ଝାଡଖଣ୍ଡରେ ମହିଳା ସଫ୍ଟେୱେୟାର ଇଞ୍ଜିନିୟରଙ୍କୁ ଗଣଦୁଷ୍କର୍ମ, ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହିଳା ସଫ୍ଟେୱେୟାର ଇଞ୍ଜିନିୟରଙ୍କୁ ଗଣଦୁଷ୍କର୍ମ । ଏଭଳି ଘଟଣା ସାମ୍ନାକୁ ଆସିଛି ଝାଡଖଣ୍ଡରୁ । ଜଣେ ୨୬ ବର୍ଷୀୟା ମହିଳା ସଫ୍ଟେୱେୟାର ଇଞ୍ଜିନିୟରଙ୍କୁ ୧୦ ଜଣ ଯୁବକ ଗଣଦୁଷ୍କର୍ମ କରିଛନ୍ତି । ଯୁବତୀ ନିଜ ବନ୍ଧୁକଙ୍କ ସହ ବାହାରକୁ ବୁଲି ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବାରୁ ଛାନଭିନ୍ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦ ତାରିଖରେ ଝାଡଖଣ୍ଡ ଚାଇବାସା ଅଞ୍ଚଳରେ ଏହି ଘଟଣା ଘଟିଛି । ପୀଡିତା ଜଣକ ଗୋଟିଏ କମ୍ପାନୀରେ ସଫ୍ଟେୱେୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି । ବର୍ତ୍ତମାନ ତାଙ୍କର ୱାର୍କଫ୍ରମ୍ ହୋମ୍ ଚାଲିଥିବାବେଳେ ସେ ଘରେ ରହୁଥିଲେ । ଗତ ୨୦ ତାରିଖ ସନ୍ଧ୍ୟା ୬ଟାବେଳେ ସେ ନିଜ ବନ୍ଧୁଙ୍କ ସହ ସ୍କୁଟି ଯୋଗେ ବାହାରକୁ ବୁଲିବାକୁ ଯାଇଥିଲେ । ଦୁଇ ବନ୍ଧୁ ରାସ୍ତାକଡରେ ଛିଡା ହୋଇ କଥା ହେଉଥିବାବେଳେ, ୧୦ ଜଣ ଯୁବକ ସେଠାକୁ ଆସି ସେମାନଙ୍କ ସହ ଅସଦାଚରଣ କରିଥିଲେ । ସେମାନେ ଯୁବତୀଙ୍କ ଠାରୁ ମୋବାଇଲ ଓ ୫ ହଜାର ଟଙ୍କା ମଧ୍ୟ ଛଡାଇ ନେଇଥିଲେ । ଏହାପରେ ସେ ଯୁବତୀଙ୍କୁ ଜୋର ଜବରଦସ୍ତ ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ମାଡ ମାରିବା ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଏହାପରେ ପୀଡିତା କୌଣସିମତେ ସେଠାରୁ ନିଜର ଘରକୁ ଫେରି ସବୁକଥା ଜଣାଇଥିଲେ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ପୋଲିସ ପୀଡିତାଙ୍କ ମେଡିକାଲ ଯାଞ୍ଚ କରିବା ସହ ୧୦ ଜଣ ଅଜ୍ଞାତ ଯୁବକଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Related Posts