(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ଦେଶରେ କୋଭିଡ୍ ଭୟାବହତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ସମସ୍ତେ ଟିକା ଭରଷାରେ ଚାହିଁ ରହିଛନ୍ତି। କେଉଁଠି ଟିକା ନାହିଁ ତ ପୁଣି କେଉଁଠି କୋ-ୱିନ୍ ପୋର୍ଟାଲ ଖୋଲିଲେ ବୁକିଂ ପାଇଁ ସ୍ଲଟ୍ ହିଁ ନାହିଁ। ଲୋକେ ଟିକା ନେବା ପାଇଁ ଟିକଦାନ କେନ୍ଦ୍ରରେ ଘଣ୍ଟା ଘଣ୍ଟା ଲାଇନ୍ ରେ ଛିଡା ହେଉଛନ୍ତି। କିନ୍ତୁ ବିଜେପି ଏମ୍ ପିଙ୍କ ପରିବାର ଓ ଷ୍ଟାଫ୍ ଙ୍କୁ ଟିକା ଦେବାକୁ ପୁରା ସିଷ୍ଟମ ତାଙ୍କ ଘରେ ପହଞ୍ଚିଯାଇଛି । ଏଭଳି ଏକ ଚମକାଇବା ଭଳି ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଉଜ୍ଜୟନୀର ବିଜେପି ସାଂସଦ ଅନିଲ ଫିରୋଜିଆଙ୍କ କର୍ମଚାରୀ, ପରିବାର ସଦସ୍ୟ ଏବଂ ସମର୍ଥକଙ୍କୁ ତାଙ୍କ ବାସଭବନରେ ଟିକା ଦେବା ପରେ ବିବାଦ ଜୋର୍ ଧରିଛି। ଘଟଣା ବାହାରକୁ ଆସିବା ପରେ ବିବାଦ ସୃଷ୍ଟି ହୋଇଛି। ଲୋକେ ବିଜେପି ସାଂସଦଙ୍କୁ କଡା ସମାଲୋଚନା କରିଛନ୍ତି। ବିବାଦ ଜୋର୍ ଧରିବାରୁ ଜିଲ୍ଲା କର୍ତ୍ତୃପକ୍ଷ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଲଜ୍ଜାଜନକ ଘଟଣା ପାଇଁ କଂଗ୍ରେସ ଫିରୋଜିଆ ଏବଂ ବିଜେପିକୁ କଡା ଭର୍ତ୍ସନା କରିଛି। ଦଳ କହିଛି ଯେତେବେଳ ସାଧାରଣ ଲୋକେ ଟିକା ପାଉ ନାହାନ୍ତି ସେତେବେଳେ ବିଜେପି ନେତାଙ୍କୁ ଘରେ ଆସି ଟୀକା ଦିଆଯାଉଛି । ବିଜେପି କର୍ମୀ କପିଳ କାଟାରିଆ ଶୁକ୍ରବାର ଦିନ ଏକ ଟିକା ନେବାର ଏକ ଫଟୋ ପୋଷ୍ଟ କରିବା ପରେ ଫିରୋଜିଆଙ୍କୁ ଧନ୍ୟବାଦ ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ବହୁ ସୋସିଆଲ ମିଡିଆ ୟୁଜର ଏହି ଘଟଣାର କଡା ନିନ୍ଦା କରିଛନ୍ତି। ତେବେ ଫିରୋଜିଆ କହିଛନ୍ତି ଯେ ତାଙ୍କ ଅଜ୍ଞାତରେ ତାଙ୍କ ଦଳର ଜଣେ ସମର୍ଥକ ମେଡିକାଲ ଟିମ୍ କୁ ତାଙ୍କ ଘରକୁ ଡାକିଥିଲେ। ସେ କହିଛନ୍ତି, “ମୁଁ ଘରେ ନଥିଲି। ମୋ ମା ବହୁତ ବୃଦ୍ଧ ଏବଂ ତାଙ୍କ ଗୋଡରେ ମଧ୍ୟ ଆଘାତ ଲାଗିଛି। ତେଣୁ ଆମର ଜଣେ କର୍ମଚାରୀ କପିଲ କାଟାରିଆ ମେଡିକାଲ ଟିମ୍ କୁ ଘରକୁ ଡାକିଥିଲେ। ଯଦି ମୁଁ ଏହା ପୂର୍ବରୁ ଜାଣିଥାନ୍ତି, ମୁଁ ଏହା କେବେ କରିବାକୁ ଦେଇ ନ ଥା’ନ୍ତି। ” ସେ କହିଛନ୍ତି ଯେ ସେ ନିଜେ ଏକ ଡାକ୍ତରଖାନାରେ ଟୀକା ନେଇଛନ୍ତି। ସେ କହିଛନ୍ତି ଯେ ନିୟମ ସମସ୍ତଙ୍କ ପାଇଁ ସମାନ। ଉଜ୍ଜୟନୀ ଜିଲ୍ଲା କଲେକ୍ଟର ଆଶିଷ ସିଂ କହିଛନ୍ତି ଯେ ସୂଚନା ପାଇବା ପରେ ସେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ବିଧାୟକ ମହେଶ ପରମାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡାକ୍ତରଖାନାରେ ଟିକା ନେବାର ଫଟୋ ଟ୍ୱିଟ୍ କରିଛନ୍ତି, କିନ୍ତୁ ଉଜ୍ଜୟନୀର ସାଂସଦ ତାଙ୍କ ନେତାଙ୍କ ଅନୁସରଣ କରୁନଥିବା ଜଣାପଡିଛି। ସେ କହିଛନ୍ତି, “ଉଜ୍ଜୟନୀର ସାଂସଦ ନିଜକୁ ଜଣେ ଭିଭିଆଇପି ବୋଲି ଭାବନ୍ତି ଏବଂ ମେଡିକାଲ ଟିମ୍ କୁ ତାଙ୍କ ଘରକୁ ଡାକନ୍ତି। ଏହା ହେଉଛି କେନ୍ଦ୍ରର ବିଫଳତା। ଏହା ଏକ ଲଜ୍ଜାଜନକ କାର୍ଯ୍ୟ।” ତାରାନା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ପରମାର କହିଛନ୍ତି ଯେ ମହାମାରୀ ମଧ୍ୟରେ ଲୋକମାନେ ଔଷଧ, ଅମ୍ଳଜାନ ଏବଂ ଡାକ୍ତର ଖୋଜୁଥିବା ଏହି ଘଟଣା ଘଟିଛି। ସେ କହିଛନ୍ତି ଯେ ଫିରୋଜିଆଙ୍କୁ ସାସଂଦ ପଦରୁ ହଟାଇବା ଉଚିତ ଏବଂ ଏଥିପାଇଁ ଦାୟୀ ଅଧିକାରୀଙ୍କୁ ବରଖାସ୍ତ କରାଯିବା ଉଚିତ।ଦେଶରେ କରୋନା ଆତଙ୍କ ଥମିବାର ନାଁ ନେଉନାହିଁ । ସାଧାରଣ ଲୋକ ଜୀବନ ବଂଚାଇବା ପାଇଁ ଟିକାକୁ ଚାତକ ଭଳି ଚାହିଁ ରହିଛନ୍ତି । ଟିକା ପଂଜିକରଣ ପାଇଁ ଲୋକଙ୍କ ଭରସା କୋୱିନ୍ ପୋର୍ଟାଲ । କିନ୍ତୁ ପୋର୍ଟାଲ ଦେଉଛି ଚକମା । । ଲୋକଙ୍କ ପାଇଁ ଟିକା ଅପ୍ରାପ୍ୟ ହୋଇଥିବା ବେଳେ ନେତାଙ୍କ ପାଇଁ କିନ୍ତୁ ଏହ ସହଜରେ ଉପଲବ୍ଧ । ଲୋକ ଟିକା