ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ? 2019 ପୂର୍ବରୁ ମହାଗଠବନ୍ଧନର ଏହି ନେତାଙ୍କୁ ନୁହେଁ ସ୍ବୀକାର

ରାହୁଲ ଗାନ୍ଧିଙ୍କର ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ବ ଉପରେ ହିଁ ନୁହେଁ ନିକଟରେ କଂଗ୍ରେସର ତିନି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯେତେବେଳେ ବିରୋଧୀ ଏକତା ଦେଖାଇବାର ଅବସର ଆସିଲା, ସେତେବେଳେ ବହୁଜନ ସମାଜବାଦୀ ପାର୍ଟି ନେତା ମାୟାବତୀ ଓ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏହାଠାରୁ ବି ନିଜକୁ ଦୂରେଇ ରଖିଲେ ।

ମାର୍ଚ୍ଚ 2017ରେ ହୋଇଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଚାର ସମୟରେ ‘ଉତ୍ତରପ୍ରଦେଶକୋ ୟେ ସାଥ୍‌ ପସନ୍ଦ ହୈ’ ନାରା ସହ ରାହୁଲ ଗାନ୍ଧି ଓ ଅଖିଳେଶ ଯାଦବ ପୁରା ରାଜ୍ୟରେ ଜନତାଙ୍କୁ ଭୋଟ ପାଇଁ ଆବେଦନ କରିଥିଲେ । କିନ୍ତୁ ଏମାନଙ୍କ ଯୋଡ଼ିଙ୍କୁ ଉତ୍ତରପ୍ରଦେଶର ଜନତା ପସନ୍ଦ କଲେ ନାହିଁ ।

ଆଉ ସେମାନେ ଭାରତୀୟ ଜନତା ପାର୍ଟିକୁ ପ୍ରଚଣ୍ଡ ବହୁମତ ଦେଲେ । ଏବେ ଅବସର 2019ରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନର, ଯାହା ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଦୃଢ଼ତାର ସହ ଛିଡ଼ା ହୋଇଥିବା ବିଜେପିକୁ ଚକିତ କରିବାକୁ କଂଗ୍ରେସ ସବୁ ଅଣ-ବିଜେପି ଦଳଙ୍କୁ ସାଙ୍ଗରେ ନେଇ କ୍ଷମତାକୁ ଫେରିବାକୁ ଯୋଗାଡ଼ରେ ଲାଗିପଡ଼ିଛି । କିନ୍ତୁ ମହାଗଠବନ୍ଧନର ଯେଉଁ ସମ୍ଭାବ୍ୟ ନେତାଙ୍କୁ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ଆଶା ରହିଛି, ସେମାନେ ହିଁ ରାହୁଲଙ୍କୁ ଝଟ୍‌କା ଦେଇ ଚାଲିଛନ୍ତି ।

ଗତ ଡିସେମ୍ବର 16 ତାରିଖରେ ଡିଏମ୍‌କେ ଅଧ୍ୟକ୍ଷ ଏମ୍‌.କେ ଷ୍ଟାଲିନ୍‌ କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କୁ ଆଗାମୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିବାକୁ ଘୋଷଣା କଲେ । ଆଉ ଏହା ପରେ ମହାଗଠବନ୍ଧନର ଗୁରୁତ୍ବପୂର୍ଣ୍ଣ ସହଯୋଗୀ ଦଳଙ୍କ ସ୍ବର ବଦଳିଗଲା ।

ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ମେତ ସିପିଏମ୍‌ ନେତା ସୀତାରାମ ୟେଚୁରୀ ଷ୍ଟାଲିନ୍‌ଙ୍କ ଏହି ବୟାନକୁ ଖାରଜ କରିଦେଲେ । ଏବେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ବି ସ୍ପଷ୍ଟ ଭାବେ ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ବକୁ ଅସ୍ବୀକାର କରିଛନ୍ତି । ଯାହା ଫଳରେ ଲୋକସଭା ନିର୍ବାଚନକୁ ନେଇ ସଂଗଠିତ ହେଉଥିବା ବିରୋଧୀ ଏକତା ଉପରେ ପୁଣି ଥରେ ଗ୍ରହଣ ଲାଗୁଥିବା ଦେଖାଯାଉଛି ।

‘ସବୁ ନେତା ସ୍ଥିର କରନ୍ତୁ ନାମ’

ଅଖିଳେଶ ଯାଦବ କହିଲେ ଏବେ ଜନତା ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି । ଏହି କାରଣରୁ କଂଗ୍ରେସ 3ଟି ରାଜ୍ୟରେ ସଫଳତା ପାଇଲା । ସେ କହିଲେ ଯେ ଏବେ ମହାଗଠବନ୍ଧନର ରୂପରେଖ ପ୍ରସ୍ତୁତ କରାଯିବା ଉଚିତ ।

ଅଖିଳେଶ କହିଲେ, ‘ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର୍‌,ମମତା ବାନାର୍ଜୀ ଓ ଶରଦ ପାୱାର ମହାଗଠବନ୍ଧନ ପାଇଁ ସବୁ ନେତାଙ୍କୁ ଏକା ସାଙ୍ଗରେ ଆଣିବାକୁ ପ୍ରୟାସ କରିଥିଲେ । ଏହି ପ୍ରୟାସରେ ଯଦି କିଏ ନିଜର ମତ ଦେଉଛି, ତେବେ ଜରୁରୀ ନୁହେଁ ଯେ ଏହା ସମ୍ପୂର୍ଣ୍ଣ ଗଠବନ୍ଧନର ରାୟ । ପ୍ରଧାନମନ୍ତ୍ରୀ ପଦର ନାମକୁ ନେଇ ଗଠବନ୍ଧନର ସବୁ ନେତା ମିଶି ସ୍ଥିର କରିବା ଠିକ୍‌ ହେବ ।’
ଶପଥ ଗ୍ରହଣ ସମାରୋହରେ ଦେଖାଗଲାନାହିଁ ‘ପୂର୍ଣ୍ଣ ଏକତା’..

ରାହୁଲ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ବ ପ୍ରସଙ୍ଗରେ ହିଁ ନୁହେଁ, ନିକଟରେ କଂଗ୍ରେସର ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯେତେବେଳେ ବିରୋଧୀ ଏକତାକୁ ଦେଖାଇବାର ସୁଯୋଗ ଥିଲା, ସେତେବେଳେ ମାୟାବତୀ, ଅଖିଳେଶ ଓ ମମତା ବାନାର୍ଜୀ ଏଥିରୁ ଦୂରେଇ ରହିଲେ ।

ଏହା ପୂର୍ବରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ କଂଗ୍ରେସ-ଜେଡିଏସ୍‌ର ମେଣ୍ଟର ସରକାରର ଶପଥ ଗ୍ରହଣ ସମାରୋହରେ ମମତା ବାନାର୍ଜୀ, ମାୟାବତୀ ଓ ଅଖିଳେଶ ଯାଦବଙ୍କ ଭଳି ବଡ଼ ଭାଗୀଦାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ଦେଖାଯାଇଥିଲେ । କିନ୍ତୁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସକୁ ମିଳିଥିବା ବିଜୟ ପରେ ଏହି ତିନି ନେତା କଂଗ୍ରେସ ନେତୃତ୍ବକୁ ଏଡ଼ାଇ ଦେଉଥିବା ଦେଖାଗଲେ ।

Related Posts