉଚିତ । ଯାହା ଦ୍ବାରା ସାରା ରାଜ୍ୟରେ କିଭଳି ଟନ, ଟନ ଚାଉଳ, ଗହମ ଏବଂ କିରୋସିନ ବାଟମାରଣା ହେଉଛି ତାହା ଲୋକ ଲୋଚନକୁ ଆସିପାରିବ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ ।

Related Posts