ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିଲା। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଏହାଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪୨%ରୁ ୪୬%କୁ ବୃଦ୍ଧି ପାଇଛି। ଜୁଲାଇ ପହିଲାରୁ ଏହା ପିଛିଲା ଭାବେ ଲାଗୁ ହେବ। ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ନଭେମ୍ବର ମାସ ଦରମାରେ ନଗଦ ଆକାରରେ ମିଳିବ। ଏହା ସହିତ ପେନସନଭୋଗୀଙ୍କ ଟିଆଇରେ ମଧ୍ୟରେ ୪ ପ୍ରତିଶତ ବୃଦ୍ଧି କରାଯାଇଛି। ସେମାନେ ମଧ୍ୟ ଅନୁରୂପ ଭାବେ ନଭେମ୍ବର ମାସ ପେନସନରେ ଏହି ବର୍ଦ୍ଧିତ ଟିଆଇ ପାଇବେ। ଏହାଦ୍ବାରା ପ୍ରାୟ ସାଢ଼େ ୪ ଲକ୍ଷ ସରକାରୀ କର୍ମଚାରୀ ଓ ୩.୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ଏହା ରାଜ୍ୟ ସରକାରଙ୍କ ପୂଜା ଭେଟି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ କେନ୍ଦ୍ର ସରକାର କର୍ମଚାରୀମାନଙ୍କ ଲାଗି ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଫଳରେ ତାହା ୪୨ ପ୍ରତିଶତରୁ ବୃଦ୍ଧି ପାଇ ୪୬ ପ୍ରତିଶତ ହୋଇଛି। ଏହି ନିଷ୍ପତ୍ତି ପିଛିଲା ଭାବେ ଚଳିତ ବର୍ଷ ଜୁଲାଇ ୧ରୁ ଲାଗୁ ହେବ। ଏହା ଦ୍ବାରା କେନ୍ଦ୍ର ସରକାରଙ୍କ ପାଇଁ କାର୍ଯ୍ୟ କରୁଥିବା ୪୮ ଲକ୍ଷ ୬୭ ହଜାରରୁ ଅଧିକ କର୍ମଚାରୀ ଏବଂ ୬୭ ଲକ୍ଷ ୯୫ ହଜାରରୁ ଅଧିକ ପେନ୍ସନ୍ଭୋଗୀ ଉପକୃତ ହେବେ। ସପ୍ତମ ବେତନ କମିସନ ସୁପାରିସ କରିଥିବା ଫର୍ମୁଲା ଆଧାରରେ ମହଙ୍ଗା ଭତ୍ତାରେ ବୃଦ୍ଧି କରାଯାଇଛି। ଶିଳ୍ପ ଶ୍ରମିକମାନଙ୍କ ଲାଗି ଜାରି ହେଉଥିବା ଉପଭୋକ୍ତା ମୂଲ୍ୟ ସୂଚୀ ଆଧାରରେ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ହିସାବ କରାଯାଇଛି।





