
ଇଂରାଜୀରେ ଏକ ବହୁଳ ବ୍ୟବହୃତ ନୀତିବାଣୀ ; Old habits die hard ଏବେ ରାଜ୍ୟ ସରକାରଙ୍କ ପୁରୁଣା PC ଖିଆ ପ୍ରକୃତି ପାଇଁ ଏକଦମ୍ ପ୍ରଜୁଯ୍ୟ ଲାଗୁଛି।
ସତ୍ୟପାଠର ଏହି ସନସନି ଖୁଲାସା ପ୍ରମାଣ କରୁଛି ଯେ ନବୀନ ବାବୁଙ୍କ ଦପ୍ତରର ଅଧିକାରୀଙ୍କ ସଲାସୁତୁରାରେ କିଭଳି ତିଆରି ଚାଲିଛି ଏକ ସଫେଦ ସ୍କାମ୍। ଲୋକଙ୍କୁ ଭୂଆଁ ବୁଲେଇବା ପାଇଁ ଉପରକୁ ଚାଲିଛି 5-T ଓ ଦୁର୍ନୀତି ବିରୋଧୀ ଶପଥ ପାଠ, ଭିତରେ ଯେମିତି କି ସେମିତି ଚାଲିଛି ଆଇନକୁ ମୋଡି ମକଚି ଘରୋଇ ସଂସ୍ଥାକୁ ଅନୁଗ୍ରହ ଦେଖା କାରବାର।
ଜମି, ଖଣି, ପାଣି ପରେ ଏବେ ତୃତୀୟ ମହଲାର ନୂଆ ଘୋଟାଲା ସଂସ୍କରଣ ହେଲା, ଘରୋଇ ବିଶ୍ବବିଦ୍ୟାଳୟ ସ୍ଵୀକୃତି ପ୍ରଦାନ। ଏକ ନିର୍ଦିଷ୍ଟ ଇଞ୍ଜିନିୟରିଂ ଶିକ୍ଷା ଅନୁଷ୍ଠାନକୁ ଅନୁକମ୍ପା ଦେଖାଇବା ପାଇଁଁ ଆଇନ ବିଭାଗର ପରାମର୍ଶ ଓ ଆକଟକୁ ଫୁ କରିଦେଇଛି ରାଜ୍ୟ ବୈଷୟିକ ଶିକ୍ଷା ବିଭାଗ। ଏ ସଂକ୍ରାନ୍ତୀୟ ସରକାରୀ ନଥିପତ୍ରର ଅନୁସନ୍ଧାନରୁ ସ୍ପଷ୍ଟ ବୁଝା ପଡୁଛି କି ଏସବୁ ପଛରେ ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲା ଦପ୍ତରର ରହିଛି ପ୍ରଚ୍ଛନ୍ନ ସହଯୋଗ।
ଆହୁରି ଗୁରୁତର କଥା ହେଲା ଛାତ୍ରଛାତ୍ରୀଙ୍କଠାରୁ ନିର୍ଦ୍ଧାରିତ ପରିମାଣଠାରୁ ବହୁ ଅଧିକ ଟଙ୍କା ଫି ଆଦାୟ କରୁଥିବା ଅଭିଯୋଗ ଆଧାରରେ ଯେଉଁ ସଂସ୍ଥା ବିରୋଧରେ ସରକାର କାର୍ଯ୍ୟନୁଷ୍ଠାନ ନେବାକଥା ଏବେ ସେହି ସଂସ୍ଥାକୁ ଘରୋଇ ବିଶ୍ଵବିଦ୍ୟାଳୟ ସୀକୃତି ଦେବାପାଇଁ ବୈଷୟିକ ଶିକ୍ଷା ବିଭାଗ ଚଲେଇଛି ଭିତିରିଆ କାରସାଦି । ଏ ସମସ୍ତ ଘଟଣାରେ ମୁଖ୍ୟ କାରପଟଦାର ସାଜିଛନ୍ତି ଅତୀତରେ OKCL ଠାରୁ ଆରମ୍ଭ କରି ରାଜ୍ୟର vigilance ବିଭାଗ କେସ୍ ନମ୍ବର 42 ତା 20/6/2009 ର ମୁଖ୍ୟ ଅଭିଯୁକ୍ତ, ବୈଷୟିକ ଶିକ୍ଷା ବିଭାଗର ଜନୈକ ଯୁଗ୍ମ ସଚିବ । ଅନୁସନ୍ଧାନରୁ ସ୍ପଷ୍ଟ ଜଣାଯାଏ ଯେ ରାଜ୍ୟ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ଫି ଠାରୁ ଛାତ୍ରଛାତ୍ରୀମାନଙ୍କ ଠାରୁ କୋଟି କୋଟି ଟଙ୍କା ଅଧିକ ଫି ଆଦାୟ କରିଥିବା ଭୁବନେଶ୍ବର ସ୍ଥିତ ଏକ ଘରୋଇ ସଂସ୍ଥା ସି:ଭି:ରମଣ କଲେଜ ଅଫ୍ ଇଂଜିନିୟରିଙ୍ଗକୁ ରାଜ୍ୟ ସରକାର ଏବେ ଘରୋଇ ବିଶ୍ବବିଦ୍ୟାଳୟ ସ୍ଵୀକୃତି ଦେବାପାଇଁ ନୀତିନିୟମକୁ କିଭଳି ଏଡ଼ାଯାଇ ପାରିବ ସେହି ପ୍ରୟାସ ଜାରି ରଖିଛନ୍ତି। ଏପରିକି ସରକାରଙ୍କ ଆଇନ୍ ବିଭାଗ ରୋକଠୋକ୍ ଜଣେଇଦେଲା କି ପିଲାଙ୍କଠାରୁ ବେଆଇନ ଅଧିକ ଫି ଆଦାୟ, ଅଦାଲତରେ ସରକାରଙ୍କ ବିରୋଧରେ ମାଲିମକଦମା ଆଦି ଅଭିଯୋଗ ଯୋଗୁଁ ସଂପୃକ୍ତ ସି.ଭି. ରମଣ କଲେଜ୍ ଅଫ୍ ଇଞ୍ଜିନିୟରିଂ ବିଶ୍ବବିଦ୍ୟାଳୟ ସ୍ଵୀକୃତି ଗାଇଡ୍ ଲାଇନକୁ ଉଲଂଘନ କରୁଛି ତେଣୁ ଏହାକୁ ବିଶ୍ବବିଦ୍ୟାଳୟ ରିକାଗ୍ନିସନ୍ ଦେବାନେଇ ସରକାର ଗମ୍ଭୀରତା ସହ ବିଚାର କରନ୍ତୁ। ଆଶ୍ଚର୍ଯ୍ୟର କଥା ସରକାର ଅଧିକ ଫି ଆଦାୟ ସଂକ୍ରାନ୍ତରେ କାର୍ଯ୍ୟନୁଷ୍ଠାନ ନେବେ କଣ ସ୍ଵୀକୃତି ପ୍ରଦାନ ନେଇ ସଂପୃକ୍ତ ସଂସ୍ଥାକୁ ଆଇନର ଗଳାବାଟ ଦେଖାଇ ଦେଲେ। ଖାଲି ସେତିକି ନୁହେଁ, ଏହି ହେରାଫେରି ସାମନାକୁ ଆସିବା ପୂର୍ବରୁ ତରବରିଆ ଭାବେ କ୍ୟାବିନେଟ୍ ବୈଠକ ଡାକି ବିଲ୍ ପାଇଁ ଅନୁମୋଦନ କରେଇନେବା ଯୋଜନାରେ ଥିବା ଜଣାପଡିଛି।
ତାହା ନ ହେଲେ ଯେଉଁ ସରକାର ଛାତ୍ରଛାତ୍ରୀମାନଙ୍କଠୁ ଅଭିଯୋଗ ପାଇବା ପରେ ତୁରନ୍ତ ଟଙ୍କା ଫେରସ୍ତ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେବା ସହ ଛାତ୍ରଛାତ୍ରୀମାନଙ୍କ ଦ୍ବାରା କରାଯାଇଥିବା ଆଫିଡେବିଡର ବିଚାର କରିବାକୁ ପି:ପି:ବି ନିକଟକୁ ପଠାଇଥିଲେ ଏବଂ ପିପିବିର ସଦସ୍ୟ ସଚିବ ଉକ୍ତ କଲେଜକୁ କାରଣ ଦର୍ଶାଓ ନୋଟିସ୍ ଜାରି କରିଥିଲେ। ଇତିମଧ୍ୟରେ ଉକ୍ତ କଲେଜ ଦଣ୍ଡ ବ୍ୟବସ୍ଥାରୁ ବଞ୍ଚିବା ପାଇଁ ଏକ ଗଳା ରାସ୍ତାର ପ୍ରୟୋଗ କରି ରାଜ୍ୟ ସରକାରଙ୍କ ନିକଟରେ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଁ ଆବେଦନ କଲା। ଯାହାକୁ ବିରୋଧ କରି ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏହା ବିଶ୍ବବିଦ୍ୟାଳୟ ଗାଇଡଲାଇନ ଧାରା 3.4 ର ଉଲଂଘନ ହେଉଥିବା ଦର୍ଶାଇବା ସହ ଯଦି ଉକ୍ତ କଲେଜ ବିଶ୍ବବିଦ୍ୟାଳୟ ମାନ୍ୟତା ପାଏ ତେବେ OPEI ACT ର ଧାରା 4(10) ରେ ଥିବା ଦଣ୍ଡ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ବୈଷୟିକ ଶିକ୍ଷା ବିଭାଗକୁ ଅବଗତ କରାଇଥିଲେ। କେବଳ ସେତିକି ନୁହେଁ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ଯ ପାଢୀ ଉକ୍ତ କଲେଜ ଦ୍ବାରା ରାଜ୍ୟ ସରକାରଙ୍କ ବିରୋଧରେ କରାଯାଇଥିବା କେସ ସମ୍ପର୍କରେ ଏକ ବିସ୍ତୃତ ବିବରଣୀ ବୈଷୟିକ ଶିକ୍ଷା ବିଭାଗକୁ ମାଗିଥିଲେ କିନ୍ତୁ ବୈଷୟିକ ଶିକ୍ଷା ବିଭାଗର କରିତକର୍ମା ଅଫିସର ଅଜୟ କୁମାର ନାୟକ ତା- 30.8.2017 ରେ ଉକ୍ତ କଲେଜ ଦ୍ବାରା ମାନ୍ୟବର ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ବିରୋଧରେ କରାଯାଇଥିବା ସମସ୍ତ କେସ କଲେଜ ତରଫରୁ ଅପସାରିତ କରାଯାଇଥିବା ଦର୍ଶାଇ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ। ତେବେ ସୂଚନା ଅଧିକାର ଆଇନରେ ମିଳିଥିବା ସୂଚନା ଅନୁଯାୟୀ ତା-19.2.2019 କଲେଜ ଅଧ୍ୟକ୍ଷ ରାଜ୍ୟ ବୈଷୟିକ ଶିକ୍ଷା ବିଭାଗକୁ ପତ୍ରରେ ଉକ୍ତ କଲେଜ ଦ୍ବାରା ମାନ୍ୟବର ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ବିରୋଧରେ କରାଯାଇଥିବା କେସ୍ ଏ ପର୍ଯ୍ୟନ୍ତ ବଳବତ୍ତର ରହିଥିବା ଦର୍ଶାଇଛନ୍ତି। ତେବେ ପ୍ରଶ୍ନ ଉଠୁଛି କେମିତି 2 ବର୍ଷ ପୂର୍ବେ କିପରି ଭାବରେ Wp(c) 10300/2013 ଅପସାରିତ ହୋଇଛି ବୋଲି ଉଲ୍ଲେଖ କଲେ ? କାହା ନିର୍ଦ୍ଦେଶରେ ନା ଅନୁକମ୍ପା ଦେଖାଇବାପାଇଁ ସରକାରୀ ଫାଇଲରେ ଡାହା ମିଛ ଲେଖିବା ସହ ବୈଷୟିକ ଶିକ୍ଷା