
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବୁଧବାର ଜାତିସଂଘ ମହାସଭାରେ ଋଷ ଉପରେ ବର୍ଷିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ବୁଧବାର ପ୍ରଥମେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଓ ପଶ୍ଚିମ ଦେଶଗୁଡ଼ିକୁ ପରମାଣୁ ଅସ୍ତ୍ରର ଧମକ ଦେଇଥିଲେ। ଏହାକୁ ନେଇ ବାଇଡେନ ଜାତିସଂଘର ମହାସଭାରେ ଋଷକୁ ଟାର୍ଗେଟ କରିଛନ୍ତି । ଏଥିସହ ୟୁକ୍ରେନକୁ ନ୍ୟାୟ ଦେବା ସପକ୍ଷରେ ଯୁକ୍ତି ମଧ୍ୟ ବାଢିଛନ୍ତି। ସେ କହିଛନ୍ତି ଯେ, “ମିଳିତ ଜାତିସଂଘ ଚାହୁଁଛି ଋଷ-ୟୁକ୍ରେନ ଯୁଦ୍ଧ ଶେଷ ହେଉ। ଆମେରିକା ମଧ୍ୟ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ୁ ବୋଲି ଚାହୁଁଛି। କିନ୍ତୁ ଯୁଦ୍ଧ ଶେଷ ହେବା ପୂର୍ବରୁ ନ୍ୟାୟ ହେବା ଆବଶ୍ୟକ। ଆମେ ସମସ୍ତେ ୟୁକ୍ରେନକୁ ସମର୍ଥନ କରିବା ଉଚିତ୍। ଆମକୁ ଏମିତି ଏକ ପରିବେଶ ସୃଷ୍ଟି କରିବାକୁ ହେବ, ଯେଉଁଠି କେହି କାହାକୁ ନିଜର ଶତ୍ରୁ ଭାବେ ବିବେଚନା କରିବେ ନାହିଁ।”
ବାଇଡେନ ଆହୁରି କହିଛନ୍ତି ଯେ, ୟୁକ୍ରେନ ଉପରେ ହମଲା କରି ଋଷ ଜାତିସଂଘର ଚାର୍ଟର ବା ନିୟମକୁ ଉଲ୍ଲଙ୍ଘନ କରିଛି। ଋଷ ଅତ୍ୟନ୍ତ ଲଜ୍ଜାଜନକ ଭାବେ ନିୟମ ଉଲ୍ଲଙ୍ଘନ କରି ଅନାବଶ୍ୟକ ଯୁଦ୍ଧ ଚଳାଇଛି। ଋଷ ସୈନ୍ୟମାନେ ୟୁକ୍ରେନରେ ଥିବା ସ୍କୁଲ, ସାଧାରଣ ଲୋକ ଘର, ହସ୍ପିଟାଲ ଓ ଐତିହ୍ୟକୁ ଧ୍ୱଂସ କରିଦେଇଛନ୍ତି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଋଷ ଆକ୍ରମଣରେ ଧ୍ୱଂସ ହେବାକୁ ବସିଥିବା ୟୁକ୍ରେନକୁ ନ୍ୟାୟ ମିଳିବା ଦରକାର। ମିଳିତ ଜାତିସଂଘ ଋଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକ ଥିଲା। ଋଷ ସହ ଲଢ଼େଇ କରିବା ପାଇଁ ୟୁକ୍ରେନକୁ ଆମେରିକା ସହଯୋଗ କରୁଛି। ରାଷ୍ଟ୍ରପତି ପୁଟିନଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ ମସ୍କୋ କ’ଣ ଚାହୁଁଛି। ପୂରା ଜାତିସଂଘ ଏଥିରେ ହସ୍ତକ୍ଷେପ କରିବା ଦରକାର ବୋଲି ବାଇଡେନ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଋଷ ରାଷ୍ଟ୍ରପତି ପୁଟିନ ବୁଧବାର ପ୍ରଥମେ ଦେଶବାସୀଙ୍କୁ ସମ୍ବୋଧନ କରିବା ବେଳେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଚେତାବନୀ ଦେଇଥିଲେ। ସେ ପରମାଣୁ ଅସ୍ତ୍ର ମାଡ଼ କରିବାର ଧମକ ଦେବା ସହ ସୈନ୍ୟ ସଞ୍ଚାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କର ଏହି ଧମକ ପରେ ପୂରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି। ଏସବୁ ଭିତରେ ବାଇଡେନ ଜାତିସଂଘରେ ରୁଷକୁ ଟାର୍ଗେଟ କରିଛନ୍ତି।
ପରମାଣୁ ଯୁଦ୍ଧ ନେଇ ବାଇଡେନ କହିଛନ୍ତି ଯେ, “ଗୋଟିଏ ପରମାଣୁ ଯୁଦ୍ଧରେ କେବେ ହେଲେ କେହି ଜିତି ପାରିବେ ନାହିଁ। ଆମକୁ ଏପରି ଯୁଦ୍ଧ ନ ଲଢ଼ିବା ଦରକାର। ଏବେ ଆମେ ଅନେକ ବିଚଳିତ କରିବା ଭଳି ଦୃଶ୍ୟ ଦେଖୁଛୁ ଓ ବୟାନ ଶୁଣୁଛୁ। ଋଷ ଅତ୍ୟନ୍ତ ଦାୟିତ୍ୱହୀନ ଭାବେ ପରମାଣୁ ଧମକ ଦେଇ ପରମାଣୁ ଅସ୍ତ୍ର ବ୍ୟବହାର କରିବା କଥା କହୁଛି। କିନ୍ତୁ ଆମେରିକା ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରିବା ସପକ୍ଷରେ ରହିଛି।”
ତେହେରାନକୁ ଆଟୋମିକ ଅସ୍ତ୍ରଶସ୍ତ୍ରର ଅଧିକାରୀ ହେବାକୁ ଆମେରିକା କେବେ ହେଲେ ଅନୁମତି ଦେବନି ବୋଲି ବାଇଡେନ କରିଛନ୍ତି। ଏଥିସହ କୂଟନୀତିକ ସମ୍ପର୍କ ହିଁ ଫଳପ୍ରଦ ପରିଣାମ ଆଣି ପାରିବ ବୋଲି ସେ ଜାତିସଂଘ ମହାସଭାରେ ମତ ରଖିଛନ୍ତି।