କେନ୍ଦ୍ରରେ ଗହଳି କରି ଟିକା ନେଉଛନ୍ତି । କିଛି ପାଉଛନ୍ତି କିଛି ପାଉ ନାହାନ୍ତି । କିନ୍ତୁ ଭାରତରେ ଏମିତି ଗୋଟିଏ ଗୋଷ୍ଠୀ ଅଛନ୍ତି ଯେଉଁମାନଙ୍କ ପାଖରେ ଟିକା ପହଂଚି ଯାଉଛି । । ସେମାନେ ହେଉଛନ୍ତି ରାଜନେତା । ଜନସେବା କଥା କହି ରାଜନୀତିକୁ ଆସିଥିବା ନେତା କରୋନା ଆତଙ୍କରେ ଲୋକଙ୍କୁ ଭୁଲି ଆଗ ନିଜେ କେମିତି ସୁରକ୍ଷିତ ରହିବେ ସେକଥା ଭାବୁଛନ୍ତି । ଉଜ୍ଜୟନୀର ବିଜେପି ସାଂସଦ ଅନିଲ ଫିରୋଜିଆଙ୍କ ପାଇଁ ଜନତା ପଛ ନିଜ ଜୀବନ ଆଗ । ବିଜେପିର ଏହି ନେତାଙ୍କ ନିଜର ନିର୍ବାଚନ ମଣ୍ଡଳୀର ଜନତା ଟିକା ପାଉଛନ୍ତି କି ନାହିଁ ତାକୁ ନେଇ ଚିନ୍ତା ନାହିଁ । ଆପେ ବଂଚିଲେ ବାପା ନାଁ ନ୍ୟାୟରେ ସେ ଆଗ ଟିକା ନେଇଛନ୍ତି । ତା’ପୁଣି ନିଜ ଅଫିସରେ । ଉଜ୍ଜୟନୀର ସେଠି ନଗର ସ୍ଥିତ ନିଜ ଅଫିସରେ ସାଂସଦ ଟିକା ନେଇଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ସାଂସଦ କେବଳ ଏକା ଟିକା ନେଇ ନାହାନ୍ତି । ତାଙ୍କ ସହଯୋଗୀ ମାନେ ମଧ୍ୟ ଟିକା ନେଇଛନ୍ତି । ସାଧାରଣ ଜନତା ଯେଉଁଠି ଟିକା ନେବାକୁ ଲମ୍ବା ଲାଇନରେ ବିପଜ୍ଜନକ ପରିସ୍ଥିତିରେ ଛିଡା ହେଉଛନ୍ତି ସେଠି କେମିତି ସାଂସଦଙ୍କୁ ତାଙ୍କ ଅଫିସରେ ଟିକା ଦେବାକୁ ପ୍ରଶାସନ ପହଂଚି ଗଲା ତାକୁ ନେଇ ପ୍ରଶ୍ନ ଉଠୁଛି । ନିଜ ଅଫିସରେ ଟିକା ନେଉଥିବା ସାଂସଦଙ୍କ ଫଟୋ ଭାରତରେ ଭିଆଇପି କଲଚର କେତେ ମଜବୁତ ସେ କଥା କହୁଛି । ସୂଚନାଯୋଗ୍ୟ ଯେ, ସାଂସଦଙ୍କ ନିଜ ନିର୍ବାଚନ ମଣ୍ଡଳିରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ମିଳୁନାହିଁ । ୪୫ ବର୍ଷରୁ ଅଧିକ ଯେଉଁମାନେ ଟିକା ନେଇଥିଲେ ସେମାନେ ଦ୍ୱିତୀୟ ଡୋଜ୍ ପାଇଁ ଅପେକ୍ଷା କରି ବସିଛନ୍ତି । କିନ୍ତୁ ଅପେକ୍ଷାର ଅନ୍ତ ହେଉନାହିଁ ।ଏମିତିରେ ନେତାଙ୍କ ଅଫିସରେ ବସି ଟିକା ନେବା ଚିତ୍ର ନିଶ୍ଚିତ ଭାବେ ଆମ ବ୍ୟବସ୍ଥାକୁ ଶକ୍ତ ଚାପୁଡା ।





