ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତର ସବୁଠୁ ଧନୀ ମନ୍ଦିର ମଧ୍ୟରେ ଅନ୍ୟତମ ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିରର ମୋଟ ସମ୍ପତ୍ତି ସଂପର୍କରେ ଘୋଷଣା କରାଯାଇଛି । ମନ୍ଦିରର ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ୍‌(ଟିଟିଡି) ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ତେବେ ୧୯୩୩ ମସିହା ପରେ ପ୍ରଥମ ଥର ଲାଗି ଏ ବିଷୟରେ ପ୍ରକାଶ କରିଛି ମନ୍ଦିର ଟ୍ରଷ୍ଟ । ଟ୍ରଷ୍ଟ ପକ୍ଷରୁ ଏକ ଶ୍ୱେତପତ୍ର ଜାରି କରି କୁହାଯାଇଛି ଯେ, ମନ୍ଦିରର ମୋଟ ସମ୍ପତ୍ତି ୨.୩ ଲକ୍ଷ କୋଟି ।

ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ରେ ମନ୍ଦିରର ୧୦.୩୩ ଟନ୍‌ ସୁନା ଗଚ୍ଛିତ ରହିଛି । ତା’ର ମୂଲ୍ୟ ୫୩୦୦ କୋଟିରୁ ଊଦ୍ଧ୍ୱର୍ ହେବ । ପ୍ରାୟ ୧୬ କୋଟି ଟଙ୍କା ନଗଦ ଆକାରରେ ବିଭିନ୍ନ ବ୍ୟାଙ୍କ୍‌ରେ ଜମା ରହିଛି । ସେହିପରି ମନ୍ଦିର ନିକଟରେ ୨.୫ ଟନ୍‌ର ଦୁର୍ମୁଲ୍ୟ ସାମଗ୍ରୀ ଅଛି ।

ସାରା ଭାରତରେ ବିଭିନ୍ନ ସ୍ଥାନରେ ମନ୍ଦିରର ୭୧୨୩ ଏକର ଜମିରେ ୯୬୦ଟି ସମ୍ପତ୍ତି ରହିଛି । ଭକ୍ତ, ବ୍ୟାବସାୟିକ ସଂଗଠନ ଏବଂ ସଂସ୍ଥାଗୁଡ଼ିକର ଦାନ ମାଧ୍ୟମରେ ଏହି ସମ୍ପତ୍ତି ଏକତ୍ରିତ ହୋଇଥିବା ଟ୍ରଷ୍ଟ ଦର୍ଶାଇଛି । ଟ୍ରଷ୍ଟର କାର୍ଯ୍ୟକାରୀ ଅଧିକାରୀ ଏଭି ଧର୍ମ ରେଡ୍ଡି କହିଛନ୍ତି, ବର୍ତ୍ତମାନର ଟ୍ରଷ୍ଟ ବୋର୍ଡ ୨୦୧୯ରୁ ନିଜର ବିନିଯୋଗ ନିୟମାବଳୀକୁ ମଜଭୁତ କରିଛି । ୨୦୧୯ରେ ବିଭିନ୍ନ ବ୍ୟାଙ୍କ୍‌ରେ ମନ୍ଦିରର ୧୩,୦୨୫ କୋଟି ଟଙ୍କା ଜମା ଥିଲା ।

ଯାହା ବଢ଼ି ୧୫,୯୩୮ କୋଟି ହୋଇଯାଇଛି । ଗତ ୩ ବର୍ଷର ବିନିଯୋଗରେ ୨୯୦୦ କୋଟି ବୃଦ୍ଧି ହୋଇଛି । ସେହିପରି ୨୦୧୯ରେ ଟିଟିଡି ପାଖରେ ୭୩୩୯.୭୪ ଟନ୍‌ ସୁନା ଜମା ଥିଲା । ଗତ ୩ ବର୍ଷ ମଧ୍ୟରେ ସେଥିରେ ଆଉ ୨.୯ ଟନ୍‌ ସୁନା ମିଶିଛି ।

ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାରେ ଥିବା ଏହି ମନ୍ଦିର ତିରୁମାଲା, ତିରୁପତି ବାଲାଜୀ ମନ୍ଦିର ଭାବେ ବି ପ୍ରସିଦ୍ଧ । ଏଠାରେ ପୂଜା ପାଉଥିବା ଭଗବାନ ଭେଙ୍କଟେଶ୍ୱରଙ୍କୁ ବାଲାଜୀ, ଗୋବିନ୍ଦ, ଶ୍ରୀନିବାସ ଭଳି ବିଭିନ୍ନ ନାମରେ ଭକ୍ତମାନେ ସମ୍ବୋଧନ କରିଥାନ୍ତି । ଟିଟିଡି ଏହାର ପରିଚାଳନା ଦାୟିତ୍ୱ ବୁଝିଥାଏ । ତା’ର ମୁଖ୍ୟଙ୍କୁ ଆନ୍ଧ୍ରପ୍ରଦେଶ ସରକାର ନିଯୁକ୍ତ କରିଥାନ୍ତି ।