ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମ୍ଵଲପୁର ଆଇନଜୀବୀଙ୍କ ଆନ୍ଦୋଳନ ଘଟଣାରେ ବାର କାଉନସିଲ ଅଫ ଇଣ୍ଡିଆର କଡା ଆଭିମୁଖ୍ୟ ଗ୍ରହଣ କରିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାର କାଉନସିଲ୍ ଅଫ ଇଣ୍ଡିଆର କାର୍ଯ୍ୟାନୁଷ୍ଠାନ ନେଇ ସମ୍ବଲପୁର ବାରର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଦ କରିଛି। ଆନ୍ଦୋଳନରେ ସାମିଲ୍ ୨୯ ଜଣ ଓକିଲଙ୍କ ୧୮ ମାସ ପାଇଁ ଲାଇସେନ୍ସ ସସପେଣ୍ଡ କରିଛି ବାର କାଉନସିଲ୍ ଅଫ ଇଣ୍ଡିଆ। ଏ ନେଇ ପ୍ରେସ୍ ଇସ୍ତାହାର ଜରିଆରେ ସୋମବାର ସୂଚନା ଦେଇଛି ବାର କାଉନସିଲ୍ ଅଫ ଇଣ୍ଡିଆ। ତତ୍କାଳ ପ୍ରଭାବରୁ ଏହି ସସପେଣ୍ଡ ନିର୍ଦ୍ଦେଶ ଲାଗୁ କରାଯାଇଛି। ସେହିପରି ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ବାରର ସବୁ ସଦସ୍ୟଙ୍କୁ ସସପେଣ୍ଡ କରାଯାଇଛି।
ସୂଚନାଯୋଗ୍ୟ ଯେ, ସୋମବାର ସମ୍ବଲପୁର କଚେରୀ ଛକରେ ପୋଲିସ୍ ଏବଂ ଆଇନଜୀବୀ ମୁହାଁମୁହିଁ ହୋଇଥିଲେ। ପୋଲିସ୍ ଏବଂ ଆଇନଜୀବୀ ଧସ୍ତାଧସ୍ତି ଘଟଣାରେ ପୂର୍ବରୁ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ପୋଷଣ କରିଥିଲେ। ଡିଜିପି ଏବଂ ଆଇଜିଙ୍କୁ ହାଜର ହେବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।
ଏହା ପୂର୍ବରୁ ସୋମବାର ସମ୍ବଲପୁରରେ ପ୍ରତିବାଦ ସଭାରେ ଦେଖାଦେଇଥିଲା ଭିନ୍ନ ରୂପ | ଆନ୍ଦୋଳନର ରୂପରେଖ ବଦଳିବା ସହିତ ପୋଲିସ ସହ ଧସ୍ତାଧସ୍ତି ଓ ଠେଲାପେଲା ହୋଇଥିଲା । ତେବେ ସୋମବାର ଓକିଲ ସଂଘ ବ୍ୟତୀତ ପ୍ରାୟ ୧୨୮ଟି ବିଭିନ୍ନ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇ ନୈତିକ ତଥା ପ୍ରତ୍ଯକ୍ଷ ସମର୍ଥନ ଜଣାଇ ନାରାବାଜି ଓ ହୋହାଲ୍ଲା କରିଥିଲେ। ସମ୍ବଲପୁର କେଚେରୀ ଛକରେ କିନ୍ନର ଓ ପୋଲିସ ମଧ୍ଯରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ବ୍ଯାରିକେଡ ଭାଙ୍ଗି ଧସେଇ ପସିଥିଲେ । ହେଲେ ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିଲା ।
ହେଲେ ଆନ୍ଦୋଳନକାରୀଙ୍କୁ ଚକମା ଦେଇ ଜିଲ୍ଲା ଦୌରା ଜଜଙ୍କୁ ପୋଲିସ କୋର୍ଟରେ ପହଂଚାଇବାରେ ସଫଳ ହୋଇଥିଲା । ଫଳରେ ଆହୁରି ତାତିଥିଲେ ଆନ୍ଦୋଳନକାରୀ । ଜଜ ମାନେ କୋର୍ଟ ରେ ପହଞ୍ଚିବା ଖବର ପାଇବା ପରେ ହଜାର ହଜାର ଲୋକ ସୁରକ୍ଷା ବଳୟ ଭାଙ୍ଗି ଜିଲ୍ଲା ଜଜ୍ କୋର୍ଟ ପରିସରକୁ ଧସେଇ ପଶିଥିଲେ। ଉତ୍ୟକ୍ତ ଲୋକେ ଜିଲ୍ଲା ଜଜ ଙ୍କୁ କୋର୍ଟ ରୁ ଟାଣି ଆଣି ବାହାରେ ଛାଡି ଦେଇଥିଲେ। ପରେ ଅନ୍ୟ ଜଜ ମାନଙ୍କୁ ପୋଲିସ୍ ସହାୟତା ରେ ରେସ୍କ୍ୟୁ କରାଯାଇଥିଲା । କିଛି ସମୟ ପାଇଁ ସମ୍ୱଲପୁର ଜନସାଧାରଣ ଜିଲ୍ଲା ଜଜ୍ କୋର୍ଟକୁ ନିଜ ଅକ୍ତିଆରକୁ ନେଇଯାଇଥିଲେ।
ସେପଟେ ଆଡଭୋକେଟ୍ ଆଶୋକ ପରିଜାଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ଓକିଲ। ସୁପ୍ରିମକୋର୍ଟରେ ଆଡଭୋକେଟ୍ ଜେନେରାଲ ଓକିଲ ବିରୋଧୀ ସତ୍ଯପାଠ ଦେଇଥିବା ଅଭିଯୋଗ ଆଣି ଆଡଭୋକେଟ ଜେନେରାଲଙ୍କ ଉପରେ ବର୍ଷିଥିଲେ । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି ସେପଟେ ହାଇକୋର୍ଟ ବ୍ଯାଂଚ ନହେଲେ ଏହି ଆନ୍ଦୋଳନ ସ୍ବତନ୍ତ୍ର ରାଜ୍ଯ ଦାବି ଆଡକୁ ମୁହାଁଇବ ବୋଲି ଓକିଲ କହିଛନ୍ତି ।
