ପ୍ରେସ୍କ୍ରିପ୍‍ସନ୍‍ ବଡ଼ ଅକ୍ଷରରେ ଲେଖିବେ ଡାକ୍ତର , ହାଇକୋର୍ଟଙ୍କ ନିର୍ଦ୍ଦେଶ

ରୋଗୀଙ୍କ ଚିକିତ୍ସା କରୁଥିବା ପ୍ରତ୍ୟେକ ଡାକ୍ତର ଯେଉଁ ପ୍ରେସ୍କ୍ରିପ୍‍ସନ୍‍ ବା ଔଷଧ ଚିଠା ଲେଖିବେ ତାହା ଇଂରାଜୀର ବଡ଼ ଅକ୍ଷରରେ ହୋଇଥିବ ଏବଂ ସେ ରୋଗୀକୁ ଯେଉଁ ଔଷଧ ବ୍ୟବହାର କରିବାକୁ କହିବେ ତାହାର ‘ଜେନେରିକ ନେମ୍‍’ ମଧ୍ୟ ପ୍ରେସ୍କ୍ରିପ୍‍ସନ୍‍ରେ ଉଲ୍ଲେଖ କରିବେ । ଆଇନ୍‍ରେ ଏହା ଉଲ୍ଲେଖ ଥିଲେ ମଧ୍ୟ ବହୁ ଡାକ୍ତର ଏହାର ଅନୁପାଳନ କରୁନଥିବାରୁ ଓଡ଼ିଶା ହାଇକୋର୍ଟ କ୍ଷୋଭ ପ୍ରକାଶ କରିବା ସହିତ ରାଜ୍ୟର ମୁଖ୍ୟ ଶାସନ ସଚିବ ମେଡ଼ିକାଲ କାଉନ୍‍ସିଲ୍‍ ଅଫ୍‍ ଇଣ୍ଡିଆ (ଏମ୍‍ସିଆଇ) ସହ ଆଲୋଚନା କରି ଉପଯୁକ୍ତ ନିର୍ଦ୍ଦେଶନାମା ଜାରି କରିବାକୁ ଓଡ଼ିଶା ହାଇକୋର୍ଟ କହିଛନ୍ତି ।

ଚୋରା ନିଶା କାରବାର ଅଭିଯୋଗରେ ଗିରଫ ହୋଇ ଜେଲ୍‍ରେ ଅଟକଥିବା ଜଣେ କଏଦୀଙ୍କ ଜାମିନ ଆବେଦନର ବିଚାର ପରିପ୍ରେକ୍ଷୀରେ ହାଇକୋର୍ଟର ଅନ୍ୟତମ ବିଚାରପତି ଏସ୍‍.କେ ପାଣିଗ୍ରାହୀ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଏପରି ପରାମର୍ଶ ଦେଇଛନ୍ତି । ଆବେଦନକାରୀଙ୍କ ପତ୍ନୀ ଗୁରୁତର ଅସୁସ୍ଥ ଥିବା ଏବଂ ତାଙ୍କର ଅସ୍ତ୍ରୋପଚାର ହେବାକୁ ଯାଉଥିବା ବେଳେ ଜେଲ୍‍ରେ ଅଟକ ଥିବା ତାଙ୍କ ସ୍ୱାମୀଙ୍କର ଡାକ୍ତରଖାନାରେ ଉପସ୍ଥିତି ଏକାନ୍ତ ଆବଶ୍ୟକ ବୋଲି ଦର୍ଶାଇ ଏହି ଯୁକ୍ତି ସପକ୍ଷରେ ସେ ଡାକ୍ତରଙ୍କ କେତେକ ପ୍ରେସ୍କ୍ରିପ୍‍ସନ୍‍ର ପ୍ରତିିଲିପି ଦାଖଲ କରିଥିଲେ । ତେବେ ଏହି ପ୍ରେସ୍କ୍ରିପ୍‍ସନ୍‍ରେ ଡାକ୍ତର କ’ଣ ଲେଖିଛନ୍ତି ତାହା ପଢ଼ିବା ଦୁସାଧ୍ୟ ହେଉଥିବା ପରିପ୍ରେକ୍ଷୀରେ ବିଚାରପତି ଶ୍ରୀ ପାଣିଗ୍ରାହୀ ଏପରି ମତବ୍ୟକ୍ତ କରିଛନ୍ତି ।

