ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ଉପନେତା ପଦରୁ ହଟିବା ପରେ ଆସିଲା ରାଘବ ଚଢାଙ୍କ ପ୍ରତିକ୍ରିୟା । ତେବେ ରାଘବ ନା ସେ କାହାର ନାଁ ନେଇଛନ୍ତି ନା କାହାକୁ ସମାଲୋଚନା କରିଛନ୍ତି। କେବଳ ରାଜ୍ୟସଭାରେ ସେ ଦେଇଥିବା କିଛି ଓଜସ୍ୱୀନ ଭାଷଣର ଛୋଟ ଛୋଟ ଯୋଡ଼ା ହୋଇଥିବା ଅଂଶକୁ ଶେୟାର କରିଛନ୍ତି। ଏହି ଭିଡିଓରେ ବୈତନିକ ପିତୃତ୍ୱ ଛୁଟି ପ୍ରସଙ୍ଗ ଠାରୁ ଆରମ୍ଭ କରି ଡାଟା ରୋଲ ଆଉଟ୍ ପର୍ଯ୍ୟନ୍ତ ତର୍କ ରହିଛି।
ସଂସଦରେ ବାୟୁ ପ୍ରଦୂଷଣ ଏବଂ ବୃଦ୍ଧି ପାଉଥିବା ବିମାନ ଭଡ଼ା ଠାରୁ ଆରମ୍ଭ କରି ଶ୍ରମିକଙ୍କ ଅଧିକାର ଏବଂ ମୋବାଇଲ୍ ପ୍ରିପେଡ୍ ଯୋଜନାର ୨୮ ଦିନର ବୈଧତା ଆଦି ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଅକାଟ୍ୟ ଯୁକ୍ତିଗୁଡ଼ିକୁ ସଂକଳିତ କରାଯାଇଛି। ଏହି ଛୋଟିଆ ଭିଡିଓ ଶେୟାର କରିବା ସହିତ ଶ୍ରୀ ଚଢା ଅଶୁଭ ଦୃଷ୍ଟି ନ ଲାଗିବା ପାଇଁ ବ୍ୟବହାର ହେଉଥିବା ଏକ ତାବିଜର ଇମୋଜି ଲଗାଇଥିବାର ଦେଖିବାକୁ ମିଳିଛି। ସେପଟେ ଚଢା ଏହି ଇମୋଜୀ କାହିଁକି ଦେଲେ ଓ କାହାକୁ ଇଙ୍ଗିତ କରି ଦେଲେ ତାହାତ ଜଣାପଡ଼ି ନାହିଁ, ତେବେ ତାଙ୍କର ଏହି ପୋଷ୍ଟରୁ ଏହା ସ୍ପଷ୍ଟ ଯେ ସେ ଅଯଥା ବିବାଦକୁ ଯିବାକୁ ଚାହୁଁ ନାହାନ୍ତି। ସମୟ ସୁବିଧା ଦେଖି ସେ ଛକା ମାରିପାରନ୍ତି ବୋଲି ବିଶେଷଜ୍ଞ କହିଛନ୍ତି।