ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନୀକୁ ନେଇ ଉଭୟ ଶାସକ ଓ ବିରୋଧୀଂକ ମଧ୍ୟରେ ମାନସ ମନ୍ଥନ ଚାଲିଥିବା ବେଳେ, ବିରୋଧୀଙ୍କୁ ମିଳିଛି ପ୍ରାର୍ଥୀ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଟିଏମ୍ସି ତାଙ୍କ ନାମକୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି।
ଟିମ୍ସି ପକ୍ଷରୁ ତାଙ୍କ ନାମକୁ ବିରୋଧୀ ଦଳ ସମ୍ମୁଖ୍ୟର ପ୍ରାର୍ଥୀ ଭାବେ ଉପସ୍ଥାପିତ କରାଯିବ। ଏହି ନିଷ୍ପତ୍ତି ପରେ ଶ୍ରୀ ସିହ୍ନା କହିଛନ୍ତି ଯେ, ସେ ପାର୍ଟି ରାଜନୀତିରୁ ବାହାରକୁ ଆସି ଦେଶ ନିମନ୍ତେ କାମ କରିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ଟିଏମ୍ସିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେ ତୃଣମୂଳ କଂଗ୍ରେସର ଉପସଭାପତି ଥିଲେ। ଦଳରୁ ଇସ୍ତଫା ଦେଇ ସେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ପଦ ପାଇଁ ମନୋନୟନ ପତ୍ର ଦାଖଲ କରିବେ।
ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଟୁଇଟ କରି ଧନ୍ୟବାଦ ଦେଇଛନ୍ତି।
ସୂଚନା ଥାଉକି, ବିରୋଧୀ ଦଳମାନେ ସେମାନଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଖୋଜୁଥିବା ବେଳେ ସିହ୍ନାଙ୍କ ନାମ ସାମ୍ନାକୁ ଆସିଛି। ଯେତେବେଳେ କି ଏହା ପୂର୍ବରୁ ବେଙ୍ଗଲର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ, ଏନ୍ସିପି ମୁଖ୍ୟ ଶରଦ ପାୱାର ଏବଂ ନ୍ୟାସନାଲ କନ୍ଫରେନ୍ସ ପ୍ରେସିଡେଣ୍ଟ ଫାରୁକ ଅବଦୁଲା ଏହି ପଦ ନିମନ୍ତେ ଚର୍ଚ୍ଚାକୁ ଆସିଥିଲା। ଏହି ବ୍ୟକ୍ତିମାନେ ବିରୋଧୀ ସାମ୍ମୁଖ୍ୟର ଏହି ପ୍ରସ୍ତାବକୁ ମନା କରିଦେଇଥିଲେ। ଫଳରେ ବିରୋଧୀ ଦଳମାନେ ପ୍ରାର୍ଥୀ ଖୋଜିବାରେ ଲାଗି ପଡ଼ିଥିଲେ ।