ଆବେଦନକାରୀଙ୍କୁ ବ୍ରହ୍ମପୁରର ସ୍ୱତନ୍ତ୍ର ସେସନ୍ସ ଜଜ୍‍ କେତେକ କଡ଼ା ସର୍ତ୍ତ ସହ ମାସକ ପାଇଁ ଅସ୍ଥାୟୀ ଜାମିନ ମଞ୍ଜୁର କରିବା ଓ ସମୟସୀମା ଶେଷ ପୂର୍ବରୁ ସେ ପୁଣି ପୁଲିସ ନିକଟରେ ହାଜର ହୋଇ ଜେଲ୍‍କୁ ଫେରିବା ଲାଗି ମଧ୍ୟ ହାଇକୋର୍ଟ କହିଛନ୍ତି ।

ବିଚାରପତି ଶ୍ରୀ ପାଣିଗ୍ରାହୀ ତାଙ୍କ ଆଦେଶନାମାରେ ଉଲ୍ଲେଖ କରିଛନ୍ତି ଯେ ବହୁ କ୍ଷେତ୍ରରେ କିଛି ଡାକ୍ତରଙ୍କ ହସ୍ତାକ୍ଷର ପଢ଼ି ହେଉନଥିବାରୁ ରୋଗୀ, ଔଷଧ ଦୋକାନୀ, ଫାର୍ମାସିଷ୍ଟଙ୍କଠାରୁ ଆରମ୍ଭ କରି ପୁଲିସ ଓ ବିଚାରପତିଙ୍କ ପର୍ଯ୍ୟନ୍ତ ଅନେକ ଅସୁବିଧାରେ ପଡ଼ିଥାନ୍ତି । ଏ ପରିପ୍ରେକ୍ଷୀରେ ଡାକ୍ତରମାନେ ସୁନ୍ଦର ହସ୍ତାକ୍ଷରରେ ଇଂରାଜୀର ବଡ଼ ଅକ୍ଷରରେ ସେମାନଙ୍କ ପ୍ରେସ୍କ୍ରିପ୍‍ସନ୍‍ ସହ ଔଷଧଗୁଡ଼ିକର ନାମ ବଡ଼ ଅକ୍ଷରରେ ଲେଖିବା ଲାଗି ଏମ୍‍ସିଆଇ ୨୦୧୬ ମସିହାରେ ଏକ ବିଜ୍ଞପ୍ତି ଜାରି କରିଥିଲେ । ଆଇନାନୁଯାୟୀ ଏମ୍‍ସିଆଇଙ୍କ ଏହି ବିଜ୍ଞପ୍ତିର ବେଶ୍‍ ଗୁରୁତ୍ୱ ରହିଛି ।

ଇତିମଧ୍ୟରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଭଳି ରାଜ୍ୟରେ ଡାକ୍ତରମାନଙ୍କୁ ବଡ଼ ଅକ୍ଷରରେ ସ୍ପଷ୍ଟ ଭାବେ ପ୍ରେସ୍କ୍ରିପ୍‍ସନ୍‍ ଲେଖିବା ପାଇଁ କୁହାଯାଇଛି । ଏ ପରିପ୍ରେକ୍ଷୀରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଘଟଣାର ଗୁରୁତ୍ୱ ଉପଲବ୍ଧି କରି ମେଡ଼ିକାଲ କାଉନ୍‍ସିଲଙ୍କ ନିର୍ଦ୍ଦେଶନାମାର ଉପଯୁକ୍ତ କାର୍ଯ୍ୟକାରିତା ଲାଗି ଡାକ୍ତରମାନେ ଯେଭଳି ସ୍ପଷ୍ଟ ଦେଖାଯାଉଥିବା ଅକ୍ଷରରେ ପ୍ରେସ୍କ୍ରିପ୍‍ସନ୍‍, ଅନ୍ୟାନ୍ୟ ରିପୋର୍ଟ, ପୋଷ୍ଟମର୍ଟମ୍‍ ସାର୍ଟିଫିକେଟ୍‍ ଆଦି ଲେଖିବେ ସେ ଦିଗରେ ଆବଶ୍ୟକୀୟ ନିର୍ଦ୍ଦେଶନାମା ଜାରି କରିବାକୁ କହିଛନ୍ତି ।

ଏହି ମାମଲାରେ ମୁଖ୍ୟ ଶାସନ ସଚିବ ପକ୍ଷଭୁକ୍ତ ନଥିବାରୁ ହାଇକୋର୍ଟର ରେଜିଷ୍ଟ୍ରୀ ଉକ୍ତ ଆଦେଶନାମାର ଏକ ନକଲ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇବା ପାଇଁ ବିଚାରପତି ଶ୍ରୀ ପାଣିଗ୍ରାହୀ ନିର୍ଦ୍ଦେଶ ଦେଇଛନ୍ତି ।

Related Posts