ଖରାଦିନେ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ ପାଇଁ ପ୍ରସ୍ତୁତି ଚାଲିଛି: ସିଇଓ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଖରାଦିନ କାରଣରୁ ବିଦ୍ୟୁତ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ସେପଟେ ଜଳ ଅଭାବରୁ ୩୦୦ ମେଗାବାଇଟ କମ ବିଦ୍ୟୁତ ଉତ୍ପାଦନ ହେଉଛି । ତେଣୁ ରାଜ୍ୟର କେତେକ ଅଞ୍ଚଳରେ ଦିନକୁ ଅସ୍ଥାୟୀ ଭା‌ବେ ଅଧଘଣ୍ଟାରୁ ୪୫ ମିନିଟ୍ ପର‌୍ୟ୍ୟନ୍ତ ପାୱାର କଟ୍ ଆରମ୍ଭ ହେଉଛି ବୋଲି କହିଛନ୍ତି ଟିପିସିଓଡିଏଲ୍‌ର ସିଇଓ ଏମ୍ ସେନ୍‌ବାଗମ୍‌। ସେ ଆହୁରି କହିଛନ୍ତି ଯେ ଏହା ଅସ୍ଥାୟୀ ଭାବେ ହେଉଛି। ସମସ୍ୟା ସମାଧାନ କରିବାକୁ ଉଦ୍ୟମ ଚାଲିଛି। ଆଗକୁ ବିଦ୍ୟୁତ କାଟ୍ କରାଯିବ ନାହିଁ ବୋଲି ସେ ଆଶ୍ବାସନା ଦେଇଛନ୍ତି। ତେବେ ପ୍ରଶ୍ନ ଉଠୁଛି, ଆଉ କେତେ ଖରା ହେଲେ ଟିପିସିଓଡିଏଲ୍ ପାୱାର କଟ୍ କରିବ ନାହିଁ ବୋଲି ନିଜକୁ ପ୍ରସ୍ତୁତ କରୁଛି। ଅନ୍ୟପଟେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସେନ୍‌ବାଗମ୍ କହିଛନ୍ତି, ଓଡ଼ିଶା ଏକ ବିଦ୍ୟୁତ୍ ବଳକା ରାଜ୍ୟ ହୋଇଥିବାରୁ ଆବଶ୍ୟକ ପରିମାଣର ବିଦ୍ୟୁତ୍ ଶକ୍ତି ଉପଲବ୍ଧ ଅଛି।ତାପଜଶକ୍ତି ଉତ୍ପାଦନରେ ସାମୟିକ ବାଧା ଉପୁଜିଥିଲା। ତାହାର ସମାଧାନ କରାଯାଉଛି। ସାମୟିକ ଓ ଲୋ ଭୋଲଟେଜ୍‌କୁ ମରାମତି କରିବା ପାଇଁ ଆବଶ୍ୟକତା ଦୃଷ୍ଟିରୁ ପାୱାର କଟ୍ କରାଯାଉଛି। ଏହି ସାମୟିକ ପାୱାର କଟ୍ ବା ବିନା ସୂଚନାରେ ବିଦ୍ୟୁତ କାଟ ବନ୍ଦ କରିବା ପାଇଁ ବ୍ୟବସ୍ଥା କରାଯାଉଛି।

ଖରାଦିନେ ୨୪ ଘଣ୍ଟା କିଭଳି ନିରବିଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ହେବ ସେ ନେଇ ଟିପିସିଓଡିଏଲ ସଂକଳ୍ପବଦ୍ଧ। ଏଥିପାଇଁ ୮ଟି ମୋବାଇଲ ଟ୍ରାନ୍ସଫର୍ମର ୟୁନିଟ ପ୍ରସ୍ତୁତ ରଖାଯାଇଛି। ଟ୍ରାନ୍ସଫର୍ମର ଗୁଣବତ୍ତା କାରଣରୁ ଲୋ-ଭୋଲଟେଜ୍ ସମସ୍ୟା ଉପୁଜୁଛି। ତେଣୁ ସେ ସବୁ ଟ୍ରାନ୍ସଫର୍ମରକୁ ବଦଳାଇବା ପାଇଁ ବ୍ୟବସ୍ଥା କରାଯାଉଛି। ବିଭିନ୍ନ ସ୍ଥାନରେ ବିଜୁଳି ଚୋରି ରୋକିବା ସହିତ ଯେଭଳି ବିଦ୍ୟୁତ୍‌ଶକ୍ତି ଅପଚୟ ନ ହୁଏ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। କାର‌୍ୟ୍ୟାନୁଷ୍ଠାନ ଫଳରେ ବିଦ୍ୟୁତ ଚୋରି ରୋକାଯାଇ ପାରିଛି। ଫଳରେ ୯୦ ମେଗାୱାଟ୍ ବିଜୁଳି ଅତିରିକ୍ତ ମିଳିଛି। ଏହି ୯୦ ମେଗାୱାଟ୍ ପୂର୍ବରୁ ଚୋରି ହୋଇ ଯାଉଥିଲା।

