ଲଣ୍ଡନ: କୋଭିଡ୍ ନିୟମ ଉଲ୍ଲଂଘନକୁ ନେଇ ବିବାଦ ଓ ରାଜନୈତିକ ସଙ୍କଟ ମଧ୍ୟରେ ଗତି କରୁଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସରକାର ଏବେ ଆଉ ଏକ ବିପଦରେ ପଡିଯାଇଛି | ଗତକାଲି ବ୍ରିଟେନର ଅର୍ଥ ଓ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳବାର ଇସ୍ତଫା ଦେଇଛନ୍ତି | ଉଭୟ ଅର୍ଥମନ୍ତ୍ରୀ ଋଷି ସୁନକ ଓ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଦ ପ୍ରଧାନମନ୍ତ୍ରୀଙ୍କ ପାଖକୁ ତାଙ୍କର ଇସ୍ତଫାପତ୍ର ପଠାଇଦେଇଛନ୍ତି।

ଏହା ପୂର୍ବରୁ ଜନସନ ପାଷ୍ଟୋରାଲ କେୟାର ଦାୟିତ୍ବରେ ଥିବା ଜଣେ ପୂର୍ବତନ ମନ୍ତ୍ରୀଙ୍କ ପାଇଁ କ୍ଷମା ମାଗିଥିଲେ। ଯୌନ କେଳେଙ୍କାରୀ ଅଭିଯୋଗ ଥିବା ଜଣେ ବ୍ୟକ୍ତି ସରକାରୀ ପଦ ପାଇଁ ଯୋଗ୍ୟ ନୁହନ୍ତି ବୋଲି ବୁଝିବାରେ ସେ ଭୁଲ କରିଛନ୍ତି ବୋଲି ସ୍ବୀକାର କରିଥିଲେ। ବର୍ତ୍ତମାନ ଇସ୍ତଫା ଦେଇଥିବା ଦୁଇ ମନ୍ତ୍ରୀ ପୂର୍ବରୁ ସର୍ବସାଧାରଣରେ ଜନସନଙ୍କୁ ସମର୍ଥନ କରୁଥିଲେ। ପୂର୍ବର ସ୍କାଣ୍ଡାଲ ଏବଂ ଡାଉନିଂ ଷ୍ଟ୍ରିଟ୍ କାର୍ଯ୍ୟାଳୟରେ କୋଭିଡ୍ ନିୟମ ଉଲ୍ଲଂଘନ ଆଦି ମାମଲାରେ ଜନସନ ସମାଲୋଚନାର ଶରବ୍ୟ ହୋଇଥିବା ବେଳେ ମଧ୍ୟ ଏହି ଦୁଇ ମନ୍ତ୍ରୀ ତାଙ୍କ ହାତ ଛାଡ଼ି ନ ଥିଲେ। କିନ୍ତୁ ଜନସନଙ୍କ ନେତୃତ୍ବରେ ଦେଶର ଶାସନ ବ୍ୟବସ୍ଥାରେ ସୁଧାର ଆସିପାରିବ ନାହିଁ ବୋଲି ଅନୁଭବ କରି ଏମାନେ ଇସ୍ତଫା ଦେଇଛନ୍ତି।