ସଚିବଙ୍କଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନ୍ଧକାରରେ ରଖିଲେ ଡ. ନାୟକ। କେବଳ ଏତିକିରେ ସୀମିତ ରହିଯାଉନି କାରନାମା, ମାନ୍ୟବର ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ ଫି କମିଟିର ସଦସ୍ୟ ସଚିବ, ସି.ଭି.ରମଣ କଲେଜ ବିରୋଧରେ କରାଯାଇଥିବା ଅଧିକା ଫି ଆଦାୟ ଅଭିଯୋଗର ତଦନ୍ତ ଆରମ୍ଭ କରିବା ପାଇଁ ରାଜ୍ୟ ବୈଷୟିକ ଶିକ୍ଷା ବିଭାଗକୁ ବାରମ୍ବାର ସମୟ ମାଗୁଥିଲେ ମଧ୍ୟ ଉକ୍ତ ଫାଇଲ କୁ ଡ଼ଃ ନାୟକ ନିଜ ପାଖରେ ଚାପି ରଖୁଥିବାର ଗୁରୁତର ଅଭିଯୋଗ ବିପିୟୁଟି ପୁରାତନ ଛାତ୍ରସଂଘ କନଭେନରଙ୍କ ପକ୍ଷରୁ କରାଯାଇଛି। ଏପରିକି ମହାମହିମ ଓଡିଶାର ରାଜ୍ୟପାଳ ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ତା- 24.6.2019 ରେ ରାଜ୍ୟ ବୈଷୟିକ ଶିକ୍ଷା ବିଭାଗକୁ ଜବାବ ତଲବ କରିଥିଲେ ଯାହାକୁ ବୈଷୟିକ ଶିକ୍ଷା ବିଭାଗର ଉପ ଶାସନ ସଚିବ ସରକାରଙ୍କ ଆଦେଶ ପାଇଁ ଯୁଗ୍ମ ସଚିବ ଅଜୟ ନାୟକ ନିକଟରେ ଫାଇଲ୍ ପେସ୍ କରିଥିଲେ ମଧ୍ୟ “Please Discuss” ଲେଖି ଅଧୀନସ୍ଥ ଅଫିସର ଫେରାଇ ଦେଲେ ନାୟକ ବାବୁ, ଅପରପକ୍ଷରେ କଲେଜର ବିଶ୍ବବିଦ୍ୟାଳୟ ପ୍ରସ୍ତାବକୁ କ୍ୟବିନେଟରେ ପକାଇବାକୁ ରାଜ୍ୟ ସରକାରଙ୍କ ଆଇନ ବିଭାଗକୁ ପ୍ରେରଣ କଲେ, କିନ୍ତୁ ରାଜ୍ୟ ଆଇନ୍ ବିଭାଗ ପୁଣିଥରେ ଏହି ପ୍ରସ୍ତାବକୁ ବିରୋଧ କରିବାସହ କ୍ୟବିନେଟରେ ପକାଇବା ପୂର୍ବରୁ ଆଇନ ବିଭାଗ ଦ୍ବାରା ଦର୍ଶାଯାଇଥିବା ବିରୋଧକୁ ଭଲଭାବରେ ପରୀକ୍ଷା ନିରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ ସୁଦ୍ଧା ଏ ସମସ୍ତ କଥା କୁ ଭ୍ରୁକ୍ଷେପ ନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ0ଙ୍କ ଅନୁମୋଦନ ପାଇଁ ପଠାଇଛି ରାଜ୍ୟ ବୈଷୟିକ ଶିକ୍ଷା ବିଭାଗ।
ତେବେ ଏଠାରେ ପ୍ରଶ୍ନ ଉଠୁଛି କଣ ପାଇଁଁ ଓ କାହା ସ୍ୱାର୍ଥରେ ମହାମହିମ ରାଜ୍ୟପାଳଙ୍କଠାରୁ ଆରମ୍ଭ କରି ରାଜ୍ୟ ଆଇନ୍ ବିଭାଗ, ପିପିବି, ମାନ୍ୟବର ସୁପ୍ରିମକୋର୍ଟ ଦ୍ବାରା ନିଯୁକ୍ତ ଫି କମିଟିର ସଦସ୍ୟ ସଚିବ ସମସ୍ତଙ୍କ ନିର୍ଦ୍ଦେଶକୁ ରାଜ୍ୟ ବୈଷୟିକ ଶିକ୍ଷା ବିଭାଗ ଫୁ କରି ପାରୁଛନ୍ତି ନା ଏହା ପଛରେ କୋଉ ବଡ ବଡିଆଙ୍କ ହାତ ଅଛି। ପୂବର୍ତନ ବୈଷୟିକ ଶିକ୍ଷା ମନ୍ତ୍ରୀ ତଥା ପୁରୀ ଜିଲ୍ଲାର ଜଣେ ପୂବର୍ତନ ବିଧାୟକଙ୍କ କଲେଜ କର୍ତ୍ତୃପକ୍ଷଙ୍କ ସହ କିଛି ସମ୍ପର୍କ ଅଛି କି ? କିଏ ସେ ପ୍ରଛଦ ପଟର ଖଳନାୟକ ଯାହାର ଇସାରାରେ ଏ ସବୁ ବେଆଇନ କାର୍ଯ୍ୟ ହେଉଛି? କଲେଜ ଟ୍ରଷ୍ଟି ଙ୍କ ଦ୍ବାରା ପରିଚାଳିତ ଏକ CA firm ଓ ଜଣେ ତାମିଲ ବ୍ୟବସାୟୀ ଙ୍କ CA ଏକ ନୁହେଁ ତ ? ଏ ସମସ୍ତ ବିଷୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଅବଗତ କରାଯାଇଥିଲେ ମଧ୍ୟ ସେମାନଙ୍କ ନୀରବତା ଏହି ଘଟଣାରେ ଏକ ପ୍ରଭାବଶାଳୀ ରାକେଟ ଚାଲିଥିବା ର ସଂଦେହ ସୃଷ୍ଟି ହୋଇଛି।
ଅନ୍ୟପଟେ ସି:ଭି:ରମଣ କଲେଜ ଅଫ୍ ଇଂଜିନିୟରିଙ୍ଗ ପକ୍ଷରୁ କୁହାଯାଇଛି, ଯେ ପିଲାଙ୍କଠାରୁ ଅଧିକ ଫି ଆଦାୟ ଅଭିଯୋଗ ସମ୍ପୂର୍ଣ୍ଣ ଅମୂଳକ ଏବଂ ଯୁକ୍ତିହୀନ। କାରଣ ନିୟମ ଅନୁସାରେ ଯଦି କାହାଠାରୁ ଅଧିକ ଫି ଆଦାୟ କରାଯାଇଛି, ତେବେ ସେ ତାଙ୍କର ପାଠ୍ୟକ୍ରମ ଅବଧି ମଧ୍ୟରେ ଆପତ୍ତି ବା ଅଭିଯୋଗ କରିପାରିବେ। କିନ୍ତୁ ଏହି କ୍ଷେତ୍ରରେ ପାଠପଢା ସାରିବାର 7ରୁ 10 ବର୍ଷ ପରେ ଅଭିଯୋଗଗୁଡିକ କରାଯାଇଛି। ସେଥିରୁ ସ୍ପଷ୍ଟ ହେଉଛି, ଯେ କଲେଜକୁ ବଦନାମ କରିବା ପାଇଁ ଏହା ଏକ ଯୋଜନା। ତା ଛଡା ଅଧିକ ଫି ଆଦାୟ ନେଇ 313 ଜଣ ଛାତ୍ର ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ସେଥିରେ ଷ୍ଟାମ୍ପ ଡ୍ୟୁଟି ଅନୁଯାୟୀ ସତ୍ୟପାଠ ଦଲିଲରେ କୋର୍ଟ ଫି ଷ୍ଟାମ୍ପ ଲଗାଯାଇନାହିଁ। ତେଣୁ ଏ ସମସ୍ତ ସତ୍ୟପାଠ Invalid ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।