ଟିପିସିଓଡିଏଲ୍ ଅଞ୍ଚଳରେ ଖରାଦିନେ ପିକ୍ ଆୱାର୍‌ରେ ୧୫୪୫ ମେଗାୱାଟ୍ ବିଦ୍ୟୁତ ଶକ୍ତିର ଆବଶ୍ୟକତା ରହିଛି। ବିଦ୍ୟୁତ ଉପଭୋକ୍ତାଙ୍କୁ ଖରାଦିନେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବର୍ଷକ ପୂର୍ବରୁ ବଣ୍ଟନ କମ୍ପାନି ପକ୍ଷରୁ ପ୍ରସ୍ତୁତି ହୋଇଛି। ଲୋଭୋଲଟେଜ୍ ରହୁଥିବା ସମ୍ବେଦନଶୀଳ ଜାଗାକୁ ଚିହ୍ନଟ କରାଯିବା ସହ ସେଠାରେ ୧୦୦ଟି ଟ୍ରାନ୍ସଫର୍ମର ବଦଳାଯାଇଛି। ସେହିପରି ୧୦୦୦ ଟ୍ରାନ୍ସଫର୍ମରର ମରାମତି ସହ ୨୦ ହଜାର ଟ୍ରାନ୍ସଫର୍ମରର ରକ୍ଷଣାବେକ୍ଷଣ ହୋଇଛି। ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଣ ସକାଶେ ଟିପିସିଓଡିଏଲ୍ ପକ୍ଷରୁ ଭିତ୍ତିଭୂମି ବିକାଶ ପାଇଁ ୪୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରହିଛି। ୨୦୨୦-୨୧ରେ ଏଟି ଆଣ୍ଡ ସି କ୍ଷତି ୨୯.୫୪ ପ୍ରତିଶତ ଥିବା ବେଳେ ୨୦୨୧-୨୨ରେ ଏହି କ୍ଷତି ୨୫.୪ ପ୍ରତିଶତକୁ ହ୍ରାସ କରାଯାଇ ପାରିଛି। ଗତ ମାର୍ଚ୍ଚ ଶେଷ ସୁଦ୍ଧା କମ୍ପାନିର ୯ ପ୍ରତିଶତ ବିଦ୍ୟୁତ ଗ୍ରାହକ ବୃଦ୍ଧି ପାଇଛନ୍ତି। ଏବେ ଟିପିସିଓଡିଏଲ ଅଧୀନରେ ୨୭ ଲକ୍ଷ ୯୬ ହଜାର ଉପଭୋକ୍ତା ଅଛନ୍ତି।

ଓଡ଼ିଶା ବନ୍ୟା ଓ ବାତ୍ୟା ପ୍ରବଣ ରାଜ୍ୟ ହୋଇଥିବାରୁ ଉପକୂଳ ଜିଲ୍ଲାରେ ଏଚ୍ ପୋଲ ବଦଳରେ ଆଧୁନିକ ଜ୍ଞାନ କୌଶଳରେ ପ୍ରସ୍ତୁତ ବିଦ୍ୟୁତ ପୋଲ ସ୍ଥାପନ କରାଯିବ। ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ପବନ ବହିଲେ ବି ଏହି ଖୁଣ୍ଟ ଉପୁଡିବ ନାହିଁ ବୋଲି କମ୍ପାନି ଦାବି କରିଛି। ପରୁଣା ମିଟର ଲାଗିଥିବା ବେଳେ ଯେତିକି ବିଲ୍ ଆସୁଥିଲା ଏବେ ନୂଆ ବା ଡିଜିଟାଲ ମିଟର ଲାଗିବା ପରେ ବିଦ୍ୟୁତ ବିଲ୍ ୨ଗୁଣରୁ ବେଶି ଆସୁଛି। ଯଦିଓ ସମାନ ବିଜୁଳି ବ୍ୟବହାର ହେଉଛି। ଏଭଳି ଅଭିଯୋଗ ଉପରେ ସିଇଓ ଶ୍ରୀ ସେନ୍‌ବାଗମ୍ କହିଛନ୍ତି, କମ୍ପାନି ପକ୍ଷରୁ ଲଗାଯାଉଥିବା ମିଟର ଗୁଡ଼ିକ ତ୍ରୁଟିଶୂନ୍ୟ। ଲାଗିବା ପୂର୍ବରୁ ଏହାକୁ ଯାଞ୍ଚ କରାଯାଉଛି। ଏଥିରେ ଅଧିକ ବିଲ୍ ଆସିବା ସମ୍ଭାବନା ନାହିଁ। ବରଂ ପୂର୍ବ ତୁଳନାରେ ବ୍ୟବହାର ଆଧାରରେ ଉଚିତ୍ ବିଲ୍ ଆସିବ। ଅଭିଯୋଗ ଅମୂଳକ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts