ସାରା ରାଜ୍ୟରେ ଗଡ଼ୁନି ଘରୋଇ ବସ୍: ପୂଜା ଛୁଟିରେ ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି (ଶୁକ୍ରବାର) ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାରା ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଥିବା କାରଣରୁ ସାରା ରାଜ୍ୟରେ ବସ୍ ଯାତ୍ରୀ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହେଉଛି। ଆଜି ଓଡ଼ିଶାର ସବୁଠାରୁ ବଡ଼ ବସ୍ ଷ୍ଟାଣ୍ଡ କଟକର ‘ନେତାଜୀ ବସ୍ ଟର୍ମିନାଲ୍’ରୁ କୌଣସି ଘରୋଇ ବସ୍ ଚଳାଚଳ କରୁନାହିଁ। କଟକ-ଭୁବନେଶ୍ବରରେ କେବଳ ସରକାରୀ ବସ୍ ଓ ମୋ ବସ୍ ଚଳାଚଳ କରୁଛି। ବସ୍ ଧର୍ମଘଟ ହେତୁ ବହୁ ଲୋକ ନିଜ ସୁବିଧାରେ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ଏଣେ ବାଲେଶ୍ବରରେ ଘରୋଇ ବସ୍ ମାଲିକ ସଂଘ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଯାଇ ବସ୍ ଚଳାଚଳ ଜାରି ରଖିଥିବା ଜଣାଯାଇଛି।

ରାଜ୍ୟ ବସ ମାଲିକ ସଂଘ ର ନିଷ୍ପତ୍ତି ବିରୁଦ୍ଧରେ ବାଲେଶ୍ଵର ଘରୋଇ ବସ୍ ମାଲିକ ସଂଘ। ବାଲେଶ୍ଵର ରେ ଦୁଇଟି ବସ ମାଲିକ ସଂଘ ରହିଥିବା ବେଳେ ଗୋଟିଏ ରାଜ୍ୟ ସଂଘ ପକ୍ଷରୁ ଦିଆଯାଇଥିବା ଧର୍ମଘଟ କୁ ସମର୍ଥନ କରୁଥିବା ବେଳେ ଆଉ ଗୋଟିଏ ସଂଘ୍ ବିରୋଧ କରୁଛି। ଆଜି ବାଲେଶ୍ଵର ବସ ଷ୍ଟାଣ୍ଡରୁ ବିଭିନ୍ନ ଅଞ୍ଚଳକୁ ବାଲେଶ୍ଵର ଘରୋଇ ବସ୍ ମାଲିକ ସଂଘ ବସ ପଠାଇଛି । ଅନ୍ୟପଟେ ବାଲେଶ୍ଵର ଆରଟିଓ ମଧ୍ୟ ବାଲେଶ୍ଵର ବସଷ୍ଟାଣ୍ଡ ରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଯେତେଦିନ ପର୍ଯ୍ୟନ୍ତ ‘ଲକ୍ଷ୍ମୀ’ ଯୋଜନାରେ ଘରୋଇ ବସ୍‌କୁ ସାମିଲ୍ କରିବା ସହ ମୋ ବସ୍‌କୁ କେବଳ ସହରାଞ୍ଚଳରେ ଚଳାଇବା ନେଇ ଲିଖିତ ପ୍ରତିଶ୍ରୁତି ଦେଇନାହାନ୍ତି ସେତେଦିନ ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ ବୋଲି ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ କହିଛି। ଦଶହରା ପାଇଁ ଆଜି ଠାରୁ ସ୍କୁଲ, କଲେଜ ଛୁଟି ହେଉଥିବାବେଳେ ସମସ୍ତେ ଏବେ ଘର ମୁହାଁ ହୋଇଛନ୍ତି। ହେଲେ ଏହି ସମୟରେ ହଠାତ୍ ବସ୍‌ ସେବା ବନ୍ଦ ହେବାକୁ ଥିବାରୁ ଆଜିଠାରୁ ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ରାତିରେ ବସ୍‌ ଗୁଡିକରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିବାବେଳେ ଟ୍ରେନ୍‌ରେ ଏବେ ଟିକେଟ୍ ମିଳୁନି।

Related Posts