ନେହରୁଙ୍କ ଭୁଲ୍‌ ପାଇଁ ‘ପିଓକେ’ ସମସ୍ୟା; ଲୋକସଭାରେ ଶାହଙ୍କ ବୟାନକୁ ନେଇ ହଙ୍ଗାମା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସଂସଦର ଶୀତ ଅଧିବେଶନର ତୃତୀୟ ଦିବସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଜମ୍ମୁ କାଶ୍ମୀର ସଂକ୍ରାନ୍ତ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଲ୍‌ ଜମ୍ମୁ-କାଶ୍ମୀର ସଂରକ୍ଷଣ ସଂଶୋଧନ ବିଲ୍‌-୨୦୨୩ ଏବଂ ଜମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍‌-୨୦୨୩ ଉପରେ ତାଙ୍କ ବୟାନ ରଖିଛନ୍ତି। ଏହି ଅବସରରେ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଥିଲେ।

ସେ କହିଥିଲେ ଯେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ସମସ୍ୟା ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଭୁଲ୍‌ ପାଇଁ ସୃଷ୍ଟି ହୋଇଛି। ପୂରା କାଶ୍ମୀରକୁ ନିୟନ୍ତ୍ରଣକୁ ନନେଇ ଯୁଦ୍ଧବିରତି କରିବାରୁ ଏଭଳି ସ୍ଥିତି ଉପୁଜିଲା, ଅନ୍ୟଥା ଆଜି ପିଓକେ ଭାରତର ନିୟନ୍ତ୍ରଣରେ ରହିଥାନ୍ତା ବୋଲି ଶାହ କହିଛନ୍ତି। ନେହରୁଙ୍କ ଭୁଲ୍‌ ପାଇଁ ପାକିସ୍ତାନ ଅଧିକୃତ କାଶ୍ମୀର ସୃଷ୍ଟି ହେଲା ବୋଲି ଶାହଙ୍କ ବୟାନକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା। କଂଗ୍ରେସ ତଥା ଇଣ୍ଡିଆ ମେଣ୍ଟର ସାଂସଦମାନେ ଶାହଙ୍କ ବୟାନକୁ ଜୋରଦାର ବିରୋଧ କରିବା ସହ ସରକାର ଅପାରଗତା ଲୁଚାଇବାକୁ ଚାହୁଥିବାରୁ ଏଭଳି ବୟାନ ରଖୁଥିବା କହିଥିଲେ। ବୟାନକୁ ବିରୋଧ କରି କଂଗ୍ରେସ ସାଂସଦମାନେ କକ୍ଷତ୍ୟାଗ କରିଥିଲେ।

ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଗୃହମନ୍ତ୍ରୀ କହିଥିଲେ ଯେ ସରକାର ଏବେ ୩୭୦ରୁ ବହୁତ ଆଗକୁ ଗଲେଣି ଏବଂ ଖୁବ୍‌ଶୀଘ୍ର କିଛି ବଡ଼ ପଦକ୍ଷେପ ଘୋଷଣା ହେବାକୁ ଯାଉଛି। ଗୃହରେ ଆଗତ ହୋଇଥିବା ଜମ୍ମୁ କାଶ୍ମୀର ସଂକ୍ରାନ୍ତ ଦୁଇ ବିଧେୟକ ସେହିମାନଙ୍କୁ ନ୍ୟାୟ ଦେବାପାଇଁ ଉଦ୍ଦିଷ୍ଟ, ଯେଉଁମାନଙ୍କ କ୍ଷେତ୍ରରେ ଘୋର ଅନ୍ୟାୟ ଓ ଅପମାନ ହୋଇଛି। ସରକାର କାଶ୍ମୀରବାସୀଙ୍କୁ ନ୍ୟାୟ ଦେବାକୁ ବଦ୍ଧପରିକର ବୋଲି ଶାହ କହିଥିଲେ। ବିରୋଧୀ ଦଳମାନେ ପ୍ରବଳ ହଟ୍ଟଗୋଳ କରିବାରୁ ଏହାର ଜବାବରେ ଶାହ କହିଥିଲେ, ‘ଯାହା ସତ୍ୟ ସେ ତାହାର ହିଁ ଅବତାରଣା କରୁଛନ୍ତି। ନେହରୁ ମଧ୍ୟ ତାଙ୍କ ଭୁଲ ସ୍ବୀକାର କରି ‘ଏହା ଏକ ଭୁଲ୍‌ ଥିଲା’ ବୋଲି କହିଥିଲେ, କିନ୍ତୁ ମୁଁ ଯଦି ଏହାକୁ ହିମାଳୟ ଭଳି ବିଶାଳ ଭୁଲ୍‌ ଥିଲା ବୋଲି କହିଥାନ୍ତି ତା’ହେଲେ ସେମାନେ (କଂଗ୍ରେସ ସାଂସଦମାନେ) ଇସ୍ତଫା ଦେଇ ପଳାଇଥାନ୍ତେ ।’

Related Posts