ନୂଆପଡ଼ା: ରାଜ୍ୟରେ ସାରିଛି ପଂଚାୟତ ନିର୍ବାଚନ | ମାତ୍ର ଜାରି ରହିଛି ନିର୍ବାଚନୀ ହିଂସା | ଅନେକ ସ୍ଥାନରୁ ନିର୍ବାଚନ ପରବର୍ତୀ ହିଂସା ନେଇ ଖବର ଆସୁଥିବା ବେଳେ, ନୂଆପଡ଼ା ଲଖନା ଥାନା କୁରୁମପୁରି ପଞ୍ଚାୟତ ଲିମଡିହି ଗାଁରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ଜଣଙ୍କ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଚିତ୍ରାମୁଣ୍ଡା ଗାଁର ରୁପେଶ ସାହୁ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଭିଣୋଇ ଇଶ୍ବର ସାହୁ ସେନାରେ ଚାକିରି କରୁଥିବା ବେଳେ ଶଳା ରୁପେଶ ସାହୁ ଘର ସମ୍ଭାଳୁଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ଇଶ୍ବରଙ୍କ ବାପା ୱାର୍ଡ ମେମ୍ବର ରେ ପ୍ରାର୍ଥି ହୋଇଥିବା ବେଳେ କମ ଭୋଟରେ ହାରିଥିଲେ । ବିଜୟୀ ହୋଇଥିବା ପ୍ରାର୍ଥି କୁଆଡେ ସବୁବେଳେ ମାରିଦେବା ର ଧମକ ଦେଉଥିଲେ ।
ମଙ୍ଗଳବାର ରାତିରେ ଇଶ୍ବର ନିଜ ଶ୍ବଶୁର ଘର ଚିତ୍ରାମୁଣ୍ଡା ଯାଇଥିବା ବେଳେ ରୁପେଶ ଘରେ ଶୋଇଥିଲେ । ରାତି ପ୍ରାୟ ଗୋଟାଏ ବେଳେ ଦୁଇଜଣ ଦୁବୃତ୍ତ ପଛପଟ କବାଟ ଭାଙ୍ଗି ଘରେ ପଶିବାକୁ ଉଦ୍ୟମ କରିଥିଲେ । ବାହାରେ କିଏ ଏସବୁ କାମ କରୁଛି ବୋଲି ରୁପେଶ ଆସିଥିଲେ । ହଠାତ୍ ଏହି ସମୟରେ ଫୁଟିଲା ଗୁଳି । ତେବେ ଗୁଳିମାଡ଼ରେ ରୁପେଶ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଥିଲା । କିନ୍ତୁ ସେଠାରେ ତାଙ୍କୁ ବିଗିଡିବାରୁ ସମ୍ବଲପୁର ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଅନ୍ୟପଟେ ଏନେଇ ନୂଆପଡ଼ା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୋଗକୁ ଭିର୍ତ୍ତି କରି ପଚରାଉଚରା ଚଳାଇଛି |





